ETV Bharat / state

ପ୍ରତିଶୃତି ଦେଇ ଭୁଲିଗଲେ ସରକାର, ପୁଣି ରାଜରାସ୍ତାରେ ଗର୍ଜିଲେ ଅଙ୍ଗନବାଡି କର୍ମୀ

author img

By

Published : Mar 9, 2023, 4:19 PM IST

anganwadi worker protest i
anganwadi worker protest i

ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କର ଆସୋସିଏସନ ପକ୍ଷରୁ ୮ ଦଫା ଦାବି ନେଇ କଳାହାଣ୍ଡିରେ ବିକ୍ଷୋଭ ପ୍ରଦର୍ଶନ। ଅଧିକ ପଢନ୍ତୁ

anganwadi worker protest i

ଭବାନୀପାଟଣା: 8ଦଫା ଦାବି ନେଇ କଳାହାଣ୍ଡିରେ ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ। ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କର ଆସୋସିଏସନ ପକ୍ଷରୁ କରାଯାଇଛି ବିକ୍ଷୋଭ । ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ବ ସମୟ ଧରି ଜିଲ୍ଲାର ୧୩ ଗୋଟି ବ୍ଳକରେ ଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଗୁଡ଼ିକରେ ଆମରଣ ଅନଶନରେ ବସିଥିଲେ ଅଙ୍ଗନବାଡି କର୍ମୀ । ଏହା ପରେ ସରକାର ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ କର୍ମୀ ହେଲେ ଆଜିଯାଏଁ ସେହି ପ୍ରତିଶ୍ରୁତି ପୂରଣ ହେଲା ନାହିଁ। ଏନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଙ୍ଗନବାଡି କର୍ମୀ ।


ଆଜି ବିଭିନ୍ନ ଦାବି ଲିଖିତ ପ୍ଲାକାର୍ଡ ସାଙ୍ଗକୁ ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରା ମାଧ୍ୟମରେ ସହର ପରିକ୍ରମା ଥିଲେ ଅଙ୍ଗନବାଡି କର୍ମୀ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଆଗାମୀ ସମୟରେ ସେମାନଙ୍କ ଦାବି ପୂରଣ ନ ହେଲେ ବାଧ୍ୟ ହୋଇ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।


ସେହିପରି ଶୋଭାଯାତ୍ରାରେ ଅଙ୍ଗନବାଡି କର୍ମଚାରୀମାନେ ସେମାନଙ୍କ ନିଯୁକ୍ତିକୁ ସରକାରୀ ମାନ୍ୟତା ଦେବାପାଇଁ ଦାବି କରିଛନ୍ତି । ଏହାସହ କର୍ମୀମାନଙ୍କୁ ମାସିକ ୨୧ ହଜାର ଟଙ୍କା ଏବଂ ସହାୟିକାମାନଙ୍କୁ ମାସିକ ୧୫ ହଜାର ଟଙ୍କା ଦରମା ପ୍ରଦାନ ପାଇଁ ଦାବି ଏବଂ ମିନି ଅଙ୍ଗନବାଡିକର୍ମୀଙ୍କୁ ଅଙ୍ଗନବାଡି କର୍ମୀର ମାନ୍ୟତା ଭଳି ୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଶୋଭାଯାତ୍ରାରେ ଭବାନୀପାଟଣା ବାଲାଜି ମନ୍ଦିର ଠାରୁ ୨ ହଜାରରୁ ଊର୍ଦ୍ଧ୍ବ ଅଙ୍ଗନବାଡି କର୍ମୀ ଓ ପାଚିକା କର୍ମୀ ସାମିଲ ହୋଇଥିଲେ । ଏନେଇ ରାଜରାସ୍ତାରେ ଶୋଭାଯାତ୍ରା ଯୋଗୁଁ ଦୀର୍ଘ ସମୟ ଧରି ଚକଅଖ ଜାମ ହୋଇଥିଲା ।


ସେପଟେ ଯଥାଶୀଘ୍ର ରାଜ୍ୟ ସରକାର ଅଙ୍ଗନବାଡି କର୍ମୀଙ୍କ ଦାବିକୁ ପୂରଣ ନ କଲେ ଆସନ୍ତା ଦିନରେ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଅଙ୍ଗନବାଡି କର୍ମୀ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ଅଲ୍ ଓଡ଼ିଶା ଅଙ୍ଗନବାଡି ଲେଡିଜ ଆସୋସିଏସନ କହିଛନ୍ତି ଯେ, ଗତ ନଭେମ୍ବର ୨୧ରୁ ଆମେ ଯେଉଁ ଧାରଣା ଜାରି ରଖିଛୁ ତାହାର ସମାଧାନ ଏଯାଏଁ ହୋଇନି । ଏହା ସହ ସରକାର ଆମ ଦାବିକୁ କର୍ଣ୍ଣପାତ କରୁନାହାଁନ୍ତି । ଏନେଇ ଜିଲ୍ଲାପାଳଙ୍କୁ ଭେଟି ଆମ ସମସ୍ୟାର ସମାଧାନ ପାଇଁ ଜଣାଇବା ସହିତ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବୁ।

ତେବେ ଆମର ପ୍ରଥମ ଦାବି ହେଲା ଆମର ଯେଉଁ ୬ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ବହିଷ୍କାର କରିଯାଇଛି ତାଙ୍କୁ ପୁନଃ ନିଯୁକ୍ତି ଦିଆଯାଉ । ଯେ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ମାନ୍ୟତା ନ ମିଳିଛି ଆମକୁ ମାସିକ ୧୮ ହଜାର ଟଙ୍କା ଦରମା ଦିଆଯାଉ । ସେହିପରି ଅବସରକାଳୀନ ୫ ଲକ୍ଷ ଟଙ୍କା ଗ୍ରାଚ୍ୟୁଇଟି ଓ ମାସିକ ୨ ହଜାର ଟଙ୍କା ପେନସନ ସହ ସମସ୍ତ ମିନି ଅଙ୍ଗନବାଡି କେନ୍ଦ୍ରକୁ ଅଙ୍ଗନବାଡି ଘୋଷଣା କରାଯାଉ ।

ଏଥିସହ ସହାୟିକାମାନଙ୍କୁ ମାସିକ ଅନ୍ୟୁନ ୯ ହଜାର ଟଙ୍କା ଦରମା ପ୍ରଦାନ ସହିତ କୌଣସି ଅଙ୍ଗନବାଡି କର୍ମଚାରୀ ଅକର୍ମଣ୍ୟ ହେଲେ ତାଙ୍କୁ ଅନ୍ୟୁନ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉ । ଏଥିସହ ଗାଁ ସମିତି ଅଧୀନରୁ ସମ୍ପୂର୍ଣ୍ଣ ମୁକ୍ତ କରାଯାଉ ବୋଲି ଅଙ୍ଗନବାଡି କର୍ମୀ ପ୍ରକାଶ କରିଛନ୍ତି।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.