ETV Bharat / state

Panchayat Polls: କଟକଣାର ଧଜିଆ ଉଡାଇଲେ ବିଜେଡି ନେତା

author img

By

Published : Jan 30, 2022, 1:34 PM IST

Updated : Jan 30, 2022, 2:23 PM IST

Panchayat Polls: କଟକଣାକୁ ଫୁ କରି ଉଡାଇଲେ ବିଜେଡି ନେତା
Panchayat Polls: କଟକଣାକୁ ଫୁ କରି ଉଡାଇଲେ ବିଜେଡି ନେତା

କଟକଣା ମାନୁନାହାନ୍ତି ଶାସକ ଦଳ । ଖୁଲମଖୁଲା ବୈଠକ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରୁଛନ୍ତି ବିଜେଡି ବିଧାୟକ ଏବଂ ପ୍ରତିନିଧି । ଅଧିକ ପଢନ୍ତୁ

କେନ୍ଦ୍ରାପଡା: କୋରୋନା ସଙ୍କଟ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହି ଦୃଷ୍ଟିରୁ ନିର୍ବାଚନ ପାଇଁ ସାରା ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ହେଲେ କଟକଣା ମାନୁନାହାନ୍ତି ବିଜେଡି ନେତୃବୃନ୍ଦ । ଶାସକ ଦଳର ବିଧାୟକ ଏବଂ ପ୍ରତିନିଧି ଖୁଲମଖୁଲା ବୈଠକ କରି ଦଳ ପାଇଁ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ସହ ସେମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ଭୋଟରମାନଙ୍କୁ ପ୍ରବର୍ତ୍ତାଉଥିବା ଭିଡିଓ ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଭାଇରାଲ ହେବାରେ ଲାଗିଛି ।

Panchayat Polls: କଟକଣାର ଧଜିଆ ଉଡାଇଲେ ବିଜେଡି ନେତା

ଗତ ଶୁକ୍ରବାର ଦିନ ରାଜନଗର ବିଧାୟକ ବେଲପାଳ ପଞ୍ଚାୟତର ବାସୁଳାଇ ମନ୍ଦିର ପ୍ରାଙ୍ଗଣରେ ଏକ ସଭା କରି ଉକ୍ତ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ତୁଳସୀ ପ୍ରଧାନଙ୍କୁ ସୂର୍ଯ୍ୟ ଚିହ୍ନ ଓ ସମିତିସଭ୍ୟ ପ୍ରାର୍ଥୀ ଭାବେ ସରୋଜିନୀ ସାହୁଙ୍କୁ ବସ ଚିହ୍ନରେ ଭୋଟ ଦେବା ପାଇଁ କହିବାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ସେହିପରି ପାଟକୁରା ବିଧାୟକା ସାବିତ୍ରୀ ଅଗ୍ରୱାଲଙ୍କ ପ୍ରତିନିଧି ତଥା ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ ଗରଦପୁର ବ୍ଲକ ଅନ୍ତର୍ଗତ ବେଡ଼ାରି ପଞ୍ଚାୟତରେ ଏକ ସଭା ଆୟୋଜନ କରିଥିବାର ଦେଖାଯାଇଛି । ସେ ସୁଧିସ୍ମିତା ଲେଙ୍କାଙ୍କୁ ସରପଞ୍ଚ ପ୍ରାର୍ଥୀ ଭାବେ ବିଜୟୀ କରିବା ପାଇଁ କହୁଥିବା ଭିଡିଓ ମଧ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ପରିଧିକୁ ଆସିଛି ।

ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କେବଳ ଜିଲ୍ଲା ପରିଷଦ ପ୍ରାର୍ଥୀ ଅବା ପ୍ରାର୍ଥିନୀ କୌଣସି ଦଳୀୟ ସଙ୍କେତ ମଧ୍ୟରେ ନିର୍ବାଚନ ଲଢ଼ିବା ବ୍ୟତୀତ ୱାର୍ଡମେମ୍ବର, ସରପଞ୍ଚ ଓ ସମିତିସଭ୍ୟମାନେ କୌଣସି ଦଳୀୟ ଚିହ୍ନ ବ୍ୟବହାର କରିବାକୁ ଏବଂ ରାଜନୈତିକ ଦଳର ନେତୃବୃନ୍ଦ ଏମାନଙ୍କ ପାଇଁ ପ୍ରଚାର ପ୍ରସାର କରିବାକୁ ବାରଣ କରିଛନ୍ତି ନିର୍ବାଚନ କମିଶନ । ହେଲେ ଜଣେ ବିଧାୟକ ଓ ବିଜେଡି ଦଳର ନେତା କିପରି ସରପଞ୍ଚ, ସମିତିସଭ୍ୟଙ୍କ ପାଇଁ ପ୍ରଚାର କରି ଭୋଟ୍ ଭିକ୍ଷା କରୁଛନ୍ତି ତାହା ରାଜନୈତିକ ବିଶ୍ଲେଷକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପଞ୍ଚାୟତିରାଜ ବ୍ୟବସ୍ଥାର ମର୍ଯ୍ୟାଦା ହାନି ହେବ ବୋଲି କହିଛନ୍ତି ରାଜନୈତିକ ବିଶ୍ଲେଷକ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated :Jan 30, 2022, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.