ETV Bharat / bharat

ସିନେମା ପ୍ରିୟ ରାଜ୍ୟରେ ବନ୍ଦ ହେବ ୪୦୦ରୁ ଉର୍ଦ୍ଧ୍ୱ ହଲ୍, ଜାଣନ୍ତୁ କାହିଁକି ? - TELANGANA THEATRES SHUT DOWN

author img

By ETV Bharat Odisha Team

Published : May 16, 2024, 1:33 PM IST

Telangana Theatres Shut Down: ତେଲେଙ୍ଗାନାର ସିଙ୍ଗଲ-ସ୍କ୍ରିନ ପ୍ରେକ୍ଷାଳୟ ବନ୍ଦ ରହିପାରେ । ରାଜ୍ୟର ପ୍ରାୟ ୪୦୦ରୁ ଉର୍ଦ୍ଧ୍ୱ ଥିଏଟର ବନ୍ଦ ହୋଇପାରେ । ତେବେ ଜାଣନ୍ତୁ ଥିଏଟର ବନ୍ଦ ହେବା ପଛର କାରଣ କ’ଣ ?

ତେଲେଙ୍ଗାନାରେ ୪୦୦ରୁ ଉର୍ଦ୍ଧ୍ୱ ବନ୍ଦ ହୋଇପାରେ ସିନେମା ହଲ୍, ଜାଣନ୍ତୁ କାହିଁକି?
ତେଲେଙ୍ଗାନାରେ ୪୦୦ରୁ ଉର୍ଦ୍ଧ୍ୱ ବନ୍ଦ ହୋଇପାରେ ସିନେମା ହଲ୍, ଜାଣନ୍ତୁ କାହିଁକି? (Etv Bharat)

ହାଇଦ୍ରାବାଦ: ତେଲେଙ୍ଗାନାର ସିଙ୍ଗଲ-ସ୍କ୍ରିନ ଥିଏଟର ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ସାମୟିକ ଭାବେ ବନ୍ଦ ରହିବ । ଏହି ରାଜ୍ୟରେ ୨୦୨୪ରେ ଅର୍ଥାତ୍ ଚଳିତ ବର୍ଷ କୌଣସି ବଡ଼ ଚଳଚ୍ଚିତ୍ର ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଆକର୍ଷିତ କରିବାରେ ସଫଳ ହୋଇପାରିନାହିଁ । ଯାହା ଫଳରେ ଚଳଚ୍ଚିତ୍ର ବ୍ୟବସାୟ ଉପରେ ଏହାରେ ବେଶ ପ୍ରଭାବ ପଡିଛି । ତେବେ ଏହି ଆର୍ଥିକ ଚାପକୁ ଦୂର କରିବା ପାଇଁ ତେଲେଙ୍ଗାନାର ୪୦୦ ରୁ ଅଧିକ ସିଙ୍ଗଲ୍ ସ୍କ୍ରିନ୍ ପ୍ରେକ୍ଷାଳୟ ଏହି ଶୁକ୍ରବାର (ମେ ୧୭) ରୁ ମେ ୨୬ ପର୍ଯ୍ୟନ୍ତ ୧୦ଦିନ ପାଇଁ ଅସ୍ଥାୟୀ ଭାବେ ବନ୍ଦ ରହିବ ।

୧୦ ଦିନ ବନ୍ଦ ରହିପାରେ ପ୍ରେକ୍ଷାଳୟ

ସଂକ୍ରାନ୍ତି ୨୦୨୪ ପରଠାରୁ କୌଣସି ପ୍ରମୁଖ ଚଳଚ୍ଚିତ୍ର ରିଲିଜ୍ ହୋଇନାହିଁ । ଅନ୍ୟପକ୍ଷରେ, ଆଇପିଏଲ ଏବଂ ନିକଟରେ ହୋଇଥିବା ଲୋକସଭା ନିର୍ବାଚନ ହେତୁ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ପ୍ରେକ୍ଷାଳୟରେ ବିରାଟ ଭିଡ଼ ଦେଖିବାକୁ ମିଳି ନଥିଲା । ତେଲେଙ୍ଗାନା ଥିଏଟର ଆସୋସିଏସନ ଅନୁଯାୟୀ, ରାଜ୍ୟର ଅନେକ ସିଙ୍ଗଲ୍ ସ୍କ୍ରିନ୍ ପ୍ରେକ୍ଷାଳୟ ମେ ୧୭ରୁ ବନ୍ଦ କରାଯିବ ନେଇ ନିଷ୍ପତ୍ତି ନିଆଯାଇଛି । ଖବର ଅନୁଯାୟୀ, ତେଲେଙ୍ଗାନାରେ ୧୦ ଦିନ ପାଇଁ ସିଙ୍ଗଲ୍ ସ୍କ୍ରିନ୍ ପ୍ରେକ୍ଷାଳୟ ବନ୍ଦ ହୋଇପାରେ । ଯଦି ପ୍ରେକ୍ଷାଳୟଗୁଡ଼ିକ ବନ୍ଦ ହୁଏ ତେବେ ମେ ୨୬ କିମ୍ବା ମେ ୩୧ରେ ପୁନଃ ଖୋଲାଯିବ ।

ଚଳଚ୍ଚିତ୍ର ବ୍ୟବସାୟ ଉପରେ ପ୍ରଭାବ

ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ଅନେକ ସଂଖ୍ୟାରେ ପ୍ରେକ୍ଷାଳୟ ରହିଛି ଏବଂ ଲୋକମାନେ ସବୁବେଳେ ଗ୍ରୀଷ୍ମ ସମୟ(ଖରା ଛୁଟି)ରେ ବହୁ ସଂଖ୍ୟାରେ ଚଳଚ୍ଚିତ୍ର ଦେଖିବାକୁ ଯାଆନ୍ତି । କିନ୍ତୁ ଚଳିତ ବର୍ଷ ଅନେକ ଥିଏଟର ମାଲିକଙ୍କ ପାଇଁ ଭଲ ହୋଇନଥିଲା, ବିଶେଷତଃ ସିଙ୍ଗଲ୍ ସ୍କ୍ରିନ୍ ପରଦା । ବଡ ବଜେଟ୍ ଚଳଚ୍ଚିତ୍ରଗୁଡିକ ବିଫଳ ହୋଇଥିବାବେଳେ ଛୋଟ ଏବଂ ମଧ୍ୟମ ବଜେଟ୍ ଚଳଚ୍ଚିତ୍ରଗୁଡିକ ମଧ୍ୟ ପ୍ରଭାବହୀନ ବୋଲି ପ୍ରମାଣିତ ହୋଇଥିଲା । ଏହି କାରଣରୁ ଚଳଚ୍ଚିତ୍ର ବ୍ୟବସାୟ ପ୍ରଭାବିତ ହୋଇଛି ।

ଆଗକୁ ଆସିବ ଏହି ହାଇବଜେଟ ଫିଲ୍ମ

ସେପଟେ ଖୁବଶୀଘ୍ର ପରଦାକୁ ଆସିବାକୁ ଅଛି ଅନେକ ଫିଲ୍ମ । ରାମ ଚରଣ, ଅଲ୍ଲୁ ଅର୍ଜୁନ ଏବଂ ପ୍ରଭାସଙ୍କ ପରି ପ୍ରଭାବଶାଳୀ ତାରକାଙ୍କ ଫିଲ୍ମ 'କଲ୍କି 2898AD', 'ପୁଷ୍ପା: ଦ ରୁଲ', 'ଗେମ୍ ଚେଞ୍ଜର', 'ବିଶ୍ୱଭମ୍ବରା' ଏବଂ 'ଇଣ୍ଡିଆନ୍ 2' ଭଳି ବଡ଼ ବଜେଟ୍ ଚଳଚ୍ଚିତ୍ର ରିଲିଜ ହେବାକୁ ଥିବା ବେଳେ ପୁଣି ପରଦାରେ ଭିଡ଼ ଲାଗିବ ଏବଂ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ଥିଏଟର ବ୍ୟବସାୟୀ ।

ଏହା ମଧ୍ୟ ପଢନ୍ତୁ: ପ୍ରେକ୍ଷାଳୟ ବାହାରେ ପ୍ରଭାସଙ୍କ ଫ୍ୟାନ୍ସଙ୍କୁ ପୋଲିସର ଲାଠିଚାର୍ଜ, ଭିଡିଓ ଭାଇରାଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.