ETV Bharat / state

ଥାନାରେ ନିର୍ଦ୍ଦୋଷ ଯୁବକଙ୍କୁ ଥାର୍ଡ ଡିଗ୍ରୀ, ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ପରିବାର

author img

By

Published : Mar 13, 2023, 10:39 PM IST

ଜଗତସିଂହପୁରରେ ନିର୍ଦ୍ଦୋଷ ଯୁବକଙ୍କୁ ପୋଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପୀଡିତ ଯୁବକଙ୍କ ପରିବାର ଲୋକେ ଜିଲ୍ଲା ଏସ୍‌ପି, ପୋଲିସ ମହାନିର୍ଦ୍ଦେଶକଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିବା ସହ ଯୁବକଙ୍କ ମେଡିକାଲ ରିପୋର୍ଟ ମଧ୍ୟ ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ

ଥାନାରେ ନିର୍ଦ୍ଦୋଷ ଯୁବକଙ୍କୁ ଥାର୍ଡ ଡିଗ୍ରୀ
ଥାନାରେ ନିର୍ଦ୍ଦୋଷ ଯୁବକଙ୍କୁ ଥାର୍ଡ ଡିଗ୍ରୀ

ଥାନାରେ ନିର୍ଦ୍ଦୋଷ ଯୁବକଙ୍କୁ ଥାର୍ଡ ଡିଗ୍ରୀ

ଜଗତସିଂହପୁର: ସଦର ଥାନାରେ ସୀମା ଟପିଲା ପୋଲିସର ନିର୍ଯାତନା । ଅନୁସୂଚିତ ଜାତିର ଜଣେ ଶିକ୍ଷିତ ଯୁବକଙ୍କୁ ଥାନା ହାଜତରେ ତିନି ଦିନ ରଖିବା ସହ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଗୋଡ଼ ହାତବାନ୍ଧି ଏକ ପାଇପ ଯୋଗେ ତିନି ଦିନ ଧରି ମାଡ଼ ମାରିବା ସହ ଗୁରୁତର ଅବସ୍ଥାରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଦେବା ଘଟଣା ପଦାକୁ ଆସିବା ପରେ ପୋଲିସର ଏଭଳି କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି । ଏହାକୁ ନେଇ ପୀଡିତ ଯୁବକଙ୍କ ପରିବାର ଲୋକେ ଜିଲ୍ଲା ଏସ୍‌ପି, ପୋଲିସ ମହାନିର୍ଦ୍ଦେଶକଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିବା ସହ ଯୁବକଙ୍କ ମେଡିକାଲ ରିପୋର୍ଟ ମଧ୍ୟ ପ୍ରଦାନ କରିଛନ୍ତି ।

ମିଳିଥିବା ଖବର ଅନୁସାରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ତରଡାପଡା ଅଞ୍ଚଳର ୨୭ ବର୍ଷୀୟ ନିହାର ରଞ୍ଜନ ମଲ୍ଲିକ ଗତ ୪ ତାରିଖ ଦିନ ନିଜ ଅଜାଙ୍କ ଏକାଦଶାହ ଭୋଜିରେ ଥିବାବେଳେ ଜଗତସିଂହପୁର ପୋଲିସ ତାଙ୍କୁ ସେଠାରୁ ଉଠାଇ ନେଇଥିଲା । ପରିବାର ଲୋକଙ୍କୁ କେଉଁ କାରଣକୁ ନେଇ ନିହାରଙ୍କୁ ଅଟକ ରଖା ଯାଇଛି ସେ ସମ୍ପର୍କରେ ପୋଲିସ ମୁହଁ ଖୋଲିନଥିଲା । ତେବେ ସେହି ୪ ତାରିଖ ଦିନ ଜଣେ ଶିକ୍ଷୟିତ୍ରୀଙ୍କ ବେକରୁ ଏକ ସୁନାଚେନ ଚୋରୀ ହୋଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ସେହି ଘଟଣାକୁ ନେଇ ପୋଲିସ ନିହାରଙ୍କୁ ଅଟକ ରଖିଥିବା ଜଣାପଡ଼ିଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଚେନ ଲୁଟ ସ୍ଥାନର ସିସିଟିଭି ଫୁଟେଜ ଜବତ ହୋଇଥିଲା । ଏହାସହ ଚୋରୀର ଶିକାର ହୋଇଥିବା ଶିକ୍ଷୟିତ୍ରୀ ମଧ୍ୟ ନିହାର ଲୁଟ କରିନଥିବା ପୋଲିସକୁ କହିଥିଲେ । ଏହା ପୂର୍ବରୁ ପୋଲିସ ନିହାରଙ୍କୁ ପ୍ରବଳ ମାଡ଼ ମାରି ଥାନାରେ ଥାର୍ଡ ଡିଗ୍ରୀ ଦେଇଥିବାରୁ ଏହି ଘଟଣା ପଦାରେ ପଡିଯିବା ଭୟରେ ସେହିଦିନ ନିହାରଙ୍କୁ ଛାଡ଼ି ନଥିଲା ।

ଯାହାକୁ ନେଇ ଥାନା ପରିସରରେ ତରଡାପଡା ଗ୍ରାମବାସୀମାନେ ହୋହଲ୍ଲା କରିବା ସହିତ ଧାରଣାରେ ବସିଥିଲେ । ପୋଲିସ ଶେଷରେ ପୀଡିତ ନିହାରଙ୍କ ଠାରୁ ଦୁଇଟି ସାଦା କାଗଜରେ ଦସ୍ତଖତ ରଖି ଛାଡି ଦେଇଥିଲା । ଥାନାରୁ ନିହାର ଆସିବା ପରେ ଅବସ୍ଥା ଗୁରୁତର ଦେଖି ପରିବାର ଲୋକେ ତାଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପୋଲିସ ମାଡ଼ରେ ତାଙ୍କର ପିଠି ଫାଟି ଯାଇଥିବା ବେଳେ ଅଣ୍ଟା ଜଙ୍ଘରେ ଗୁରୁତର କ୍ଷତ ସୃଷ୍ଟି ହୋଇଛି । ବିନା ଦୋଷରେ ପୋଲିସର ଏହି ଅମାନୁଷିକ ଭାବେ ମାଡ଼କୁ ବିରୋଧ କରି ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଭାବେ ଜଗତସିଂହପୁର ଥାନା ଅଧିକାରୀ ଶୁଭ୍ରାଂଶୁ ପରିଡାଙ୍କ ସମେତ ASI ଚିରଞ୍ଜିବୀ ବେହେରା ଓ ପ୍ରତାପ ଦାସଙ୍କ ନାମ ରହିଛି । ଏନେଇ ଆମେ ଜଗତସିଂହପୁର ଏସ୍‌ପି ରାହୁଲ ପିଆରଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି । ଯଦି ଏହି ଘଟଣା ସତ ସାବ୍ୟସ୍ତ ହୁଏ, ତେବେ ଲୋକେ ନ୍ୟାୟ ପାଇଁ କାହା ନିକଟକୁ ଯିବେ ବୋଲି ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.