ETV Bharat / state

ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା: ଶରତ ନାୟକ ଓ ପିଇଟି ଶିକ୍ଷକ ଗିରଫ

author img

By ETV Bharat Odisha Team

Published : Aug 22, 2023, 6:38 PM IST

Updated : Aug 22, 2023, 8:50 PM IST

ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା
ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା

ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ଶରତ ନାୟକଙ୍କ ସମେତ ସମ୍ପୃକ୍ତ ପିଇଟି ଶିକ୍ଷକଙ୍କୁ ଗିରଫ କଲା ପୋଲିସ । ଅଧିକ ପଢ଼ନ୍ତୁ

ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା

କଟକ/ଜଗତସିଂହପୁର: ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ନୂଆମୋଡ଼ । ନାବାଳିକାଙ୍କ ମୃତ୍ୟୁ ବାତ ପାଇଁ ନୁହେଁ, ବରଂ ଏହା ଆତ୍ମହତ୍ୟାଜନିତ ମୃତ୍ୟୁ ବୋଲି ସ୍ପଷ୍ଟ କରିଛନ୍ତି କଟକ ଗ୍ରାମାଞ୍ଚଳ ଏସ୍‌ପି ମିହିର କୁମାର ପଣ୍ଡା । ସବୁଠାରୁ ବଡ଼ କଥା ହେଉଛି ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଦୁଇ ଅଭିଯୁକ୍ତ ହେଉଛନ୍ତି ମାହଙ୍ଗା ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ନିଲମ୍ବିତ ବିଜେଡି ନେତା ଶରତ ନାୟକ ଏବଂ ସମ୍ପୃକ୍ତ ପିଇଟି ଶିକ୍ଷକ ଅନୁପମ ରାୟ ।

ଶରତ ନାୟକ ଓ କ୍ରୀଡ଼ା ଶିକ୍ଷକ ଗିରଫ: ତେବେ ଉଭୟଙ୍କୁ ଧାରା ୩୦୫, ୩୫୪ D, ୩୮୫, ୨୦୧ IPC, ୧୨ ପୋକ୍ସୋ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ପୋଲିସ ନିଜ ଆଡୁ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପିଇଟି ଶିକ୍ଷକଙ୍କ ଯୋଗୁଁ ହିଁ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଥିବା ବେଳେ ଏକଥା ଶରତ ନାୟକ ଜାଣିଥିଲେ । ଏବଂ ଏହାର ପ୍ରମାଣ ନଷ୍ଟ କରିବା କାରଣରୁ ଶରତଙ୍କୁ ପୋଲିସ ଗିରଫ କରିଥିବା କଥା କଟକ ଗ୍ରମାଞ୍ଚଳ ଏସ୍‌ପି ସ୍ପଷ୍ଟ କରିଛନ୍ତି । ଶରତ ଏହି ସ୍କୁଲ ପରିଚାଳନା କମିଟିର ସଭାପତି ଥିଲେ । ଏହି ପ୍ରସଙ୍ଗରେ ତାଙ୍କର ସମ୍ପୃକ୍ତି ଆସିବା ପରେ ସେ ବିଜେଡିରୁ ନିଲମ୍ବିତ ମଧ୍ୟ ହୋଇଥିଲେ ।

କଟକ ଗ୍ରମାଞ୍ଚଳ ଏସ୍‌ପି କହିଛନ୍ତି, "ନାବାଳିକା ଜଣକ ଆତ୍ମହତ୍ୟା କରିଥିଲେ । ତେବେ ଏହାକୁ ସ୍ବାଭାବିକ ମୃତ୍ୟୁ ଦର୍ଶାଇ ଅତି ତରବରିଆ ଭାବରେ ଅନ୍ତିମ ସଂସ୍କାର କରି ଦେହାବଶେଷକୁ ନଦୀରେ ଭସାଇ ଦେଇଥିଲେ । ଏହି ମାମଲାର ରଫା ଦଫା କରିବାକୁ ପିଇଟି ଶିକ୍ଷକଙ୍କ ପରିବାରକୁ ୭୦ ହଜାର ଟଙ୍କା ଦେବାକୁ ଦାବି କରିଥିଲେ ଶରତ । ଯାହାର ଏକ ଅଡିଓ ଭାଇରାଲ ହୋଇଥିଲା । ଏହି ଅଡିଓରେ ଶରତ ଟଙ୍କା ମାଗିବା କଥା ସ୍ପଷ୍ଟ ହୋଇଥିଲା । ପ୍ରମାଣ ନଷ୍ଟ କରିବା କଥା ମଧ୍ୟ ସ୍ପଷ୍ଟ ହୋଇଥିଲା । ଏହି ଘଟଣାକୁ ପୋଲିସ ଅତି ଗୁରୁତ୍ବର ସହ ନେବା ସହ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଜଣେ ଅତିରିକ୍ତ ଏସ୍‌ପିଙ୍କ ଦ୍ବାରା ଏହାର ତଦନ୍ତ କରାଯାଇଥିଲା । ତେବେ ଏହି ଘଟଣାର ତଦନ୍ତ ଜାରି ରହିଥିବା ଏସ୍‌ପି କହିଛନ୍ତି ।" କେଉଁ କାରଣରୁ ମୃତକଙ୍କ ପରିବାର ଲୋକ ବାତଜନିତ ମୃତ୍ୟୁ କହିଥିଲେ, ତାହାର ମଧ୍ୟ ତଦନ୍ତ କରାଯିବ ବୋଲି ଏସ୍‌ପି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା: ଶରତ ନାୟକଙ୍କୁ ଘଣ୍ଟାଏ ଜେରା, କହିଲେ ପୋଲିସ କିଛି ପଚାରିଲାନି

କ୍ରୀଡ଼ା ଶିକ୍ଷକ ଓ ତାଙ୍କ ମାଆଙ୍କୁ ଉଠାଇନେଲା ପୋଲିସ: ସେପଟେ ଆଜି ମାହାଙ୍ଗା ପୋଲିସ ଜଗତସିଂହପୁରରେ ପହଞ୍ଚି ସଂପୃକ୍ତ କ୍ରୀଡା ଶିକ୍ଷକ ଓ ତାଙ୍କ ମାଆଙ୍କୁ ଉଠାଇ ଆଣିଥିଲା । ନାବାଳିକା ଜଣଙ୍କର ମୃତ୍ୟୁ ପରେ ଭାଇରାଲ ହୋଇଥିବା ଅଡିଓରେ ସଂପୃକ୍ତ କ୍ରୀଡା ଶିକ୍ଷକଙ୍କ ମାଆ ଓ ଗିରଫ ଅଭିଯୁକ୍ତ ଶରତ ନାୟକ କଥା ହେଉଥିବା ଅଭିଯୋଗ ହୋଇଥିଲା । ଏହାପରେ କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ କ୍ରୀଡା ଶିକ୍ଷକଙ୍କ ଘରକୁ ଆସି ଉଭୟ ମାଆ ଓ ପୁଅଙ୍କୁ ପଚରାଉଚରା କରିଥିଲା । ଯାହାକୁ ନେଇ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।

ଏହା ଥିଲା ଘଟଣା: ସୂଚନାଯୋଗ୍ୟ, ମୃତ ଦଶମ ଶ୍ରେଣୀ ଛାତ୍ରୀଙ୍କ ସହିତ ଗିରଫ କ୍ରୀଡ଼ା ଶିକ୍ଷକ ଶିକ୍ଷକ ଅନୁପ ରାୟଙ୍କ ପ୍ରେମ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା । ଏହା ଜଣା ପଡିବା ପରେ ଛାତ୍ରୀଙ୍କ ଘର ଲୋକେ ଏହାକୁ ବିରୋଧ କରିଥିଲେ । ଏ ସମ୍ପର୍କରେ ଦଶମ ଶ୍ରେଣୀ ଛାତ୍ରୀ ଜଣଙ୍କ ଶିକ୍ଷକ ଅନୁପ ରାୟଙ୍କୁ ଏକ ଚିଠି ଲେଖିଥିଲେ । ସେହି ଚିଠି ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପରିବାର ଲୋକ ଏହି ସମ୍ପର୍କକୁ ବିରୋଧ କରିବା ପରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିଲେ । ଯାହାକୁ ଚପାଇ ଦେବାପାଇଁ ତରବରିଆ ଭାବେ ଛାତ୍ରୀଙ୍କର ମୃତଦେହକୁ ପୋଡି ଦିଆଯାଇଥିଲା । ଏଥିରେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକ ସଂପୃକ୍ତ ଶିକ୍ଷକଙ୍କ ମାଆ ବିଜୟଲଷ୍ମୀ ରାୟଙ୍କ ସହ କଥା ହେଉଥିବା ଅଡିଓ ଭାଇରଲ ହେବାପରେ ଏହି ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । କଟକ ଏସ୍‌ପିଙ୍କ ନିର୍ଦ୍ଦେଶରେ ଆଜି ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ସମ୍ପୃକ୍ତ ଶିକ୍ଷକ ଅନୁପ ରାୟ ଓ ତାଙ୍କ ମାଆଙ୍କୁ ଉଠାଇ ନେଇଥିଲା । ପର ମୁହୂର୍ତ୍ତରେ ଶିକ୍ଷକ ଅନୁପମ ରାୟ ଓ ଶରତ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭରତ, କଟକ/ଜଗତସିଂହପୁର

Last Updated :Aug 22, 2023, 8:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.