ETV Bharat / state

ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ଦିବ୍ୟାଙ୍ଗ ଝିଅର ଚିକିତ୍ସା କରାଇ ସର୍ବସ୍ୱାନ୍ତ ପିତାମାତା

author img

By

Published : Aug 15, 2023, 9:46 AM IST

family seeks government assistance
family seeks government assistance

ଦୀର୍ଘ 18 ବର୍ଷ ହେଲା ନିଜ ଏକମାତ୍ର ଭିନ୍ନକ୍ଷମ ଝିଅର ଚିକିତ୍ସା କରାଇ ସର୍ବସ୍ୱାନ୍ତ ହୋଇ ଗଲେଣି ପିତାମାତା । ଅଧିକ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ଅପେକ୍ଷାରେ ପରିବାର । ଅଧିକ ପଢନ୍ତୁ

family seeks government assistance

ଦେବଗଡ: ଜୀବନରେ ଦୁଃଖ କେତେବେଳେ ଆସେ କାହାକୁ ବି ଜଣାନଥାଏ । ଆଉ ଚିକିତ୍ସାରେ ଯେବେ ଅର୍ଥ ବାଧକ ସାଜେ ସେତେବେଳେ ଦୁଃଖ ଆହୁରି ବଢିଯାଏ । ତେବେ ବର୍ଷେ କି ଦୁଇ ବର୍ଷ ନୁହେଁ ଆଜକୁ ଦୀର୍ଘ 18 ବର୍ଷ ହେଲା ନିଜ ଏକମାତ୍ର ଭିନ୍ନକ୍ଷମ ଝିଅର ଚିକିତ୍ସା କରାଇ ସର୍ବସାନ୍ତ ହୋଇ ଗଲେଣି ପିତାମାତା । ଆଗକୁ ଚିକିତ୍ସା କରାଇବା ପାଇଁ ଆଉ ସାମର୍ଥ୍ୟ ନାହିଁ । ଅଧିକ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବୁକାବେଡା ଗାଁରେ ।

ସୂଚନା ମୁତାବକ, ଜିଲ୍ଲାର ତିଳେଇବଣି ବ୍ଲକ ଟାଇଁସର ପଞ୍ଚାୟତ ଅନ୍ତର୍ଗତ ବୁକାବେଡ଼ା ଗ୍ରାମର କ୍ଷମା ରଣଜିତ ଓ ପ୍ରମିଳା ରଣଜିତଙ୍କ ଏକମାତ୍ର 18 ବର୍ଷୀୟ ଝିଅ ସନ୍ତୋଷିନୀ ରଣଜିତ । ଜନ୍ମରୁ ସେ ଭିନ୍ନକ୍ଷମ । ତାଙ୍କ ଦୁଇଗୋଡ଼ରେ ସ୍ନାୟୁଗତ ସମସ୍ୟା ରହିଥିବାରୁ ସେ ପିଲାବେଳୁ ହିଁ ଚଳପ୍ରଚଳ କରି ପାରନ୍ତି ନାହିଁ । ତେଣୁ ଝିଅକୁ ଡାକ୍ତରୀ ଚିକିତ୍ସା କରି ସକ୍ଷମ କରିବାକୁ ପିତାମାତା ଆଜକୁ ଦୀର୍ଘ 18 ବର୍ଷ ହେବ ସଂଗ୍ରାମ କରି ଆସୁଛନ୍ତି । ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ଗରିବ ପିତାମାତା ଏକମାତ୍ର ଅଲିଅଳି ଝିଅର ଚିକିତ୍ସା ପାଇଁ ନିଜ ଜମିବାଡ଼ି ଓ ଗୃହ ପାଳିତ ପଶୁ ବିକ୍ରି କରି ସର୍ବସ୍ୱାନ୍ତ ହୋଇ ସାରିଛନ୍ତି ।

ହେଲେ ଝିଅକୁ ଭଲ କରିବାରେ ସଫଳ ହୋଇପାରି ନାହାନ୍ତି । କଟକ ମେଡିକାଲରେ ଡାକ୍ତର ଏହା ସ୍ନାୟୁଗତ ରୋଗ ଓ ଅଧିକ ବ୍ୟୟବହୁଳ ଚିକିତ୍ସା ଦ୍ୱାରା ଏହା ଭଲ ହୋଇ ପାରିବ ବୋଲି ଆଶ୍ୱାସନା ଦେଇଛନ୍ତି । ମାତ୍ର ଅଧିକ ଚିକିତ୍ସା ପାଇଁ ଅର୍ଥାଭାବ ବାଧକ ସାଜିଛି । ଜମିବାଡ଼ି ବିକ୍ରି କରି ସର୍ବସ୍ୱାନ୍ତ ହେବା ପରେ ପିତାମାତା ଆଉ ଝିଅର ଅଧିକ ଚିକିତ୍ସା କରାଇ ପାରୁନାହାନ୍ତି । ଫଳରେ କେବଳ ସରକାରୀ ସହାୟତାକୁ ଚାତକ ଭଳି ଅନାଇ ବସିଛନ୍ତି ଏହି ଗରିବ ପିତାମାତା । ସେପଟେ ଝିଅକୁ ଏବେ 18 ବର୍ଷ ହୋଇଥିବା ବେଳେ ଝିଅଟି ଚଲାବୁଲା କରିନପାରି ଭିନ୍ନକ୍ଷମ ଭାବେ ଜୀବନ ବିତାଇ ଆସୁଛି । ଗୋଟିଏ ପଟେ ଆର୍ଥିକ ଅନାଟନ ଓ ଅନ୍ୟପଟେ ଦିବ୍ୟାଙ୍ଗ ଝିଅର ବୋଝ ଗରିବ ପିତାମାତାଙ୍କ ପାଇଁ ଦାରୁଣ ଦୁଃଖର କାରଣ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ବଞ୍ଚିବାକୁ ରାହା ଖୋଜୁଛି ୯ ମାସର ଶିଶୁ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ତେବେ ଝିଅର ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ଉଭୟ ପିତାମାତା କ୍ଷମା ରଣଜିତ ଓ ପ୍ରମିଳା ରଣଜିତ ଦିବ୍ୟାଙ୍ଗ ଝିଅ ସନ୍ତୋଷିନୀକୁ ନେଇ ଏକାଧିକ ବାର ଦେବଗଡ଼ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମାତ୍ର ଏଯାଏଁ କୌଣସି ଆର୍ଥିକ ସହାୟତା ମିଳି ପାରିନାହିଁ । ଶେଷରେ ଭାଗ୍ୟକୁ ଆଦରି ରହିଛନ୍ତି ଏହି ଗରିବ ଦମ୍ପତି । ଅନ୍ୟପଟେ ଝିଅର ସେବା ଯତ୍ନ କରି ଆସୁଥିବା ପିତାମାତାଙ୍କ ମୃତ୍ୟୁ ପରେ ଝିଅର ଭବିଷ୍ୟତ କଣ ହେବ ବୋଲି ପ୍ରଶ୍ନ କରିଛନ୍ତି ଗରିବ ବାପାମାଆ । ସେହିପରି ଏ ଦିଗରେ ସରକାର କିମ୍ବା କୌଣସି ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଦି ସହାୟତାର ହାତ ବଢ଼ାନ୍ତେ ତେବେ ଏହି ଭିନ୍ନକ୍ଷମ ଜୀବନ ବିତାଉଥିବା ଝିଅଟି ସୁସ୍ଥ ଓ ସକ୍ଷମ ହୋଇପାରନ୍ତା ବୋଲି ଗ୍ରାବାବାସୀ କହିଛନ୍ତି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.