ETV Bharat / state

ସମାଲୋଚନା ପରେ ସଫଳତା, ଘୁଷୁରୀ ଚାଷ କରି ଲକ୍ଷାଧିକ ରୋଜଗାର କରୁଛନ୍ତି ଯୁବ ଚାଷୀ

author img

By

Published : Jun 20, 2021, 7:31 PM IST

Updated : Jun 20, 2021, 8:51 PM IST

ସଫଳ ଘୁଷୁରୀ ଚାଷୀ ପ୍ରାଶନ୍ତ
ସଫଳ ଘୁଷୁରୀ ଚାଷୀ ପ୍ରାଶନ୍ତ

ଘୁଷୁରୀ ଚାଷ ବି ରୋଜଗାର ଦେଇପାରେ । ଘୁଷୁରୀ କଥା ପଡିଲେ ମନରେ ଘୃଣା ଭାବ ଆସିଥବା ନଜରକୁ ଆସିଛି । ହେଲେ ଏହି ଚାଷରୁ ବର୍ଷକୁ ପାଖାପାଖି 15ଲକ୍ଷ ଟଙ୍କା ରୋଜଗାର କରିହୁଏ ତାକୁ ପ୍ରମାଣିତ କରିଛନ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ମାଣତୀରା ଗ୍ରାମର ପ୍ରଶାନ୍ତ ଦେଓ । ଅଧିକ ପଢନ୍ତୁ...

ଯାଜପୁର: ପାଠ ନ ପଢିଲେ ଘୁଷୁରୀ ଚାଷ କରିବୁ । ସାଧାରଣତଃ ପାଠ ପଢିବାକୁ ଅମଙ୍ଗ ହେଉଥିବା ପିଲାମାନଙ୍କୁ ଘରଲୋକ ଏହି କଥା କହି ଗାଳି ଦିଅନ୍ତି । ଘୁଷୁରୀ ଚାଷ ବି ରୋଜଗାର ଦେଇପାରେ । ଘୁଷୁରୀ କଥା ପଡିଲେ ମନରେ ଘୃଣା ଭାବ ଆସିଥବା ନଜରକୁ ଆସିଛି । ହେଲେ ଏହି ଚାଷରୁ ବର୍ଷକୁ ପାଖାପାଖି 15ଲକ୍ଷ ଟଙ୍କା ରୋଜଗାର କରିହୁଏ ତାକୁ ପ୍ରମାଣିତ କରିଛନ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ମାଣତୀରା ଗ୍ରାମର ପ୍ରଶାନ୍ତ ଦେଓ ।

ଘୁଷୁରୀ ଚାଷ କରି ଲକ୍ଷାଧିକ ରୋଜଗାର କରୁଛନ୍ତି ଯୁବ ଚାଷୀ

ପ୍ରଶାନ୍ତ ପ୍ରଥମେ ଠିକାଦାର ଭାବରେ କାମ କରୁଥିଲେ । ଠିକା ସଂସ୍ଥାରେ କ୍ଷତି ସହିବା ପରେ ସେହି କାମକୁ ଛାଡି ଦେଇଥିଲେ ପ୍ରଶାନ୍ତ । ଏହା ପରେ କିଛି ଚାଷ କରିବାରୁ ମନ ବଳାଇଥିଲେ । ଚାଷ କରିବା ପାଇଁ ୟୁଟ୍ୟୁବରୁ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ । ଏହା ପରେ ଘୁଷୁରୀ ଚାଷ ପ୍ରତି ମନ ବଳାଇଥିଲେ ପ୍ରଶାନ୍ତ । ଜଣେ ସମ୍ପର୍କୀୟଙ୍କ ସହଯୋଗରେ ଉତ୍ତରପ୍ରଦେଶ ଯାଇ ସେଠାରେ ଘୁଷୁରୀ ଚାଷ ସମ୍ପର୍କରେ ତାଲିମ ନେଇଥିଲେ । ସେଠାରୁ ଆସି ଗାଁରେ ଥିବା ନିଜର ୩ ଏକର ଜମିରେ ଏକ ଫାର୍ମ କରି ଧଳା ଘୁଷୁରୀ ଚାଷ ଆରମ୍ଭ କରିଥିଲେ । ପ୍ରଥମେ ଉତ୍ତରପ୍ରଦେଶ ଓ ଛତିଆରୁ ୨୫ଟି ମାଈ ଓ ୪ ଟି ଅଣ୍ଡିରା ଘୁଷୁରୀ ଆଣି ଫାର୍ମରେ ଛାଡିଥିଲେ । ଛଇମାସ ପରେ ମାଈ ଘୁଷୁରୀ ଛୁଆ ଦେବା ଆରମ୍ଭ କରିଥିଲା । ଧିରେ ଧିରେ ପ୍ରଶାନ୍ତଙ୍କ ଫାର୍ମରେ ଘୁଷୁରୀଙ୍କ ସଂଖ୍ୟା ବଢିଥିଲା । ଯାହା ତାଙ୍କ ପାଇଁ ରୋଜଗାରର ବାଟ ଫିଟାଇଥିଲା । ବର୍ତ୍ତମାନ ଏହି ଫାର୍ମରେ ୨୫୦ରୁ ଅଧିକ ଘୁଷୁରୀ ଅଛନ୍ତି । ଧଳା ଘୁଷୁରୀ ଚାଷ କରି ପ୍ରଶାନ୍ତ ବାର୍ଷିକ ପାଖାପାଖି ୧୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ଗୋଟେ ମାଈ ଘୁଷୁରୀ ୬ ମାସରେ ଥରେ ୮ ରୁ ୧୨ଟି ଛୁଆ ଜନ୍ମ କରିଥାଏ । କମ ଦାନା ଓ ଘାସ ଖାଇ ୬ ରୁ ୭ ମାସ ମଧ୍ୟରେ ଗୋଟିଏ ଘୁଷୁରୀ ୧୦୦ କିଲୋ ଓଜନର ହୋଇଥାଏ । ଗୋଟିଏ ଘୁଷୁରୀ ୧୨ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଦାମରେ ବିକ୍ରି ହେଉଥାଏ । ବିଭିନ୍ନ ରାଜ୍ୟରୁ ଗ୍ରାହକ ଆସି ପ୍ରଶାନ୍ତଙ୍କ ଫାର୍ମରୁ ଘୁଷୁରୀ କିଣିଥାନ୍ତି । ବର୍ତ୍ତମାନ ପଶ୍ଚିମବଙ୍ଗ ସମେତ ରାଞ୍ଚି, ଆସାମ, ନାଗାଲାଣ୍ଡ ଓ ମଣିପୁର ଆଦି ବିଭିନ୍ନ ରାଜ୍ୟକୁ ଏଠାରୁ ଘୁଷୁରୀ ବିକ୍ରି କରାଯାଉଛି । ଘୁଷୁରୀ ବିକ୍ରି କରି ଏବେ ମାସକୁ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ପ୍ରଶାନ୍ତ । କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରଥମେ ଏହି ଧଳା ଘୁଷୁରୀ ଚାଷ କରି ସମାଲୋଚନାର ଶିକାର ହୋଇଥିଲେ ପ୍ରଶାନ୍ତ । ହେଲେ ସେହି ସମାଲୋଚନାକୁ ସଫଳତାରେ ପରିଣତ କରି ନିଜେ ରୋଜଗାରକ୍ଷମ ହେବା ସହିତ ଅନ୍ୟକୁ ବି ରୋଜଗାର କରାଇବାର ବାଟ ଦେଖାଇଛନ୍ତି । ଆଧୁନିକ ଯୁଗରେ କୃଷି ପ୍ରତି ମୁହଁ ଫେରାଉଥିବା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ପ୍ରଶାନ୍ତ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ

Last Updated :Jun 20, 2021, 8:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.