ETV Bharat / state

କଟକରେ ଫେଲ ମାରିଲା ମହାପ୍ରୟାଣ ଗାଡ଼ି, ଟ୍ରଲିରେ ବୁହାହେଲା ମୃତଦେହ

author img

By

Published : Jun 21, 2023, 10:21 PM IST

କଟକ ସହରରେ ଅଭାବନୀୟ ଘଟଣା । ମହାପ୍ରୟାଣ ଗାଡ଼ି ନଆସିବାରୁ ଟ୍ରଲିରେ ବୁହାହେଲା ମୃତଦେହ । ଅଧିକ ପଢ଼ନ୍ତୁ

dead body carried on trolley in cuttack
ଟ୍ରଲିରେ ବୁହାହେଲା ମୃତଦେହ

ଟ୍ରଲିରେ ବୁହାହେଲା ମୃତଦେହ

କଟକ: ମୃତ୍ୟୁ ପରେ ବି ମୃତଦେହକୁ ମିଳିଲାନି ସମ୍ମାନ । ନାଁ ମିଳିଲା ଆତ୍ମୀୟ ପରିଜନଙ୍କ କାନ୍ଧ ନାଁ ମିଳିଲା ମହାପ୍ରୟାଣ ଗାଡ଼ି । ଶେଷରେ ଟ୍ରିଲରେ ବୁହା ହେଲା ମୃତଦେହ । ତେବେ ଏହା କୌଣସିି ଉପାନ୍ତ ଅଞ୍ଚଳର ଘଟଣା ନୁହେଁ । କଟକ ସହରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । କଟକ ସହର ଶେଖ ବଜାର ୱାର୍ଡ ନଂ14 ଅଞ୍ଚଳର ।

ଗତ ରବିବାର ସନ୍ଧ୍ୟା ସମୟରେ ଶେଖ ବଜାର ୱାର୍ଡ ନଂ14 ଅଞ୍ଚଳର ସୀମାଞ୍ଚଳ ବେହେରାଙ୍କ ଆକସ୍ମିକ ମୃତ୍ୟୁ ଘଟିଥିଲା । ସୀମାଞ୍ଚଳଙ୍କ ପରିବାରରେ କେହି ସମ୍ପର୍କୀୟ ନଥିବାରୁ ସେମାନେ ପଡୋଶୀ ସାହି ଲୋକଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ । ହେଲେ ସ୍ଥାନୀୟ ଲୋକେ କେହି ଆସି ନଥିଲେ । ଫଳରେ ଦୀର୍ଘ ସମୟ ଧରି ଘରେ ମୃତ୍ୟୁଦେହ ପଡି ରହିଥିଲା । ଖବର ପାଇ ଶେଷରେ କିଛି ସମାଜସେବୀ ପହଞ୍ଚି ମହାପ୍ରୟାଣ ଗାଡ଼ିକୁ ଫୋନ କରିଥିଲେ । କିନ୍ତୁ କେହି ଫୋନ ଉଠାଇନଥିଲେ । ତେଣୁ ନିଜ ଉଦ୍ୟମରେ ମୃତ୍ୟୁଦେହକୁ କୋକେଇ ଯୋଗେ ଅଧା ବାଟ ନେଇଥିଲେ । ବର୍ଷା ହେବା ଯୋଗୁଁ ମୃତଦେହ ଟେକିବାରେ ସମ୍ଭବପର ହୋଇନଥିଲା । ପରିଶେଷରେ ରାସ୍ତାରେ ରଖା ଯାଇଥିବା ଏକ ଟ୍ରାଲିରେ ନେଇ ସତୀଚଉରା ଶ୍ମଶାନରେ ଅନ୍ତିମ ସତ୍କାର କରିଥିଲେ ।

ନିକଟରେ ବହାନଗା ଟ୍ରେନ ଦୁର୍ଘଟଣା ପରେ ବାହାନଗାବାସୀ ମାନବିକତାର ପରିଚୟ ଦେଖେଇ ବିଶ୍ୱରେ ପ୍ରଶଂସିତ ହୋଇଥିବା ବେଳେ ଭାଇଚାରା ସହର କଟକରେ ମୃତ୍ୟୁଦେହକୁ ଚାରି କାନ୍ଧ ନମିଳିବା ଘଟଣା ମାନବିକତାକୁ ନେଇ ପ୍ରଶ୍ନ ଉଠାଇଛି । ସବୁଠାରୁ ବଡ଼ କଥା ହେଉଛି ପ୍ରଶାସନର ମଧ୍ୟ ଦେଖା ମିଳିନଥିଲା । ଏପଟେ ମେୟର ୱାର୍ଡ଼ ବୁଲି ବୁଲି ଲୋକଙ୍କ ସମସ୍ୟା ବୁଝିଥିବା ବେଳେ ଏଭଳି ଅବ୍ୟବସ୍ଥାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି କଟକବାସୀ । ଏନେଇ ଜିଲ୍ଲାପାଳ କହିଛନ୍ତି, "ଗଣମାଧ୍ୟମରେ ଏହି ଖବର ପ୍ରସାରିତ ପରେ ଆମେ ଜାଣିବାକୁ ପାଇଥିଲୁ । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସ ଫଣ୍ଡରୁ 10 ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।" ଅନ୍ୟପଟେ ଟ୍ରଲିରେ ମୃତଦେହ ନେବା ଘଟଣାକୁ ନେଇ ପରିବାର ଲୋକେ କୌଣସି ଅଭିଯୋଗ କରିନଥିବା କହିଛନ୍ତି ଜିଲ୍ଲାପାଳ । ଏଠି ପ୍ରଶ୍ନ ଉଠୁଛି କାହା ପାଇଁ ସରକାରଙ୍କ ମାଳମାଳ ଯୋଜନା ? ଏହି ଦିଗରେ ପ୍ରଶାସନ ପକ୍ଷରୁ ଶୀଘ୍ର ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ସମାଜସେବୀ ଦାବି କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.