ETV Bharat / state

ବଢୁଛି ମାଣ୍ଡିଆ ଡିମାଣ୍ଡ, ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ମିଲେଟ ଆଉଟଲେଟ

author img

By

Published : Jun 11, 2023, 9:17 AM IST

ମହିଳାଙ୍କୁ ରୋଜଗାର ଦେଲା ମାଣ୍ଡିଆ । ମିଶନ ଶକ୍ତି ମାଧ୍ୟମରେ ମହିଳାମାନେ ମାଣ୍ଡିଆରୁ ବିଭିନ୍ନ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରି ସ୍ବାବଲମ୍ବୀ ହୋଇପାରିଛନ୍ତି । ଅଧିକ ପଢ଼ନ୍ତୁ

millet mission
ମିଲେଟ ମିଶନ

ମିଲେଟ ମିଶନ

ଭବାଣୀପାଟଣା: ଦିନକୁ ଦିନ ମାଣ୍ଡିଆ ପ୍ରତି ବଢୁଛି ଲୋକଙ୍କ ଆଗ୍ରହ । ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ଏବେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି । ଚା'ଠାରୁ ଆରମ୍ଭ କରି ପିଠା, ମିଠା, ପକୁଡ଼ି, ଚପ, ସମେତ ବିଭିନ୍ନ ପ୍ରକାର ସୁଆଦିଆ ସ୍ନାକ୍ସ ପ୍ରସ୍ତୁତ ହେଉଛି ଏହି ମାଣ୍ଡିଆରୁ । ଏହା ଶରୀର ପାଇଁ ପୁଷ୍ଟିକର ସହ ଖାଇବାକୁ ମଧ୍ୟ ବେଶ ସୁସ୍ବାଦୁ ହୋଇଥିବାରୁ ଚାହିଦା ବି ଭଲ ରହିଛି । ଭଲ ବିକ୍ରି ସାଙ୍ଗକୁ ଲାଭ ହେଉଛି । ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନା ମିଶନ ଶକ୍ତି ମାଧ୍ୟମରେ ମହିଳାମାନେ ଏବେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ ।

ଦିନ ଥିଲା ମହିଳାମାନେ କେବଳ ଘରର ଚାରି କାନ୍ଥରେ ରହୁଥିଲେ । ବର୍ତ୍ତମାନ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଓ ମିଲେଟ ମିଶନ ଯୋଜନା ମହିଳାଙ୍କୁ ସ୍ୱାବଲମ୍ବୀ କରାଇ ପାରିଛି । ମିଶନ ଶକ୍ତି ଯୋଜନା ମାଧ୍ୟମରେ ଭବାନୀପାଟଣା ସହରରେ ଖୋଲିଛି ମିଲେଟ ଆଉଟ ଲେଟ । ମିଶନ ଶକ୍ତି ଓ ମିଲେଟ ମିଶନର ମିଳିତ ଉଦ୍ୟମରେ ଏହି ଆଉଟଲେଟ ଖୋଲା ଯାଇଥିବା ବେଳେ ଏହାର ଦାୟିତ୍ୱ ସ୍ଥାନୀୟ କଲ୍ୟାଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି । ଗୋଷ୍ଠୀର ୧୦ ଜଣ ମହିଳା ମିଲେଟରେ ପ୍ରସ୍ତୁତ ଖାଦ୍ୟ ତିଆରି କରୁଛନ୍ତି । ଏହି କାର୍ଯ୍ୟ ପାଇଁ ମିଶନ ଶକ୍ତି ପକ୍ଷରୁ ଭୁବନେଶ୍ୱର ଠାରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେବା ପରେ ଏଠାରେ ଆଉଟଲେଟ ଖୋଲି ମହିଳାମାନେ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ମାଣ୍ଡିଆରେ ପ୍ରସ୍ତୁତ, କଟଲେଟ, ଆଳୁଚପ, ପକୁଡି, ବରଫି କେକ, ଜୁସ, ମାଣ୍ଡିଆ ଜାଉ, ନିମକି, ଆରିସା ପିଠା, କାକରା ପିଠା, ଛାଞ୍ଚ ଆଦି ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ଦୋକାନର ଚାହିଦା ବଢିଥିବା ବେଳେ ସନ୍ଧ୍ୟା ହେଉକି ସକାଳ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି । ଫଳରେ ଭଲ ଲାଭ ମଧ୍ୟ ହେଉଛି ।

ମିଶନଶକ୍ତିର ମହିଳା କହିଛନ୍ତି, " ରାସ୍ତା କଡ଼ରେ ଚାଉମିନ ଭଳି ଖାଦ୍ୟ ଖାଉଥିବା ପିଲା ମାନେ ଏବେ ମାଣ୍ଡିଆରେ ପ୍ରସ୍ତୁତ ହୋଇଥିବା ସ୍ଵାଦିଷ୍ଟ ଓ ସ୍ୱାସ୍ଥ୍ୟକର ଖାଦ୍ୟ ବିଷୟରେ ଜାଣିବାକୁ ପାଇବା ପରେ ସେମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେଉଛି । ବିଶେଷ କରି ଛୋଟ ପିଲାମାନଙ୍କ ଭିଡ଼ ଜମୁଛି । ଅନ୍ୟପଟେ ମାଣ୍ଡିଆରେ ସାଧାରଣ ଶସ୍ୟ ଭଳି ଶ୍ବେତସାର ରହିଥିବା ବେଳେ ଏଥିରେ ଅଧିକ ପରିମାଣରେ ପ୍ରୋଟିନ୍, ଆଇରନ୍‌, କ୍ୟାଲ୍‌ସିୟମ୍ ମଧ୍ୟ ରହିଥାଏ । ରାଜ୍ୟ ସରକାରଙ୍କ ଏହି ଯୋଜନା ପାଇଁ ଆଜି ଲୋକେ ମିଲେଟ ଖାଦ୍ୟକୁ ନିଜ ସହରରେ ପାଇ ବେଶ ଉତ୍ସାହିତ ଅଛନ୍ତି । ଏହି ବ୍ୟବସାୟରେ ନିଜକୁ ନିୟୋଜିତ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ବେଶ ଖୁସି ଅଛନ୍ତି । ନିଜେ ସ୍ବାବଲମ୍ବୀ ହେବା ସହ ପରିବାର ଚଳାଇବାରେ ସକ୍ଷମ ହୋଇପାରୁଛୁ ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.