ETV Bharat / state

ବହୁ ଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: 3 ଅଭିଯୁକ୍ତଙ୍କ ବିରୁଦ୍ଧରେ NBW ଜାରି

author img

By

Published : Jun 30, 2023, 9:28 PM IST

3 ଅଭିଯୁକ୍ତଙ୍କ ବିରୁଦ୍ଧରେ ଜାମିନବିହୀନ ୱାରେଣ୍ଟ
3 ଅଭିଯୁକ୍ତଙ୍କ ବିରୁଦ୍ଧରେ ଜାମିନବିହୀନ ୱାରେଣ୍ଟ

ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଏସଡିଜେଏମ କୋର୍ଟ 3ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଜାମିନବିହୀନ ୱାରେଣ୍ଟ ଜାରି କରିଛନ୍ତି। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭ ବିଚାର ପ୍ରକ୍ରିୟାରେ ସହଯୋଗ କରୁନଥିବା ଜଣାପଡିଛି । ଅଧିକ ପଢନ୍ତୁ

ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କୋର୍ଟରେ ହାଜର ହେଉନାହାନ୍ତି ଅଭିଯୁକ୍ତ। ଯାହାକୁ ନେଇ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟ 3ଜଣ ଯାକ ଅଭିଯୁକ୍ତଙ୍କ ବିରୁଦ୍ଧରେ ଜାମିନବିହୀନ ୱାରେଣ୍ଟ ଜାରି କରିଛନ୍ତି । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରାଧରେ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ଅଭିଯୋଗ ରହିଥିଲା। ଏହାର ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବାରମ୍ବାର କୋର୍ଟଙ୍କ ସମନ ପରେ ମଧ୍ୟ ଅଭିଯୁକ୍ତମାନେ କୋର୍ଟରେ ହାଜର ହେଉନଥିବା ଜଣାପଡିଛି। ଆସନ୍ତା 7 ତାରିଖରେ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଇବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।

କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଥିବାବେଳେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଦୋଷୀ କହିବା ସହ ଅନ୍ୟ 2 ଜଣ ଅଭିଯୁକ୍ତଙ୍କୁ କ୍ଳିନ୍ ଚିଟ୍ ଦେଇଥିଲା । ତେବେ ଏହାର ପ୍ରତିବାଦରେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର କୋର୍ଟଙ୍କ ଦ୍ବାରସ୍ଥ ହୋଇ ଏହି ମାମଲାର ବିଚାର ପାଇଁ ଆବେଦନ କରିଥିଲେ । ଅଭିରାମଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି ଏସଡିଜେଏମଙ୍କ ଅଦାଲତରେ ମାମଲା ବିଚାରଧୀନ ରହିଛି।ତେବେ ଏହି ମାମଲାର 3 ଅଭିଯୁକ୍ତ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ ହାଜର ପାଇଁ କୋର୍ଟ ଗତ ମେ 16, ମେ 27, ଜୁନ 19 ଏବଂ ଜୁନ 23 ତାରିଖରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେମାନେ ହାଜର ହେଉନାହାନ୍ତି। ବିଚାର ପ୍ରକ୍ରିୟାରେ ସହଯୋଗ କରିବା ବଦଳରେ ବିଭିନ୍ନ ଆଳରେ ସମୟ ମାଗି ଚାଲିଛନ୍ତି ଅଭିଯୁକ୍ତ । ଯାହାକୁ ନେଇ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟ ନାପସନ୍ଦ କରିବା ସହ ଜାମିନବିହୀନ ଗିରଫ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ମାମଲା ବିଚାରାଧୀନ ଥିବାରୁ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ଅଭିରାମଙ୍କ ଓକିଲ ମନା କରିଦେଇଥିବାବେଳେ 3ଜଣ ଅଭିଯୁକ୍ତ କିମ୍ବା ତାଙ୍କ ଓକିଲଙ୍କ ମତାମତ ମିଳିପାରିନାହିଁ ।

୨୦୨୧ ଜୁଲାଇ 16 ତାରିଖରେ ଏସିଏଫ ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ଘଟିଥିଲା । ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏହି ମାମଲାରେ ସାମିଲ ଥିବା ନେଇ ସୌମ୍ୟଙ୍କ ପରିବାରଲୋକେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଡିଏଫଓଙ୍କ ସହ ରୋଷେୟା ମନ୍ମଥ କୁମ୍ଭଙ୍କୁ ୩ ଥର ଜେରା କରିଥିଲା । ଖାଲି ସେତିକି ନୁହେଁ, ସୌମ୍ୟଙ୍କ ଗାଁ ବାଲେଶ୍ବର ଜିଲ୍ଲା ଖଇରାକୁ ଯାଇ ତାଙ୍କ ବାପା, ମାଆ ଏବଂ ସମ୍ପର୍କୀୟଙ୍କୁ ମଧ୍ୟ ପଚରାଉଚରା କରିଥିଲା ତଦନ୍ତକାରୀ ଟିମ୍ ।

ଏହା ମଧ୍ୟ ପଢନ୍ତୁ...ହାଇକୋର୍ଟରେ ପହଞ୍ଚିଲା ରତ୍ନଭଣ୍ଡାର ମାମଲା, ପ୍ରଶ୍ନକୁ ଗତକାଲି ଏଡ଼ାଇଯାଇଥିଲେ ମନ୍ତ୍ରୀ

ଏହାପରେ ମଧ୍ୟ ପୋଲିସ ହାତ ଖାଲିଥିବା ବେଳେ ତଦନ୍ତକାରୀ ଦଳ ଉପରେ ପ୍ରଶ୍ନ ଉଠିଥିଲା । ଏହି ଘଟଣାର ବିଭିନ୍ନ ତଥ୍ୟକୁ ନେଇ ମିଡିଆ ଟ୍ରାଏଲ ମଧ୍ୟ ହୋଇଥିଲା । ପାରଳାଖେମୁଣ୍ଡି ପୋଲିସ ଏହି ହାଇପ୍ରୋଫାଇଲ୍ ଘଟଣା ଉପରୁ ପରଦା ହଟାଇବାକୁ ନେଇ ଇଚ୍ଛା ପ୍ରକାଶ କରୁନଥିବା ସାଧାରଣରେ ଚର୍ଚ୍ଚା ହୋଇଥିଲା । ପୋଲିସ ଘଟଣାକୁ ଅଧିକ ରହସ୍ୟାକୃତ କରୁଥିବା ଅଭିଯୋଗ ହୋଇଥିଲା । ଏହାର ଅନେକ କାରଣ ରହିଛି ।

ସୌମ୍ୟ ନିଆଁରେ ପୋଡି ହେବା ଦିନ ଘଟଣାସ୍ଥଳର ଚାବି ପୋଲିସ ଡିଏଫଓ କାର୍ଯ୍ୟାଳୟକୁ ଦେଇ ଦେବା, ୯୫ ପ୍ରତିଶତରୁ ଅଧିକ ପୋଡ଼ି ହୋଇଯାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା କରାଇବା ପରିବର୍ତ୍ତେ ଦୀର୍ଘ ସମୟ କୌଣସି ସୁବିଧା ନଥିବା ପାରଳାଖେମୁଣ୍ଡି ହସ୍ପିଟାଲରେ ରଖିବା ଓ ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରିବା, ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଦୀର୍ଘ ସମୟ ଧରି ଅଧା ବାଟରେ ଅଟକାଇବା, ଜମାନବନ୍ଦୀ ଆଧାରରେ ତଦନ୍ତ ନକରିବା ଆଦି କାର୍ଯ୍ୟ ପୋଲିସକୁ ସନ୍ଦେହ ଘେରକୁ ଆଣିଥିଲା । ଏହାସହ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.