ETV Bharat / state

ଦିନକ ପରେ ନୂଆଁଖାଇ, ପୁରପଲ୍ଲୀରେ ଚାଲିଛି ସଜବାଜ

author img

By

Published : Aug 30, 2022, 7:59 PM IST

ଦିନକ ପରେ ନୂଆଁଖାଇ, ପୁରପଲ୍ଲୀରେ ଚାଲିଛି ସଜବାଜ
ଦିନକ ପରେ ନୂଆଁଖାଇ, ପୁରପଲ୍ଲୀରେ ଚାଲିଛି ସଜବାଜ

ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡିଶା । ନୂଆ ଧାନରେ ଚୁଡା, ଚୁନା ଓ ଖଇ ପ୍ରସ୍ତୁତିରେ ଲାଗି ପଡିଛନ୍ତି ମହିଳା । ଘରେ ଘରେ ଚାଲିଛି ଲିପା ପୋଛା । ବଜାରରୁ ନୂଆ ହାଣ୍ଡି ମାଠିଆ, ନୂଆ ଧାନ, ନୂଆ ଲୁଗାପଟା କିଣୁଛନ୍ତି ଲୋକେ । ଅଧିକ ପଢନ୍ତୁ

ଭବାନୀପାଟଣା: ଦିନକ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ପଶ୍ଚିମ ଓଡିଶାର କଳା, ସଂସ୍କୃତି ଓ ପରମ୍ପରାର ଏହି ମହାନ ପର୍ବ ପାଳନ ପାଇଁ ଚଳଚଞ୍ଚଳ ହୋଇପଡିଛି କଳାହାଣ୍ଡି ଜିଲ୍ଲାର ପୁରପଲ୍ଲୀ । ନୂଆଁଖାଇ ପାଇଁ ଲଗ୍ନ ଦେଖାରୁ ଆରମ୍ଭ ହୋଇଯାଇଛି ରୀତିନୀତି । ମହିଳାମାନେ ନୂଆ ଧାନରେ ଚୁଡା, ଚୁନା ଓ ଖଇ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଘରେ ଘରେ ଲିପା ପୋଛା ଚାଲିଛି । ଜଙ୍ଗଲରୁ ଭିନ୍ନ ଭିନ୍ନ ପତ୍ର ସଂଗ୍ରହ କରୁଛନ୍ତି ଝଙ୍କାର । ନୂଆଁଖାଇରେ ସତେ ଯେମିତି ସବୁକିଛି ନୂଆ । ନୂଆଁଖାଇ ପାଇଁ ସ୍ବତନ୍ତ୍ର ହାଟ ବି ବସିଛି । ବଜାରରୁ ନୂଆ ହାଣ୍ଡି ମାଠିଆ, ନୂଆ ଧାନ, ନୂଆ ଲୁଗାପଟା କିଣିବାରେ ଲାଗିପଡିଛନ୍ତି ଲୋକେ । ଫଳରେ ନୂଆଁଖାଇ ବଜାର ବେଶ୍ ଜମୁଥିବାର ଦେଖାଯାଇଛି ।

ପୁରପଲ୍ଲୀରେ ଚାଲିଛି ସଜବାଜ

ନୂଆଁଖାଇ ପ୍ରସ୍ତୁତି:

ପଶ୍ଚିମ ଓଡିଶାର ଏକତା ଓ ପରମ୍ପରାର ମହାନ ପର୍ବ ହେଉଛି ନୂଆଁଖାଇ । ଚାଷୀ ତା'ର ପ୍ରଥମ ଧାନକୁ ନିଜ ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରିବେ । ଏହାପରେ ଘରେ ଘରେ ନୂଆଖିଆ ଆରମ୍ଭ ହୋଇଥାଏ । ତେବେ ନୁଆଁଖାଇ ପାଇଁ ଲଗ୍ନ ଦେଖାରୁ ଆରମ୍ଭ ହୁଏ ରୀତିନୀତି । ନୂଆଁଖାଇ ପାଇଁ ଶୁଭ ମୂହୁର୍ତ୍ତ ନିର୍ଦ୍ଧାରିତ ହେଲା ପରେ ସଜବାଜ ଆରମ୍ଭ ହୋଇଯାଏ । ଏସବୁ ଭିତରେ ନୂଆଁଖାଇର ପ୍ରସ୍ତୁତିକୁ ଅଧିକ ରଙ୍ଗୀନ୍‍ କରେ ଗାଁ ଦାଣ୍ଡରେ ପରିବେଷଣ ହେଉଥିବା ଘୁମୁରାର ଘୁମ ଘୁମ ଶବ୍ଦ ।

ଗାଁରେ ବେହେରେନ୍‍ ବାଜେ । ବେହେରେନ୍‍ ଶୁଣି ଗାଁ ମନ୍ଦିରରେ ଲୋକମାନେ ଏକାଠି ହୁଅନ୍ତି । ପାଞ୍ଜି ଦେଖି ନୂଆଁଖାଇ ପାଇଁ ପଣ୍ଡିତ ଶୁଭ ମୁହୁର୍ତ୍ତ ନିର୍ଦ୍ଧାରଣ କରନ୍ତି । ପୁଣିଥରେ ଡିଙ୍ଗିରା ପିଟି ଗାଁ ଲୋକଙ୍କୁ ଶୁଭ ମୁହୁର୍ତ୍ତ ଜଣାଇ ଦିଆଯାଏ । ଆଉ ତା' ପରଠୁ ଆରମ୍ଭ ହୋଇଯାଏ ସଜବାଜ । ଘର ଅଗଣା ଲିପା ପୋଛା ହୁଏ । ଆସବାବପତ୍ର ସଫାସୁତୁରା କରାଯାଏ । ଘରର ମହିଳାମାନେ ନୂଆଁ ଧାନରେ ଚୁନା-ଚୁଡା ଓ ଖଇ ପ୍ରସ୍ତୁତି କରିବାରେ ଲାଗି ପଡନ୍ତି । ବିଭିନ୍ନ ଜାତିର ଲୋକ ଭିନ୍ନ ଭିନ୍ନ ପତ୍ରରେ ନୂଆ ଖାଉଥିବାରୁ ଝାଙ୍କରମାନେ ଜଙ୍ଗଲରୁ ପତ୍ର ସଂଗ୍ରହ କରନ୍ତି । ସେହି ପତ୍ରରେ ଖଲି ଓ ଦନା ତିଆରି ହୁଏ ।

ନୂଆଁଖାଇର ପ୍ରାୟ ତିନି ଚାରି ଦିନ ପୂର୍ବରୁ ନୁଆଁଖାଇ ସ୍ବତନ୍ତ୍ର ହାଟ ବସେ । ହାଟରେ ନୂଆଁଖାଇ ପାଇଁ ଜରୁରୀ ସବୁ ଜିନିଷ ବିକ୍ରି ହୁଏ । ପନିପରିବା ଠୁ ଆରମ୍ଭ କରି ମାଟିରେ ତିଆରି ହାଣ୍ଡି ମାଠିଆ, ଏପରିକି ବାଉଁଶରେ ତିଆରି ଘରକରଣା ବି ସୁବିଧାରେ ମିଳିଥାଏ । ନୂଆଁଖାଇରେ ସବୁକିଛି ନୁଆଁ ହୋଇଥିବାରୁ ବେଶ୍‍ ଜମିଥାଏ ନୁଆଁଖାଇ ବଜାର । ପଶ୍ଚିମ ଓଡିଶାରେ ଏହି ଗଣପର୍ବକୁ ଖୁବ୍ ଧୁମଧାମରେ ପାଳନ କରାଯାଏ । ନୂଆଁଖାଇକୁ ପଶ୍ଚିମ ଓଡ଼ିଶାବାସୀ ଦୁଇ ଦିନ ଧରି ପାଳନ କରିଥାନ୍ତି । ନୂଆଁଖାଇ ପାଳିବା ପାଇଁ ଦୂର ଦୂରାନ୍ତରୁ ଲୋକେ ନିଜ ଘରକୁ ଫେରିଥାନ୍ତି । ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ନୂଆ ପୋଷାକ ପିନ୍ଧି, ନୂଆ ଖାଇ ଜୁହାର ହୁଅନ୍ତି ପଶ୍ଚିମ ଓଡିଶାବାସୀ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.