ETV Bharat / state

ଭୈରବୀ ଶକ୍ତିପୀଠରେ ଆରମ୍ଭ ହେଲା ଗୁପ୍ତ ଷୋଳପୂଜା

author img

By ETV Bharat Odisha Team

Published : Oct 7, 2023, 11:09 AM IST

Updated : Oct 7, 2023, 3:03 PM IST

ପ୍ରସିଦ୍ଧ ଶକ୍ତିପୀଠ ଭୈରବୀଙ୍କ ନିକଟରେ ଆରମ୍ଭ ହେଲା ଗୁପ୍ତ ଷୋହଳପୂଜା
ପ୍ରସିଦ୍ଧ ଶକ୍ତିପୀଠ ଭୈରବୀଙ୍କ ନିକଟରେ ଆରମ୍ଭ ହେଲା ଗୁପ୍ତ ଷୋହଳପୂଜା

ବୌଦ୍ଧ ଜିଲ୍ଲାର ଆରାଧ୍ୟ ଦେବୀ ଭୈରବୀଙ୍କ ଘଟ ପରିକ୍ରମା ପରେ ଅୟମାରମ୍ଭ ହୋଇଛି ଚଳିତ ବର୍ଷର ଶାରଦୀୟ ଷୋଳପୂଜା । ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଦେବୀ ଭୈରବୀଙ୍କ ନିକଟରେ ଗୁପ୍ତ ରୀତିନୀତି ପୂଜାର୍ଚ୍ଚନା କରାଯିବ । ଅଧିକ ପଢନ୍ତୁ..

ଭୈରବୀ ଶକ୍ତିପୀଠରେ ଆରମ୍ଭ ହେଲା ଗୁପ୍ତ ଷୋଳପୂଜା

ବୌଦ୍ଧ: ବୌଦ୍ଧ ଜିଲ୍ଲାର ଆରାଧ୍ୟ ଦେବୀ ମାଆ ଭୈରବୀଙ୍କ ପୀଠରେ ଆରମ୍ଭ ହୋଇଯାଇଛି ଷୋଡଶ ଦିନାତ୍ମକ ପୂଜା । ରାଜ୍ୟର ସମସ୍ତ ଶକ୍ତିପୀଠରେ ଶୁକ୍ରାବର ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଏହି ଷୋଡଶ ଦିନାତ୍ମକ ପୂଜା କରାଯାଏ । ତେବେ ଦେବୀ ଭୈରବୀଙ୍କ ନିକଟରେ ଗୁପ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଥିବା ବେଳେ ସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରଦ୍ଧାଳୁମାନେ ମନ୍ଦିର ପ୍ରବେଶ କରି ମହାଷ୍ଟମୀ ଯାଏଁ ଦେବୀଙ୍କ ଦର୍ଶନ କରିପାରିବେନି ।

ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ଆରାଧ୍ୟ ଦେବୀ ପୁରୁଣା କଟକ ସ୍ଥିତ ମାଆ ଭୈରବୀଙ୍କ ପୀଠରେ ଆଶ୍ଵିନ ମାସର ମୂଳାଷ୍ଟମୀ ତିଥିରୁ ଶାରଦୀୟ ଷୋଳପୂଜାର ଅୟମାରମ୍ଭ ହୋଇଛି । ଗୋଟିଏ ପଟେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପୁଅଜୀଉନ୍ତିଆ ପର୍ବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଉଥିବା ବେଳେ ବିଭିନ୍ନ ଦେବାଦେବୀ ପୀଠରେ ଖଣ୍ଡାବସା ପର୍ବ ପାଳନ କରାଯାଇଥିଲା । ସେହିପରି ପବିତ୍ର ମୂଳାଷ୍ଟମୀ ତିଥିରେ ଜିଲ୍ଲାଲ ପୁରୁଣା କଟକ ଠାରେ ଦେବୀ ଭୈରବୀଙ୍କ ପୀଠରେ ଶାରଦୀୟ ଷୋଳପୂଜାର ଆରମ୍ଭ ହୋଇଛି ।

ଏହାମଧ୍ୟ ପଢନ୍ତୁ.. ମାଆ ଲଙ୍କେଶ୍ବରୀଙ୍କ ଖଣ୍ଡାବସା ଯାତ୍ରା ସମ୍ପନ୍ନ, ଆରମ୍ଭ ହେଲା ଷୋଡଶ ଉପଚାର ପୂଜା

ମୂଳାଷ୍ଟମୀ ଦିନ ଦେବୀ ଭୈରବୀଙ୍କ ପୀଠରେ ମାଆଙ୍କ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ମନ୍ଦିର ଠାରେ ପହଞ୍ଚି ଦେବୀଙ୍କର ଦର୍ଶନ କରିଥିଲେ । ଅପରାହ୍ନ ପରେ ଦେବୀ ଭୈରବୀଙ୍କ ପାଟ ଛତ୍ର, ପାଟ ଖଣ୍ଡା ସହିତ ଢୋଲ, ମହୁରୀ ନିଶାଣ, ତାହା ବାଦ୍ୟର ତାଳେ ତାଳେ ଦେବୀଙ୍କ ଘଟ ନଗର ପରିକ୍ରମା କରାଯାଇଥିଲା । ସଂଧ୍ୟାରେ ଦେବୀଙ୍କ ମନ୍ଦିର ପ୍ରବେଶ ପରେ ମାଆ ଭୈରବୀଙ୍କ ନିକଟରେ ଗୁପ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି । ଆସନ୍ତା ଆଶ୍ଵିନ ମହାଷ୍ଟମୀ ପର୍ଯ୍ୟନ୍ତ ଦେବୀ ଭୈରବୀଙ୍କ ନିକଟରେ ଗୁପ୍ତ ପୂଜା ପରମ୍ପରା ରହିଆସିଛି । ପରଦିନ ଅର୍ଥାତ୍ ମହାନବମୀରେ ସାଧାରଣ ଶ୍ରଦ୍ଧାଳୁ ଦେବୀ ଭୈରବୀଙ୍କ ଦର୍ଶନ କରିପାରିବେ ବୋଲି ସୂଚନା ମିଳିଛି । ତେବେ ଏହି ଷୋଳପୂଜା ସମୟରେ କିଛି ନିର୍ଦ୍ଧିଷ୍ଟ ସେବାୟତଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଭକ୍ତ ମନ୍ଦିର ମଧ୍ୟରେ ପ୍ରବେଶ କିମ୍ବା ଭୈରବୀଙ୍କ ଦର୍ଶନ କରିବା ସମ୍ପୂର୍ଣ୍ଣ ବାରଣ ରହିଛି ।

ଏହି ସମୟରେ ଦେବୀ ଭୈରବୀଙ୍କ ପୁରାତନ ପୀଠ ଅର୍ଗଳିଆ ଠାରେ ମଧ୍ୟ ସ୍ବତନ୍ତ୍ର ବିଧିବିଧାନରେ ପୂଜାର୍ଚ୍ଚନା ହେବାର ପରମ୍ପରା ରହିଆସିଛି । ତେବେ ଏହି ଷୋହଳ ଦିନାତ୍ମକ ଗୁପ୍ତ ରୀତିନୀତି ଅତ୍ୟନ୍ତ ନିଷ୍ଠା ଓ କାଷ୍ଠାର ସହିତ ପାଳନ କରାଯାଏ । ଏହି ସମୟରେ ମନ୍ଦିର ମଧ୍ୟରେ ବିଦ୍ୟୁତ ଆଲୋକ ବ୍ୟବସ୍ଥା ମଧ୍ୟ ବନ୍ଦ କରାଯାଇଥାଏ ।

ଇଟିଭି ଭାରତ, ବୌଦ୍ଧ

Last Updated :Oct 7, 2023, 3:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.