ETV Bharat / state

ଜିନ୍ଦଲ କମ୍ପାନୀକୁ ହାଇକୋର୍ଟଙ୍କ ଝଟକା, ଜମି ଲିଜ ଉପରେ ରହିତାଦେଶ

author img

By

Published : Mar 29, 2023, 8:51 AM IST

jindal steel
jindal steel

ଢ଼ିଙ୍କିଆ ଅଞ୍ଚଳରେ ପୋସ୍କୋ ପ୍ରକଳ୍ପ ପାଇଁ ଚିହ୍ନଟ ଅଞ୍ଚଳରେ ରହୁଥିବା ଅଧିବାସୀଙ୍କୁ ସ୍ବୀକୃତି ନ ମିଳିବା ଯାଏ ଜମିକୁ ଲିଜରେ ଜିନ୍ଦଲ ଷ୍ଟିଲକୁ ଦିଆଯାଇପାରିବ ନାହିଁ । ଅଧିକ ପଢନ୍ତୁ

କଟକ: ଜିନ୍ଦଲ ଷ୍ଟିଲକୁ ହାଇକୋର୍ଟଙ୍କ ଝଟକା । ଜଙ୍ଗଲ ଜମି କିସମ ପରିବର୍ତ୍ତନ ଉପରେ ଅଙ୍କୁଶ ଲଗାଇଲେ ଓଡିଶା ହାଇକୋର୍ଟ । ଜଗତସିଂହପୁରର ଢ଼ିଙ୍କିଆ, ମାହାଳ, ଏବଂ ଗୋବିନ୍ଦପୁର ଅଞ୍ଚଳର ପ୍ରାୟ ୭୦୦ ଏକର ଜମି ଉପରେ ଅଙ୍କୁଶ ଲଗାଇଛନ୍ତି କୋର୍ଟ । ସ୍ଥାନୀୟ ଜଙ୍ଗଲ ଅଧିବାସୀଙ୍କ ଅଧିକାର ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି ହାଇକୋର୍ଟ ।

ସ୍ଥାନୀୟ ଅଞ୍ଚଳରେ ୨୪ ଜଣଙ୍କ ଆବେଦନ ଆଧାରରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୃକ୍ତ ଜଙ୍ଗଲ ଜମି ଉପରେ ଅଧିକାର ସାବ୍ୟସ୍ତ କରିବାକୁ କୋର୍ଟରେ ଆବେଦନ କରାଯାଇଥିଲା । ଜିନ୍ଦଲ ପ୍ରକଳ୍ପ ପାଇଁ ଜଗତସିଂହପୁରର ଏରସମା ତହସିଲ ଅଞ୍ଚଳରେ କରାଯାଉଥିବା ଜମି ଅଧିଗ୍ରହଣ ପ୍ରକ୍ରିୟା ପାଇଁ ଝଟକା ଲାଗିଛି । ଜଙ୍ଗଲ ଅଧିକାର ଆଇନ ଉଲ୍ଲଘଂନ କରାଯାଇଥିବା ଅଭିଯୋଗରେ ଦାୟର କରାଯାଇଥିବା ମାମଲାର ଶୁଣାଣି କରି ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି ।

ପ୍ରକଳ୍ପ ପାଇଁ ଜଙ୍ଗଲ ଜମି ହସ୍ତାନ୍ତର ଲାଗି ଲିଜକେସ୍, ଏରସମା ତହସିଲଦାରଙ୍କ ନିକଟରେ ରୁଜୁ କରାଯାଇଥିଲା । ପାରମ୍ପରିକ ବନବାସୀମାନଙ୍କ ଅଧିକାରକୁ ସ୍ବୀକୃତି ପ୍ରଦାନ କରିବା ସହ ଅନ୍ୟାନ୍ୟ ଆଇନଗତ ବ୍ୟବସ୍ଥା ସଂପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଏହି ଲିଜ୍ ମାମଲା ପ୍ରସଙ୍ଗରେ ରହିତାଦେଶ ଜାରି ରହିବ ବୋଲି ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ, ଏହି ପ୍ରସଙ୍ଗରେ ଜଙ୍ଗଲ ଅଧିକାର ଆଇନ ଅନୁସାରେ ସବୁ ସର୍ତ୍ତାବଳୀ ପୂରଣ କରିବା ପରେ ରାଜ୍ୟ ସରକାର, କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଦ୍ବାରସ୍ଥ ହେବେ ବୋଲି କୋର୍ଟ କହିଛନ୍ତି । ମାମଲାର ବିବରଣୀରୁ ଜଣାପଡିଛି ଯେ, ଜଗତସିଂହପୁର ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତ ଅଞ୍ଚଳ ସମେତ ଏହାର ଆଖପାଖ ଜଙ୍ଗଲ ଜମିରେ ପୋସ୍କୋ କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ମାତ୍ର ଏହି ପ୍ରକଳ୍ପ ବନ୍ଦ ହୋଇ ଯାଇଥିଲା । ପରେ ଜିନ୍ଦଲ କମ୍ପାନୀକୁ ଏହି ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଅନୁମତି ପ୍ରଦାନ କରିବା ସହ ଏମଓୟୁ ମଧ୍ୟ ସ୍ବାକ୍ଷର କରିଥିଲେ ।

ଏହା ବି ପଢନ୍ତୁ...ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ନେଲେ ନିକୁଞ୍ଜ

ଏହି ପ୍ରକଳ୍ପ ପାଇଁ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ଅଞ୍ଚଳ ସହିତ ସଂଲଗ୍ନ ଜଙ୍ଗଲ ଜମି ହସ୍ତାନ୍ତର କରାଯିବାକୁ ନେଇ ଲିଜ୍ କେସ୍ ଏରସମା ତହସିଲରେ ରୁଜୁ ହୋଇଥିଲା । ପ୍ରଥମେ ଜମି ଇଡକୋକୁ ଲିଜ ଦିଆଯିବ ଓ ପରେ ଏହା ଜିନ୍ଦଲକୁ ପ୍ରଦାନ କରାଯିବ ବୋଲି ଯୋଜନା କରାଯାଇଥିଲା । ମାତ୍ର ଜଙ୍ଗଲ ଅଧିକାର ଆଇନ, ୨୦୦୬ ଓ ଏ ସମ୍ପର୍କିତ ନିୟମାବଳୀ ପାଳନ ନ କରି ଜମି ଲିଜ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ନେଇ ଆବେଦନକାରୀ ଅଭିଯୋଗ କରିଥିଲେ ।

ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର ପୂର୍ବରୁ ଆଇନ ଅନୁସାରେ ସର୍ତ୍ତାବଳୀ ପାଳନ କରାଯିବା କଥା । ମାତ୍ର ଏହାକୁ ଉଲ୍ଲଙ୍ଘନ କରାଯାଇଥିବା ନେଇ ଆବେଦନକାରୀ ଅଭିଯୋଗ କରିଥିଲେ । ଫଳରେ ବଂଶାନୁକ୍ରମେ ଜଙ୍ଗଲ ଉପରେ ନିର୍ଭର କରି ଆସୁଛନ୍ତି ସେମାନଙ୍କୁ ଆଇନଗତ ସୁରକ୍ଷା ଦେବାର ବ୍ୟବସ୍ଥା ରହିଛି । ସେହିପରି ଜଙ୍ଗଲ ଜମିକୁ ଶିଳ୍ପ ପାଇଁ ବ୍ୟବହାର ପୂର୍ବରୁ ଗ୍ରାମସଭାରେ ଆଲୋଚନା କରାଯିବାର ଆଇନଗତ ବ୍ୟବସ୍ଥା ମଧ୍ୟ ରହିଛି । ଯାହାକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇଥିବା ଆବେଦନକାରୀ କୋର୍ଟରେ ଜଣାଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.