ETV Bharat / state

ଯାଜପୁରରେ ବନ୍ୟା ସ୍ଥିତି ସଂଗୀନ, ଗୋଟିଏ ଦିନରେ 3 ମୃତ

author img

By

Published : Aug 30, 2020, 9:01 PM IST

Updated : Aug 30, 2020, 9:11 PM IST

Jajpur flood
Jajpur flood

ଯାଜପୁର ଜିଲାରେ ବ୍ରାହ୍ମଣୀ, ବୈତରଣୀ ଏବଂ ଖରସ୍ରୋତା ନଦୀର ଜଳସ୍ତର କମିଥିଲେ ମଧ୍ୟ ବନ୍ୟା ବିପନ୍ନଙ୍କ ଦୁଃଖ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଜିଲ୍ଲାର ୧୦ ଟି ବ୍ଲକର ୨୭୨ ଟି ପଞ୍ଚାୟତର ୧୧୭୬ ଟି ଗାଁର ୬ ଲକ୍ଷରୁ ଉର୍ଦ୍ଧ୍ବ ଲୋକେ ପ୍ରଭାବିତ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଯାଜପୁର: ଯାଜପୁର ଜିଲାରେ ପ୍ରବାହିତ ହେଉଥିବା ବ୍ରାହ୍ମଣୀ, ବୈତରଣୀ ଏବଂ ଖରସ୍ରୋତା ନଦୀର ଜଳସ୍ତର କମିଥିଲା ବେଳେ ବନ୍ୟା ବିପନ୍ନଙ୍କ ଦୁଃଖ ବଢିବାରେ ଲାଗିଛି । ଜିଲ୍ଲାର ୧୦ ଟି ବ୍ଲକର ୨୭୨ ଟି ପଞ୍ଚାୟତର ୧୧୭୬ ଟି ଗାଁର ୬ ଲକ୍ଷରୁ ଉର୍ଦ୍ଧ୍ବ ଲୋକେ ପ୍ରଭାବିତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରିଲିଫ ଘୋଷଣା କରାଯାଇଥିଲେ ମଧ୍ୟ ଜିଲ୍ଲାର କିଛି ଅଞ୍ଚଳକୁ ଛାଡି ଦେଲେ ଅଧିକାଂଶ ଅଞ୍ଚଳରେ ସରକାରୀ ସହାୟତା ପହଞ୍ଚି ପାରିନାହିଁ । ଜିଲ୍ଲାରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୪ ରେ ପହଞ୍ଚିଛି ।

ମହାବନ୍ୟା; ଯାଜପୁରରେ ସ୍ଥିତି ସଂଗୀନ, ଗୋଟିଏ ଦିନରେ 3 ମୃତ

ଜିଲ୍ଲାର ଯୁଆଡେ ଚାହିଁଲେ ସିଆଡେ ପାଣି ଓ ପାଣି । ଅନେକ ଅଞ୍ଚଳକୁ ଏଯାଏଁ ପହଞ୍ଚି ପାରିନି ପ୍ରଶାସନ । ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ଗଳି କନ୍ଦି ସବୁଆଡେ ବନ୍ୟା ପାଣିର ସୁଅ ଆଉ ସୁଅ । ଗତ ୩ ଦିନ ଧରି ଲୋକେ ପାଣି ଘେରରେ ରହିବା ପରେ କୌଣସି ସହାୟତା ନ ମିଳିବାରୁ ବାଧ୍ୟ ହୋଇ ବନ୍ୟା ପାଣିରେ ପଶି ରାସନ ଆଣିବାକୁ ବାହାରୁଛନ୍ତି । ତେବେ କିଛି ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ଦିଆ ଯାଉଥିବା ରିଲିଫ ସାମଗ୍ରୀ ଚୁଡା ଓ ବିସ୍କୁଟ ଖାଇ ଯେଣେ ତେଣେ ଥିଲେ ବିପନ୍ନ ।

ସେପଟେ ଜିଲ୍ଲାର ୬୪ ହଜାର ହେକ୍ଟର ଚାଷ ଜମି ସମ୍ପୂର୍ଣ୍ଣ ବନ୍ୟା ଜଳରେ ପ୍ରଭାବିତ ହୋଇଛି । ବର୍ଷ ଯାକର ପରିଶ୍ରମ ସବୁ ବନ୍ୟା ଧୋଇନେଇଛି । କେମିତି ବଞ୍ଚିବେ ବିପନ୍ନ ତାକୁ ନେଇ ଏବେ ଚିନ୍ତାରେ । ଜିଲ୍ଲାର ୧୦ଟି ବ୍ଲକ ମଧ୍ୟରୁ ବରୀ, ବିଞ୍ଝାରପୁର ଏବଂ ଦଶରଥପୁର ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଆଜି (ରବିବାର) ଜିଲ୍ଲାର ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ପ୍ରମୁଖ ସଚିବ ଭିଭି ଯାଦବ ଚଣ୍ଡିଖୋଲରେ ପହଞ୍ଚି ଥିଲେ । ପ୍ରମୁଖ ସଚିବ ଭିଭି ଯାଦବ ସେଠାରେ ବନ୍ୟା ପରିସ୍ଥିତିର ସମୀକ୍ଷା କରି ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ତେବେ ବରୀରେ ବନ୍ୟା ପରିସ୍ଥିତି ଉଦବେଗ ଜନକ ଥିବାରୁ ସେଠାରେ ୨୦ ରୁ ଅଧିକ ଅଧିକାରୀ ନିଯୁକ୍ତ ହୋଇଛନ୍ତି ।

ଜିଲ୍ଲାରେ ବର୍ତ୍ତମାନ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଅଗ୍ନିଶମ ବାହୀନି ଓ ଓଡ୍ରାଫ ବାହୀନି ନିୟୋଜିତ ହୋଇଛନ୍ତି । ଆଜି (ରବିବାର) ଗୋଟିଏ ଦିନରେ ୩ ଜଣଙ୍କର ବନ୍ୟା ଜନିତ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ୨ ଜଣ ବରୀ ବ୍ଲକ ଅରଙ୍ଗାବାଦ ଓ ଭଅଁରା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଅନ୍ୟ ଜଣେ ଧର୍ମଶାଳା ବ୍ଲକ ସାନନହନଗର ଅଞ୍ଚଳର ବୋଲି ଜଣାପଡିଛି ।

ଚଳିତ ବର୍ଷର ମହାବନ୍ୟା ପୂର୍ବର ୨୦୧୧ ବନ୍ୟାର ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ବିପନ୍ନ ମାନଙ୍କୁ ଥଇଥାନ ପାଇଁ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବା ବାର୍ତ୍ତମାନ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି ।

ଯାଜପୁରରୁ ଜ୍ଞାନ ରଞ୍ଚନ ଓଝା, ଇଟିଭି ଭାରତ

Last Updated :Aug 30, 2020, 9:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.