ETV Bharat / state

୨ ଅସହାୟ ପରିବାରର କରୁଣ କାହାଣୀ, ସହାୟତା ପାଇଁ ଗୁହାରି

author img

By ETV Bharat Odisha Team

Published : Sep 7, 2023, 6:37 PM IST

Etv Bharat
Etv Bharat

ବୌଦ୍ଧ ଜିଲ୍ଲାରେ ଅସହାୟ ଅବସ୍ଥାରେ ଗୋଟିଏ ପଞ୍ଚାୟତର ଦୁଇଟି ପରିବାର । ସରକାରୀ ସହାୟତା ପାଇଁ ଗୁହାରି । ଅଧିକ ପଢ଼ନ୍ତୁ

୨ ଅସହାୟ ପରିବାରର କରୁଣ କାହାଣୀ

ବୌଦ୍ଧ: ଅସହାୟ ଅବସ୍ଥାରେ ଗୋଟିଏ ପଞ୍ଚାୟତର ଦୁଇଟି ପରିବାର । ସରକାରୀ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି । ଗୋଟିଏ ପରିବାରର ମୁଖ୍ୟ ବୃଦ୍ଧ ଅବସ୍ଥାରେ ଶଯ୍ୟାଶାୟୀ ହୋଇଥିବା ବେଳେ ଅନ୍ୟ ପରିବାରର ମୁଖ୍ୟ ଜଣେ ଦିବ୍ୟାଙ୍ଗ । କିନ୍ତୁ ଉଭୟ ପରିବାର ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାରୁ ବାଦ ପଡ଼ିଥିବା ଅଭିଯୋଗ ହୋଇଛି ।

ବୃଦ୍ଧ ସ୍ବାମୀ ଶଯ୍ୟାଶାୟୀ । ଆଉ ବୃଦ୍ଧା ପତ୍ନୀ ସାଧ୍ୟ ମୁତାବକ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରକ୍ସା ପଞ୍ଚାୟତରେ । ରକ୍ସା ପଞ୍ଚାୟତ ଅନ୍ତର୍ଗତ ଖଇରମାଳ ଗ୍ରାମରେ ବୃଦ୍ଧ ସ୍ବାମୀଙ୍କ ସହିତ ବାସ କରନ୍ତି ବେଦମତୀ । ପୁଅଝିଅଙ୍କୁ ବିବାହ ପରେ ଉଭୟ ବୃଦ୍ଧ ସ୍ବାମୀ ସ୍ତ୍ରୀ ନିଜ ଭାଗ୍ୟକୁ ଆଦରି ନିଜ ଘରେ ପଡି ରହିଛନ୍ତି । ତାଙ୍କୁ ନା ମିଳୁଛି ଭତ୍ତା ନା ମିଳୁଛି ରାସନ । ଫଳରେ ଅଧିକାଂଶ ସମୟରେ ଉଭୟ ବୃଦ୍ଧ ଦମ୍ପତି ଭୋକରେ ରହି ଯାଉଛନ୍ତି । ଏ ସମ୍ପର୍କରେ ବେଦମତୀ ପଞ୍ଚାୟତଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଧାଇଁ ଧାଇଁ ଶେଷରେ ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିବା ସହିତ ଭତ୍ତା ଓ ଚାଉଳ ପାଇଁ ନେହୁରା ହୋଇଛନ୍ତି ।

ଏହା ବି ପଢନ୍ତୁ- ଦୃଷ୍ଟିହୀନ ଭିକ୍ଷୁକଙ୍କ କଣ୍ଠରେ ବିଜେ ସରସ୍ବତୀ, ଦେଖି ପାରୁନି ପ୍ରଶାସନ !

ବେଦମତୀଙ୍କ ଭଳି ଅନେକ ବୃଦ୍ଧ, ଦିବ୍ୟାଙ୍ଗ, ଅସହାୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଥିବା ବେଳେ ଏନେଇ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବାକୁ ଦାବି ହୋଇଛି । ସେହିପରି ଉକ୍ତ ରକ୍ସା ପଞ୍ଚାୟତରେ ବାସ କରୁଥିବା ରାଜକିଶୋର ଦୀର୍ଘ ୪ ବର୍ଷ ହେଲା ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଦିବ୍ୟାଙ୍ଗ ହୋଇଯାଇଛନ୍ତି । ନିଜର ବୋଲି ଜମିଭୂମି ଆଦୌ ନାହିଁ । ଫଳରେ ପର ପିଣ୍ଡାରେ ସେ ଓ ତାଙ୍କ ପତ୍ନୀ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ରାଜକିଶୋରଙ୍କ ପତ୍ନୀ ମୂଲମଜୁରୀ କରି ଯାହା ରୋଜଗାର କରନ୍ତି ସେତିକି ହିଁ ସେମାନଙ୍କ ବଳ । ସରକାରୀ ସହାୟତା କହିଲେ କିଛି ନାହିଁ । ଏପରିକି ରାଜକିଶୋରଙ୍କୁ ଆଜି ପର୍ଯ୍ୟନ୍ତ ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳି ନଥିବାରୁ ତାଙ୍କୁ ଭତ୍ତା ମଧ୍ୟ ମିଳିପାରିନାହିଁ ।

ଫଳରେ ଉକ୍ତ ଦିବ୍ୟାଙ୍ଗଙ୍କ ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି । ଏ ସମ୍ପର୍କରେ ରାଜକିଶୋର ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହିତ ତାଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଗୁହାରି କରିଛନ୍ତି । ଜିଲ୍ଲାର ୩ଟି ବ୍ଲକର ବିଭିନ୍ନ ସ୍ଥାନରେ ଏଭଳି ଅନେକ ଅସହାୟ ହିତାଧିକାରୀ ରହିଥିବା ବେଳେ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ସେପଟେ ଆଜିଠାରୁ ଜିଲ୍ଲାର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ସାମୁହିକ ଛୁଟିରେ ଥାଇ କରୁଥିବା ଆନ୍ଦୋଳନକୁ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ସାମୟିକ ଭାବରେ ବନ୍ଦ କରିଛନ୍ତି । ଫଳରେ ଜିଲ୍ଲାର ସମସ୍ତ ପଞ୍ଚାୟତ ସ୍ତରରେ ବନ୍ଦ ପଡ଼ିଥିବା ଉନ୍ନୟନ କାର୍ଯ୍ୟ ଓ ସାମାଜିକ ସୁରକ୍ଷା କାର୍ଯ୍ୟ ସ୍ବାଭାବିକ ହେବ ବୋଲି ଆଶା ପ୍ରକାଶ ପାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.