ETV Bharat / state

ଡକାୟତି ଗ୍ୟାଙ୍ଗ ଠାବ କଲା ଦିଗପହଣ୍ଡି ପୋଲିସ, ମହିଳା ସମେତ 3 ଯୁବକ ଗିରଫ

author img

By

Published : Jun 22, 2021, 9:44 AM IST

ଚୋରି ଗ୍ୟାଙ୍ଗକୁ ଠାବ କଲା ଦିଗପହଣ୍ଡି ପୋଲିସ, ମହିଳା ସମେତ 3 ଯୁବକ ଗିରଫ
ଚୋରି ଗ୍ୟାଙ୍ଗକୁ ଠାବ କଲା ଦିଗପହଣ୍ଡି ପୋଲିସ, ମହିଳା ସମେତ 3 ଯୁବକ ଗିରଫ

ଚୋରି ସାମଗ୍ରୀ ସମେତ ୫ ଭରି ସୁନାଗହଣା ଓ ନଗଦ ୨୫ ହଜାର ଟଙ୍କା ଜବତ କରିଛି । ତା ସହ ଗ୍ୟାଙ୍ଗର 3 ଜଣ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

ବ୍ରହ୍ମପୁର: ଚୋରି ଗ୍ୟାଙ୍ଗକୁ ଠାବ କଲା ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ପୋଲିସ । ଯେଉଁଥିରେ ଜଣେ ମହିଳା ସମେତ ତିନି ଜଣ ଯୁବକଙ୍କୁ ଗିରଫ କରାଯାଇଛି । ଜିଲ୍ଲାର ଦିଗପହଣ୍ଡି ପୋଲିସକୁ ଏକ ବଡ଼ ସଫଳତା ମିଳିଥିବା ଜଣାପଡିଛି । ଦୀର୍ଘ ଦିନ ଧରି ଦିଗପହଣ୍ଡି ଏବଂ ଆଖପାଖ ଅଞ୍ଚଳରେ ଅନ୍ଧାର ରାତ୍ରର ସୁଯୋଗ ନେଇ ଘରେ ପଶି କଳାକନା ବୁଲାଇ ଆସୁଥିଲେ ଏହି ଚୋରି ରାକେଟ ଗ୍ୟାଙ୍ଗ । ତେବେ ଗତ ଜୁନ ୮ ତାରିଖ ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ଗ୍ରାମର ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ଘରେ ପଶି ସୁନା, ଟଙ୍କା ଲୁଟି ନେଇଥିଲେ ।

ତେବେ ଏହି ଚୋରା ରାକେଟ ଗ୍ୟାଙ୍ଗକୁ ରବିବାର ସନ୍ଧ୍ୟାରେ କାବୁ କରିବା ସହ ସେମାନଙ୍କ ନିକଟରୁ ବହୁ ସୁନା, ଟଙ୍କା, ଦୁଇ ଗୋଟି ମୋବାଇଲ, ଦୁଇ ଗୋଟି ଏଟିଏମ୍ କାର୍ଡ ସମେତ ଏକ ବାଇକ ଏବଂ ଦୁଇଟି ଲୁହା ରଡ୍ ଜବତ କରିଥିବା ଜଣାପଡ଼ିଛି । ଏ ନେଇ ଦିଗପହଣ୍ଡି ପୋଲିସ ସଂପୃକ୍ତ ଚୋରି ମାମଲାରେ ଜଣେ ମହିଳାଙ୍କ ସମେତ ତିନି ଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ଗିରଫ ମାନଙ୍କ ମଧ୍ୟରେ କୋଦଳା ଗ୍ରାମର ମୋହନ ପ୍ରଧାନ ଓ ତାଙ୍କ ପତ୍ନୀ ଭୁଡୁକି ପ୍ରଧାନ ଏବଂ ଆସ୍କା ଥାନା ଭାବିନିପୁର ଅଞ୍ଚଳର ଆରିୟାନ ପ୍ରଧାନ ଓ ପାଟପୁର ଥାନା ମାଟିଆ ବରେଇ ଗ୍ରାମର ଏସ୍ .ସହଦେବ ରେଡ୍ଡୀ ବୋଲି ସୂଚନା ମିଳିପାରିଛି ।

ସୁଚନାନୁଯାୟୀ ବିଭିନ୍ନ ଥାନା ଅଞ୍ଚଳର ଏହି ଲୁଟେରା ଟିମ୍ ଗତ କିଛିଦିନ ଧରି ଏହି ଚୋରା କାରବାର ଚଳାଉଥିବା ଜଣାପଡିଛି । ତେବେ ଗତ ଜୁନ ୮ ତାରିଖ ବିଳମ୍ବିତ ରାତିରେ ଅନ୍ଧାରର ସୁଯୋଗ ନେଇ ଗୋକର୍ଣ୍ଣପୁର ଗ୍ରାମର ପ୍ରମୋଦ ପାଣିଗ୍ରାହୀଙ୍କ ଲୁହା ଗ୍ରୀଲ୍ ତାଡି ଘରେ ପଶିବା ସହ କବାଟ ଓ ଆଲମାରୀ ଭାଙ୍ଗି ୫ ଭରି ସୁନାଗହଣା ଓ ନଗଦ ୨୫ ହଜାର ଟଙ୍କା ଚୋରି କରି ନେଇଥିଲେ । ପରଦିନ ଏ ନେଇ ପ୍ରମୋଦ ଦିଗପହଣ୍ଡି ଥାନାରେ ଏକ ଏତଲା ଦେଇଥିଲେ ।

ଏତଲାକୁ ଭିତ୍ତିକରି ଦିଗପହଣ୍ଡି ପୋଲିସ ପକ୍ଷରୁ ମକଦ୍ଦମା ରୁଜୁ କରାଯାଇ ଚୋରା ଗ୍ୟାଙ୍ଗକୁ ଧରିବା ପାଇଁ ତଦନ୍ତ ଚଳାଇଥିଲା । ତେବେ ଗତକାଲି ଏକ ବିଶେଷ ସୁତ୍ରରୁ ଖବରପାଇ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଓ ପୋଲିସ କର୍ମଚାରୀ ମାନେ ପାଟପୁର ଥାନା ତିତିଖଣ୍ଡି ଗ୍ରାମ ପାହାଡ଼ ଏକ ଇଟାଭାଟି ନିକଟରୁ ପୋଲିସ ଏମାନଙ୍କୁ ଧରି ଥାନାକୁ ଆଣି ଜେରା କରିବା ପରେ ସବୁ କଥା ମାନିବାକୁ ରାଜି ହୋଇଥିଲେ ।

ଘଟଣାସ୍ଥଳରେ ପୋଲିସ ୩୫.୨୯୦ ଗ୍ରାମର ତରଳ ସୁନା, ନଗଦ ୧୪ ହଜାର ୩୬୦ ଟଙ୍କା, ଦୁଇଟି ମୋବାଇଲ, ଦୁଇଟି ଏଟିଏମ୍ କାର୍ଡ, ଏକ ପଲସର ବାଇକ ଓ ଚୋରି ସମୟରେ ବ୍ୟବହୃତ ଲୁହା ସାମଗ୍ରୀ ଜବତ କରିଥିଲା । ଏନେଇ ଦିଗପହଣ୍ଡି ଥାନା କେସ ନଂ ୧୪୫/୨୧ ଦଫା ୪୫୭/୩୮୦ ଆଇପିସି ଧାରା ଅନୁଯାୟୀ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି ।


ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.