ETV Bharat / state

ଧାନ କାଟିବାକୁ ଯାଇ ହାତୀ ସାଙ୍ଗେ ମୁହାଁମୁହିଁ, କଚାଡି ଦେଲା ଦନ୍ତା

author img

By ETV Bharat Odisha Team

Published : Dec 10, 2023, 8:57 PM IST

ଚାଷୀ ଗୁରୁତର
ଚାଷୀ ଗୁରୁତର

Elephant attack in Dhenkanal : ହାତୀ ଆକ୍ରମଣରେ ଚାଷୀ ଗୁରୁତର । ଧାନ କାଟିବାକୁ ଯାଇ ଦନ୍ତା ହାବୁଡ଼ରେ ପଡିଥିଲେ ଚାଷୀ । ଆଗକୁ ପଢ଼ନ୍ତୁ,

ଢେଙ୍କାନାଳ: ନିଦ ହଜାଇଛି ହାତୀ । ପୁଣି ମୁହାଁମୁହିଁ ହେଲେ ହାତୀ ଓ ମଣିଷ । ହାତୀ ଆକ୍ରମଣରେ ଚାଷୀ ଗୁରୁତର । ଧାନ କାଟିବାକୁ ଯାଇ ଦନ୍ତା ହାବୁଡ଼ରେ ପଡିଥିଲେ ଚାଷୀ । ବିଲରେ କଚାଡି ଦେଲା ଦନ୍ତା । ଗୁରୁତର ଚାଷୀଙ୍କୁ କଟକ ସ୍ଥାନାନ୍ତର ।

ଢେଙ୍କାନାଳରେ ହାତୀଙ୍କ ଉପଦ୍ରବ ଥମିବାର ନାଁ ଧରୁନି । ବିଶେଷ କରି ଧାନ ଫସଲ ଅମଳ ସମୟ ହେବାରୁ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ନିରୀହ ଚାଷୀମାନେ ହାତୀ ଆକ୍ରମଣର ଶିକାର ହୋଇ ଜୀବନ ହାରୁଛନ୍ତି । ଏପରି ଏକ ଅଘଟଣ ଘଟିଛି ଗଁନ୍ଦିଆ ଥାନା ଆଙ୍କୁର୍ଦା ଗ୍ରାମରେ । ଆଜି ଭୋର ସମୟରେ ଗ୍ରାମର କାଳନ୍ଦୀ ପ୍ରଧାନ ନାମକ ଜଣେ ଚାଷୀ ତାଙ୍କ ବିଲକୁ ଧାନ କାଟିବାକୁ ଯାଇଥିଲେ । ସେଠାରେ ସେ ଏକ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ । ଦନ୍ତା ହାତୀ ତାଙ୍କୁ ଟେକି ଫୋପାଡ଼ି ଦେଇଥିଲା । ପାଖରେ ଥିବା ଅନ୍ୟ ଲୋକମାନେ ପାଟି କରିବାରୁ ହାତୀଟି ଛାଡି ପଳାଇଥିବା ଜଣାପଡିଛି । କାଳନ୍ଦୀଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ହାତୀଟି ପାଖ ଜଙ୍ଗଲକୁ ପଳାଇ ଯାଇଥିବାବେଳେ ଅନ୍ୟ ଚାଷୀମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ହାତୀ ଘଉଡାଇବା ଯାଇଥିଲେ ରେଞ୍ଜର, ଦଳିଦେଲା ଦନ୍ତା

ଢେଙ୍କାନାଳରେ ହାତୀ ଉପଦ୍ରବ ଘଟଣା ବାରମ୍ବାର ସାମନାକୁ ଆସୁଛି । ସେହିଭଳି ଗତ ୫ ତାରିଖ ଦିନ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିଲେ । ଯୁବକ ଜଣକ ହେଲେ କଙ୍କଡାହାଡ ଥାନା ପଶ୍ଚିମାଞ୍ଚଳ ରେଞ୍ଜ କନ୍ଧରା ଗ୍ରାମର ମନୋଜ ମହାରଣା । ସେ ଓ ତାଙ୍କ ସାଙ୍ଗ ଗ୍ରାମ ନିକଟରେ ଥିବା ନାଳକୁ ଶୈଚ ପାଇଁ ଯାଇଥିଲେ। ହାତୀ ଦେଖି ତାଙ୍କ ସାଙ୍ଗ ଦୌଡି ପଳାଇଥିବା ବେଳେ ମନୋଜ ହାତୀ ସହ ମୁହାଁମୁହିଁ ହୋଇଯାଇଥିଲା । ଫଳରେ ହାତୀ ତାଙ୍କୁ ସୁଣ୍ଢରେ କଚାଡି ଦେଇଥିଲା । ଗୁରତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତାଙ୍କ ବାମ ହାତରେ ଗଭିର ଆଘାତ ଲାଗିଥିବା ଜଣାପଡିଛି । ଗତକାଲି ଢେଙ୍କାନାଳ ଷଢଙ୍ଗୀ ବନାଞ୍ଚଳର ବାଇସିଂହା ଅଂଚଳରେ ୨୨ ଟିକିଆ ହାତୀ ପାଳଙ୍କୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇଥିଲେ । ତେବେ ରାତି ହେଲେ ହାତୀ ମାନଙ୍କ ଉତ୍ପାତ ଜିଲ୍ଲା ବାସୀଙ୍କ ନିଦ ହଜାଇ ଦେଉଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.