ETV Bharat / state

ଆବାସ ଟଙ୍କା ନେଇ ଠିକାଦାର ଛୁ, ଭଙ୍ଗା କୁଡ଼ିଆରେ ଗରିବ ହିତାଧିକାରୀ

author img

By

Published : Jan 20, 2021, 1:55 PM IST

ଇନ୍ଦିରା ଆବାସ ଟଙ୍କା ନେଇ ଠିକାଦାର ଛୁ, ଭଙ୍ଗା କୁଡ଼ିଆରେ ମାଙ୍କଡା ପରିବାର
ଇନ୍ଦିରା ଆବାସ ଟଙ୍କା ନେଇ ଠିକାଦାର ଛୁ, ଭଙ୍ଗା କୁଡ଼ିଆରେ ମାଙ୍କଡା ପରିବାର

ଇନ୍ଦିରା ଆବାସ ଟଙ୍କାକୁ ଚଳୁ କଲେ ଅସାଧୁ ଠିକାଦାର । ଯାହା ଫଳରେ ଗରିବ ହିତାଧିକାରୀ ଅଧାଗଢା ଭଙ୍ଗା କୁଡ଼ିଆରେ ଦୟନୀୟ ଭାବେ ଜୀବନ ବିତାଇ ଆସୁଛନ୍ତି । ଏ ଘଟଣା ହେଉଛି କେନ୍ଦୁଛାପଲ ଗାଁର। ଅଧିକ ପଢନ୍ତୁ...

ଦେବଗଡ଼: ଗରିବ ବାସହୀନ ଲୋକଙ୍କୁ ଇନ୍ଦିରା ଆବାସ ଯୋଗାଇ ଦେଇଥିଲେ ସରକାର । ହେଲେ ଗରିବ ଲୋକଙ୍କ ସରଲତାର ସୁଯୋଗ ନେଇ ଅନୁଦାନ ଟଙ୍କା ହଡପ କରିନେଲେ ଅସାଧୁ ଠିକାଦାର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର କେଇ ମିଟର ଦୂରରେ ଅବସ୍ଥିତ କେନ୍ଦୁଛାପଲ ଗାଁରେ । ଏହି ଗାଁରେ ବସବାସ କରି ଆସୁଛନ୍ତି 40 ଟି ମାଙ୍କଡ଼ିଆ ସମ୍ପ୍ରଦାୟର ଆଦିମ ଜନଜାତି ପରିବାର । ଏହି ଜନଜାତି ଲୋକଙ୍କୁ ଗତ 2013-14 ମସିହାରେ ସରକାର ମଞ୍ଜୁର କରିଥିଲେ ଖଣ୍ଡିଏ ଲେଖାଏଁ ଇନ୍ଦିରା ଆବାସ ।

ଇନ୍ଦିରା ଆବାସ ଟଙ୍କା ନେଇ ଠିକାଦାର ଛୁ, ଭଙ୍ଗା କୁଡ଼ିଆରେ ମାଙ୍କଡା ପରିବାର

ମାତ୍ର , ସୁଦୂର ସମ୍ବଲପୁର ଅଞ୍ଚଳର ମନୋଜ ଅଗ୍ରୱାଲ ନାମକ ଜଣେ ଠିକାଦାର ଏହି ନିରୀହ ଗରିବ ହିତାଧିକାରୀଙ୍କ ସରଳତାର ସୁଯୋଗ ନେଇ 'ବାସଗୃହ ନିର୍ମାଣର କାର୍ଯ୍ୟାଦେଶ ବ୍ଲକ କାର୍ଯ୍ୟାଳୟରୁ ପାଇଛି' ବୋଲି ଲୋକଙ୍କୁ ଠକି ସେମାନଙ୍କ ପାଖରୁ ପାସବୁକ୍ ଓ ଦସ୍ତଖତ ନେଇ ବ୍ୟାଙ୍କରୁ ଅନୁଦାନ ଟଙ୍କା ଉଠାଇ ନେଇଥିଲେ ।

କିଛି ଘର ଅଧାପନ୍ତରିଆ ନିର୍ମାଣ କରିବା ପରେ ନିର୍ମାଣ କାମ ହଠାତ୍ ବନ୍ଦ କରି ଠିକାଦାର ଜଣକ ଲକ୍ଷାଧିକ ଅନୁଦାନ ଟଙ୍କା ନେଇ କୁଆଡେ ଅନ୍ତର୍ଦ୍ଧାନ ହୋଇଗଲେ । ଫଳରେ ବିଚରା ଗରିବ ହିତାଧିକାରୀ ମାନେ ଠିକାଦାରଙ୍କୁ ନପାଇ ସେହି ଅଧାଗଢା ଭଙ୍ଗା କୁଡ଼ିଆରେ ଆଜକୁ ଦୀର୍ଘ 7 ବର୍ଷ ହେଲା ଦୟନୀୟ ଭାବେ ଜୀବନ ବିତାଇ ଆସୁଛନ୍ତି ।

ଏ ସମ୍ପର୍କରେ ହିତାଧିକାରୀ ମାନେ ବାରମ୍ବାର ତିଳେଇବଣି ବ୍ଲକ ବିଡ଼ିଓଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ । ଏହି ଆଦିମ ଜନଜାତି ଲୋକଙ୍କୁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ପକ୍କା ବାସଗୃହ ଖଣ୍ଡିଏ ଲେଖାଁଏ ଯୋଗାଇ ଦେବାକୁ ଜନସାଧାରଣରେ ଦାବି ହେଉଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.