ETV Bharat / state

ହାତୀ ଘଉଡାଇବା ଯାଇଥିଲେ ରେଞ୍ଜର, ଦଳିଦେଲା ଦନ୍ତା

author img

By ETV Bharat Odisha Team

Published : Dec 10, 2023, 3:21 PM IST

Etv Bharat
Etv Bharat

Ranger killed in Elephant Attack: କଳାହାଣ୍ଡିରେ ହାତୀ ଆକ୍ରମଣରେ ରେଞ୍ଜରଙ୍କ ମୃତ୍ୟୁ ହୋଇଛି । ହାତୀ ଘଉଡାଇବା ପାଇଁ ଯାଇଥିବା ବେଳେ ଦଳି ଦେଇଥିଲା ଦନ୍ତା । ଅଧିକ ପଢନ୍ତୁ

ଦନ୍ତା ଆକ୍ରମଣରେ ରେଞ୍ଜର ମୃତ

ଭବାନୀପାଟଣା: ହାତୀ ଘଉଡାଇବା ପାଇଁ ଯାଇ ପ୍ରାଣ ହରାଇଲେ ରେଞ୍ଜର । ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ ଅଞ୍ଚଳରେ । ଯାମପଦର ଗାଁରେ ହାତୀପଲ ପଶି ବ୍ୟାପକ କ୍ଷତିକ୍ଷତି କରୁଥିବା ନେଇ ଖବର ପାଇବା ପରେ ଘଟଣାସ୍ଥଳକୁ ଯାଇଥିଲେ ନର୍ଲା ରେଞ୍ଜର ପ୍ରଶାନ୍ତ ପାଲୋ । ହେଲେ ହାତୀ ଘଉଡାଇବା ସମୟରେ ତାଙ୍କୁ ଦନ୍ତା ହାତୀଟିଏ ଦଳି ଦେଇଥିଲା । ତେବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର ବେଳେ ଅଧ ରାସ୍ତାରେ ରେଞ୍ଜର ଜଣକ ଆଖି ବୁଜିଛନ୍ତି ।

ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ ର ଯାମପଦର ଗାଁରେ ହାତୀ ପଲ ପଶି ଉପଦ୍ରବ କରିବା ସହ ବ୍ୟାପକ କ୍ଷୟକ୍ଷତି କରୁଥିବା ନେଇ ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେଇଥିଲେ । ଏହାପରେ ନର୍ଲା ରେଞ୍ଜର ପ୍ରଶାନ୍ତ ପାଲୋ ନିଜ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ଏକ ଦନ୍ତା ହାତୀ ତାଙ୍କ ଉପରକୁ ଆକ୍ରମଣ କରିଥିଲା ।

ଏହାମଧ୍ୟ ପଢନ୍ତୁ..ଅନୁଗୋଳରେ ହାତୀ ଆକ୍ରମଣରେ 2 ମୃତ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ଦନ୍ତା ଦଳି ଦେବାରୁ ରେଞ୍ଜର ଜଣକ ଗୁରୁତର ଆହତ ହୋଇଥିଲେ । ବନ ବିଭାଗର ଅନ୍ୟ କର୍ମଚାରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ନର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ସ୍ବାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଡାକ୍ତର ପ୍ରାଥମିକ ଚିକିତ୍ସା କରି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ହେଲେ ଆମ୍ବୁଲାନ୍ସରେ ଭବାନୀପାଟଣା ଚିକିତ୍ସାଳୟକୁ ଯିବା ବାଟରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ..ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ: ଫରେଷ୍ଟର ନିଲମ୍ବିତ, ଗାର୍ଡଙ୍କୁ ଜବାବ ତଲବ

ତେବେ ରେଞ୍ଜର ପ୍ରଶାନ୍ତ ପାଲୋ ଦୀର୍ଘ ଦୁଇ ବର୍ଷ ଧରି ନର୍ଲା ରେଞ୍ଜ ଦାୟିତ୍ୱରେ ଥିବା ବେଳେ ତାଙ୍କ ପ୍ରକୃତ ଘର କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ସହରରେ ଅଟେ । ଘରେ ତାଙ୍କର ସ୍ତ୍ରୀ ଓ ୧୨ ବର୍ଷର ଏକ ପୁଅ ଥିବା ଜଣାପଡିଛି । କର୍ତ୍ତବ୍ୟରତ ଅବସ୍ଥାରେ ରେଞ୍ଜର ପ୍ରଶାନ୍ତ ପାଲୋଙ୍କ ମୃତ୍ୟୁ ଘଟଣାକୁ ନେଇ ସବୁଠି ଦୁଃଖର ଛାୟା ଖେଳିଯାଇଛି । ତେବେ ଏଭଳି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.