ETV Bharat / state

ପଣ୍ୟ କାରବାରରେ ପାରାଦ୍ୱୀପ ବନ୍ଦରର ରେକର୍ଡ, ଦେଶର ସମସ୍ତ ପୋର୍ଟକୁ ପଛରେ ପକାଇଲା

author img

By

Published : Aug 11, 2023, 9:46 PM IST

ପାରାଦ୍ୱୀପ ବନ୍ଦରର ନୂଆ ରେକର୍ଡ
ପାରାଦ୍ୱୀପ ବନ୍ଦରର ନୂଆ ରେକର୍ଡ

ପଣ୍ୟ କାରବାର କ୍ଷେତ୍ରରେ ସାରା ଦେଶରେ ଏକ ନୂତନ ରେକର୍ଡ କରିଛି ପାରାଦ୍ବୀପ ବନ୍ଦର । ଗତବର୍ଷର ଅବଧିଠାରୁ ଚଳିତ ବର୍ଷ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ଅଧିକ ରହିଛି । ଅଧିକ ପଢନ୍ତୁ

ପାରାଦ୍ୱୀପ ବନ୍ଦରର ନୂଆ ରେକର୍ଡ

ଜଗତସିଂହପୁର: ପାରାଦ୍ୱୀପ ବନ୍ଦର ପଣ୍ୟ କାରବାର କ୍ଷେତ୍ରରେ ସାରା ଦେଶରେ ଏକ ନୂତନ ରେକର୍ଡ କରିଛି । ଚଳିତ ଆର୍ଥିକ ବର୍ଷର ୧୨୯ ଦିନରେ ପାରାଦ୍ୱୀପ ବନ୍ଦର ୫୦ ମେଟ୍ରିକ ମିଲିୟନ ଟନ (M.M.T) ପଣ୍ୟ କାରବାର କରି ଦେଶର ଅନ୍ୟ ସମସ୍ତ ବନ୍ଦରକୁ ପଛରେ ପକାଇଛି । ଏହାକୁ ନେଇ ବନ୍ଦର ଅଧ୍ୟକ୍ଷ ଏକ ପ୍ରେସ ବାର୍ତ୍ତାରେ ଜଣାଇବା ସହିତ ଏହି ସଫଳତା ପାଇଁ ସେ ବିଭାଗୀୟ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବନ୍ଦର ଅଧ୍ୟକ୍ଷ କହିଛନ୍ତି, "ସାରା ଦେଶରେ ଏକ ନୂତନ ରେକର୍ଡ କରିଛି ପାରାଦ୍ବୀପ ବନ୍ଦର । କେନ୍ଦ୍ର ସରକାର ପାରାଦ୍ୱୀପ ବନ୍ଦରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଫଳରେ ପାରାଦ୍ୱୀପ ବନ୍ଦର ଦିନକୁ ଦିନ ସଫଳତାର ପାହାଚ ଚଢିଚଢି ଯାଉଛି । ଆଗାମୀ ଦିନରେ ପଣ୍ୟ କାରବାର କ୍ଷେତ୍ରରେ ସମଗ୍ର ବିଶ୍ୱରେ ପାରାଦ୍ୱୀପ ବନ୍ଦର 1 ନମ୍ବର ବନ୍ଦର ଭାବେ ପରିଗଣିତ ହେବ ।" ତେବେ ଅଗଷ୍ଟ ମାସ ୮ ତାରିଖ ସୁଦ୍ଧା ପାରାଦ୍ୱୀପ ବନ୍ଦର ୫୦ ମେଟ୍ରିକ ମିଲିୟନ ଟନ୍‌ ପଣ୍ୟ କାରବାର କରିଥିବା ନେଇ ବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି ।

ଗତବର୍ଷର ଅବଧିଠାରୁ ଚଳିତ ବର୍ଷ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ଅଧିକ ରହିଛି । ଗତବର୍ଷ ପାରାଦ୍ୱୀପ ବନ୍ଦରକୁ ମୋଟ ୮ଶହ ୧୨ ଟି ଜାହଜ ଚଳାଚଳ କରିଥିବାବେଳେ ଚଳିତ ଥର ପାରାଦ୍ୱୀପ ବନ୍ଦରକୁ ବିଦେଶରୁ ୯୧୨ଟି ଜାହଜ ଚଳାଚଳ କରିଛି । ଯାହାକି ଏକ ମାଇଲ ଖୁଣ୍ଟ ବୋଲି ବନ୍ଦର ପକ୍ଷରୁ କୁହାଯାଇଛି । ତେବେ ବନ୍ଦର ଅଧିକାରୀ, କର୍ମଚାରୀ ଓ ଶିଳ୍ପ ସଂସ୍ଥାର ନିରବଚ୍ଛିନ୍ନ କାର୍ଯ୍ୟ ଯୋଗୁଁ ଏହି ସଫଳତା ମିଳିଥିବା ନେଇ ବନ୍ଦର ପକ୍ଷରୁ କୁହାଯାଇଛି ।

ଏହା ବି ପଢନ୍ତୁ...ପାରାଦୀପ ବନ୍ଦରରେ ବିଶାଳ ପଣ୍ୟବାହୀ ଜାହାଜ

ତେବେ ପଣ୍ୟ କାରବାର କ୍ଷେତ୍ରରେ ସାରା ଦେଶରେ ଏକ ନୂତନ ରେକର୍ଡ କରିଛି ପାରାଦ୍ବୀପ ବନ୍ଦର । ଯାହା ଏକ ମାଇଲ ଖୁଣ୍ଟ ବୋଲି ବନ୍ଦର ପକ୍ଷରୁ କୁହାଯାଇଥିବାବେଳେ କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଛନ୍ତି ବନ୍ଦର କର୍ତ୍ତୃପକ୍ଷ । ଏନେଇ ବିଭାଗୀୟ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଆଗାମୀ ଦିନରେ ପଣ୍ୟ କାରବାର କ୍ଷେତ୍ରରେ ବିଶ୍ୱରେ ପାରାଦ୍ୱୀପ ବନ୍ଦର 1 ନମ୍ବର ସ୍ଥାନ ହାସଲ କରିବା ନେଇ ଆଶା ପୋଷଣ କରାଯାଇଛି । ଦେଶର ସମସ୍ତ ପୋର୍ଟକୁ ପଛରେ ପକାଇ ପଣ୍ୟ କାରବାରରେ ପାରାଦ୍ୱୀପ ବନ୍ଦର ରେକର୍ଡ ସୃଷ୍ଟି କରିବା ରାଜ୍ୟ ପାଇଁ ଗୌରବ ଆଣିଛି । ବାଣିଜ୍ୟ କ୍ଷେତ୍ରରେ ରାଜ୍ୟ ତଥା ଦେଶର ଅଭିବୃଦ୍ଧି ଘଟିବ ବୋଲି ଆଶା ସଞ୍ଚାର ହୋଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.