ETV Bharat / state

କଳାହାଣ୍ଡିରେ କମୁନି ଦାଦନ ଦୁଃଖ, ଆତ୍ମୀୟଙ୍କୁ ହରାଇ କାନ୍ଦୁଛି ପରିବାର

author img

By

Published : Mar 19, 2023, 4:58 PM IST

migrant labour problem in kalahandi
କଳାହାଣ୍ଡିରେ କମୁନି ଦାଦନ ଦୁଃଖ

କଳାହାଣ୍ଡିରେ ଦାଦନ ଦୁଃଖ ବଢିବାରେ ଲାଗିଛି । ପରିବାର ପେଟରେ ଦାନ ଯୋଗାଡ ପାଇଁ ଭିଟାମାଟି ଛାଡିଥିବା ଲୋକର ମୃତଦେହ ଭିଟାମାଟିକୁ ଫେରୁଛି । ଆତ୍ମୀୟଙ୍କୁ ହରାଇ ପରିବାର ଶୋକରେ ବୁଡୁଛି । ଅଧିକ ପଢନ୍ତୁ

କଳାହାଣ୍ଡିରେ କମୁନି ଦାଦନ ଦୁଃଖ

ଭବାନୀପାଟଣା: ଅସହ୍ୟ ହେଉଛି ଦାଦନ ଦୁଃଖ । ସ୍ବପ୍ନ ପାଣି ଫୋଟକା ପରି ମିଳେଇ ଯାଉଛି । ପେଟ ପରିବାର ପାଇଁ ଭିଟାମାଟ ଛାଡିଥିବା ଯୁବକର ମୃତଦେହ ଘରକୁ ଫେରୁଛି । ରାଜ୍ୟର କଳାହାଣ୍ଡି ଜିଲ୍ଲାରେ ଦାଦନ ଦୁଃଖ ଲାଗି ରହିଛି । ରୋଜଗାର ଆଶାରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଉଛନ୍ତି । ଏସବୁ ଭିତରେ ସେମାନେ ବିଭିନ୍ନ ଦୁର୍ଘଟଣାର ଶୀକାର ହୋଇ ଅଚଳ ହୋଇଛନ୍ତି ତ ଆଉ କେତେବେଳେ ମୃତ୍ୟୁ ମୁଖରେ ପଡୁଛନ୍ତି । ଆଉ ଏ ସବୁକୁ ଦେଖିଲେ ଲାଗେ ସତେ ଯେମିତେ ସାଧାରଣ ଲୋକଙ୍କ ସାମଗ୍ରିକ ବିକାଶକୁ ନେଇ ନିଜକୁ ଉତ୍ତର ଦାୟୀ ମଣୁ ଥିବା ସରକାରୀ ଯୋଜନା କେବଳ ବାହଷ୍ପାଟ ପାଲଟିଛି । ସେମିତି ଦାଦନ ଦୁଃଖ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଭେଲଗାଁର ଜାଜ୍ଞସେନୀ ନାଏକଙ୍କ ଜୀବନରେ ।

ଜାଜ୍ଞସେନୀ ନାଏକଙ୍କ ବାପାମାଆ ଯିବା ପରେ ବଡଭାଇ ହିଁ ତାଙ୍କର ସାହାର ଥିଲେ । ଭଉଣୀର ବିବାହ କରାଇବା ଆଶାରେ ଗାଁରେ କାମଧନ୍ଦା ଅଭାବ ଯୋଗୁଁ ଭାଇ ଧନିରାମ ଦାଦନ ଖଟିବାକୁ ଚେନ୍ନାଇ ଗଲେ । ଧନିରାମ ସେଠାରେ ଏକ କନଷ୍ଟ୍ରକ୍ସନ କମ୍ପାନୀରେ ଶ୍ରମିକଭାବେ କାମ କରୁଥିଲେ । ସେଠାରେ କାମ କରୁଥିବା ସମୟରେ ତାଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଥିଲା । ମାଲିକ ସହାୟତାରେ ତାଙ୍କ ମୃତଦେହ ଗାଁକୁ ପହଞ୍ଚିଛିଥିଲା । ଆଉ ସାଙ୍ଗରେ ଆସିଥିଲା କେବଳ ୩୦ ହଜାର ଟଙ୍କା । ଅନେକ ଆଶା ଓ ସ୍ବପ୍ନ ନେଇ ଦାନା ପାଇଁ ଦାଦନ ଯାଇଥିବା ଧନୀରାମ ନିଜେ ତ ଫେରି ପାରିଲେନି ମାତ୍ର ତାଙ୍କ ମୃତଦେହ ଫେରିଥିଲା । ତାଙ୍କ ମୃତ୍ୟୁରେ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏବେ ଅସହାୟ ହୋଇ ପଡିଛନ୍ତି ଜାଜ୍ଞସେନୀ । ଭାଇର ମୃତ୍ୟୁ ପରେ ଏବେ ଅସହାୟ ଜାଜ୍ଞସେନୀ ଭାଇର କଥା କହି ବାହୁନିବାହୁନି କାନ୍ଦୁଛନ୍ତି । ଆଉ ଭଉଣୀ ଆଖିର ଲୁହ ପୋଛିବା ପାଇଁ ତା ପାଖରେ ଆଉ କେହିନାହିଁ । ପ୍ରଶାସନ ପକ୍ଷରୁ ପୀଡିତ ପରିବାରଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଆସନ୍ତା ଦିନରେ ଜାଜ୍ଞସେନୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ତେବେ ଏନେଇ ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । କେବେ ସରିବ ଏ ଦାଦନ ଦୁଃଖ । ସରକାର ଏ ଦିଗରେ ଦୃଷ୍ଟି ଦେବାର ଆବଶ୍ୟକ ରହିିଛି ।

ଇଟିଭି ଭାରତ,କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.