ETV Bharat / state

ଆବାସ ଯୋଜନା ଧୂଆଁବାଣ, ଉପାନ୍ତ ଆମ୍ବଗାଁ ପଞ୍ଚାୟତରେ ବାଟବଣା ବିକାଶ

author img

By ETV Bharat Odisha Team

Published : Oct 31, 2023, 7:47 AM IST

Updated : Oct 31, 2023, 2:32 PM IST

ଉପାନ୍ତ ଆମ୍ବଗାଁ ପଞ୍ଚାୟତରେ ବାଟବଣା ବିକାଶ, ସରପଞ୍ଚଙ୍କ ଉଦବେଗ
ଉପାନ୍ତ ଆମ୍ବଗାଁ ପଞ୍ଚାୟତରେ ବାଟବଣା ବିକାଶ, ସରପଞ୍ଚଙ୍କ ଉଦବେଗ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଆମ୍ବଗାଁକୁ ପହଞ୍ଚିପାରୁନି ସରକାରୀ ଯୋଜନା । ରାସନ, ଆବାସ, ସ୍ୱାସ୍ଥ୍ୟସେବା ଭଳି ମୌଳିକ ଆବଶ୍ୟକତାରେ ସମସ୍ୟା । ଅଧିକ ପଢନ୍ତୁ

ଆବାସ ଯୋଜନା ଧୂଆଁବାଣ, ଉପାନ୍ତ ଆମ୍ବଗାଁ ପଞ୍ଚାୟତରେ ବାଟବଣା ବିକାଶ

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା । ସରପଞ୍ଚଙ୍କ ଚେଷ୍ଟା ସତ୍ୱେ ପ୍ରଶାସନିକ ଉଦାସୀନତା ଯୋଗୁଁ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା, ଆବାସ, ରାସନ୍, ପାନୀୟଜଳ ଭଳି ମୌଳିକ ଯୋଜନାରେ ବ୍ୟାପକ ସମସ୍ୟା ରହିଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଉପାନ୍ତ ପଞ୍ଚାୟତ ଆମ୍ବଗାଁରୁ ଆସିଛି ଏହି ଅଭିଯୋଗ ।

ବୌଦ୍ଧ ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ଶହେ କିଲୋମିଟର ଦୂରରେ ଅବସ୍ଥିତ ଆମ୍ବଗାଁ ପଞ୍ଚାୟତ । ଏହି ପଞ୍ଚାୟତରେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଠିକରେ ପହଞ୍ଚି ପାରୁନଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ସୋମବାର ଆମ୍ବଗାଁ ପଞ୍ଚାୟତରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା ବେଳେ ଏଠାରେ ଅନେକ ଅସହାୟ ହିତାଧିକାରୀ ସରକାରୀ ଯୋଜନାରୁ ବାଦ ପଡ଼ିଥିବା ଦେଖିବାକୁ ମିଳିଥିଲା । ଆମ୍ବଗାଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ବସବାସ କରୁଥିବା ଗୋଟିଏ ଗରିବ ଅସହାୟ ପରିବାରକୁ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ । ପରିବାରର ଏକମାତ୍ର ରୋଜଗାରକ୍ଷମ ପୁଅ ତାମିଲନାଡୁରେ ଦାଦନ ଖଟିବାକୁ ଯାଇ ସେଠାରୁ ଯାହା ଖର୍ଚ୍ଚ ପଠାଉଛି ସେଥିରେ ପରିବାରଟି ଚଳୁଛି । ଜରିପାଲ ଘରେ ରହୁଥିବା ବେଳେ ଆବାସ ଯୋଜନାରେ ତାଙ୍କୁ ସାମିଲ କରାଯାଇନଥିବା ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ..ଶ୍ରୀହିନ ହୋଇପଡ଼ିଛି ବୌଦ୍ଧ ଜିଲ୍ଲାର ଆକାଂକ୍ଷୀ ପ୍ରକଳ୍ପ ନନ୍ଦନବନ

ସେହିପରି କୁରୁକୁପା ଗ୍ରାମର ଜଣେ ବୃଦ୍ଧ ଜନଶୁଣାଣୀ ଶିବିରକୁ ଆସିଥିବା ବେଳେ ସେଠାରୁ ସହାୟତା ନପାଇ ଦୁଃଖରେ ଫେରି ଯାଇଥିଲେ । ଉକ୍ତ ବୃଦ୍ଧଙ୍କ ପରିବାରରେ 6 ଜଣ ସଦସ୍ୟ ରହିଥିଲେ ମଧ୍ୟ ମାତ୍ର ଦୁଇ ଜଣଙ୍କୁ ଚାଉଳ ମିଳୁଥିବା ବେଳେ ଅନ୍ୟ ଚାରିଜଣଙ୍କୁ ପାଳି କରି ଭୋକ ଉପାସରେ ରହିବାକୁ ପଡୁଛି । ମୁଣ୍ଡ ଉପରେ ଛାତ ଘର ଖଣ୍ଡିଏ ପାଇଁ ଗୁହାରି କଲେ ମଧ୍ୟ କେହିହେଲେ ଶୁଣିବାକୁ ନାହାନ୍ତି ।ମୂଲ ମଜୁରୀ କରି ପରିବାରଟି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଚଳୁଥିବା ବେଳେ ଏମାନଙ୍କ ଦୁଃଖ ଶୁଣିବାକୁ ସତେ ଯେପରି କେହି ନାହାନ୍ତି । ଏଭଳି ଅନେକ ଗରିବ ଅସହାୟ ହିତାଧିକାରୀ ଙ୍କ ନିକଟରେ ସରକାରୀ ଯୋଜନା ଠିକରେ ପହଞ୍ଚି ପାରୁନଥିବା ବେଳେ ସ୍ଥାନୀୟ ମହିଳା ସରପଞ୍ଚଙ୍କ ଉଦ୍ୟମ କ୍ରମେ ଅଞ୍ଚଳରେ ସରକାରୀ ସହାୟତା ପହଞ୍ଚାଇବା ପାଇଁ ସେ ଯଥାସାଧ୍ୟ ଉଦ୍ୟମ କରୁଥିବା ସୂଚନା ମିଳିଛି ।

ଖୋଦ ଆମ୍ବଗାଁ ପଞ୍ଚାୟତର ସରପଞ୍ଚ ନିଜ ଅଞ୍ଚଳର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ଓ ଆବାସ ଯୋଜନାରେ ରହିଥିବା ସମସ୍ୟାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏହାଛଡା 12 ଗୋଟି ଓ୍ବାର୍ଡକୁ ନେଇ ଗଠିତ ଆମ୍ବଗାଁ ପଞ୍ଚାୟତର ଅନେକ ଅଞ୍ଚଳକୁ ରାସ୍ତାର ସମସ୍ୟା ରହିଥିବାରୁ ସରପଞ୍ଚ ଏନେଇ ପଦକ୍ଷେପ ଗ୍ରହଣ କରୁଥିବା ସୂଚନା ମିଳିଛି । ତେବେ ଉପାନ୍ତ ଅଞ୍ଚଳରେ ଥିବା ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଶାସନିକ ଆନ୍ତରିକତାର ଯଥେଷ୍ଟ ଆବଶ୍ୟକତା ରହିଥିବା ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି ।


ଇଟିଭି ଭାରତ, ବୌଦ୍ଧ

Last Updated :Oct 31, 2023, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.