ETV Bharat / state

ପୋଲିସ ମାଡ଼ରେ ମଞ୍ଚ କଳାକାର ଗୁରୁତର

author img

By ETV Bharat Odisha Team

Published : Jan 2, 2024, 11:45 AM IST

ପୋଲିସ ମାଡ଼ରେ ମଞ୍ଚ କଳାକାର ଗୁରୁତର
ପୋଲିସ ମାଡ଼ରେ ମଞ୍ଚ କଳାକାର ଗୁରୁତର

Police Attack On Artist: ନାଇଟ୍ ପାଟ୍ରୋଲିଂ ବେଳେ ଭଦ୍ରକ ଜିଲ୍ଲା ଆଗରପଡା ପୋଲିସ ମାଡ଼ରେ ମଞ୍ଚ କଳାକାର ଗୁରୁତର । ଅଧିକ ପଢନ୍ତୁ

ଭଦ୍ରକ: ପୋଲିସର ଦବଙ୍ଗଗିରି । ନାଇଟ୍ ପାଟ୍ରୋଲିଂ ବେଳେ ଭଦ୍ରକ ଜିଲ୍ଲା ଆଗରପଡା ପୋଲିସ ମାଡ଼ରେ ମଞ୍ଚ କଳାକାର ଗୁରୁତର ଆହତ । ଏନେଇ ଗୁରୁତରଙ୍କୁ ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ପାଟ୍ରୋଲିଂ ବେଳେ ଗାଡିର କାଗଜପତ୍ର ଯାଞ୍ଚ ଆଳରେ ଜନୈକ ମଞ୍ଚ କଳାକାରଙ୍କୁ ପୋଲିସ ପ୍ରବଳ ମାଡ଼ ମାରି ଲହୁଲୁହାଣ କରିଥିଲା । ଏହାପରେ ତାଙ୍କର ମୋବାଇଲ ଏବଂ ସୁନା ଚେନ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଆଗରପଡ଼ା ପୋଲିସର ଏଭଳି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ସଂପୃକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ଆଗରପଡା ଥାନା ଅନ୍ତର୍ଗତ ତେଲନଟି ଗାଁର ମଞ୍ଚ କଳାକାର ଗୋପିନାଥ ନାୟକ ଭଦ୍ରକରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସାରି ରାତ୍ରି ପ୍ରାୟ 11ଟାରେ ଘରକୁ ଫେରୁଥିଲେ । ଏହି ସମୟରେ 4 ଜଣ ପୋଲିସ କର୍ମଚାରୀ ଆଗରପଡା ଥାନାର ଶେଷ ସୀମା କାଣ୍ଡବା ରାମପୁର ନିକଟରେ ଥିବା ଏକ ବିୟର ବାର୍ ସମ୍ମୁଖ ରାସ୍ତାରେ ଛିଡା ହୋଇଥିଲେ । ସେଠାରେ ଗୋପିନାଥଙ୍କ ଗାଡିକୁ ଅଟକାଇ ଥିଲେ ଏବଂ ଗାଡିର କାଗଜପତ୍ର ଯାଞ୍ଚ କରିବା ପାଇଁ ତାଙ୍କୁ ମାଗିଥିଲେ । ସେ ନିଜ ଗାଡିର ସମସ୍ତ କାଗଜପତ୍ର ପୋଲିସ କର୍ମଚାରୀଙ୍କୁ ଦେଖାଇଥିଲେ । ଯାହାକି ସମ୍ପୂର୍ଣ୍ଣ ଭାବେ ଠିକ୍ ଥିଲା । ହେଲେ ପୋଲିସ କୌଣସି କାରଣ ନଥାଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ଟଙ୍କା ମାଗିଥିଲେ । ତେବେ ତାଙ୍କ ପାଖରେ ଟଙ୍କା ନ ଥିବାରୁ ସେ ଫୋନ ପେ'ରେ ଟଙ୍କା ଦେବାକୁ କହିଥିଲେ ।

ଏହା ମଧ୍ୟ ପଢନ୍ତୁ- ପୋଲିସର ବର୍ବରତା ବିରୋଧରେ କାର୍ଯ୍ୟାନୁଷ୍ଠାନ, ଥାର୍ଡ ଡିଗ୍ରୀ ଦେଇ ବଦଳି ହେଲେ ଥାନା ଅଧିକାରୀ

ଗୋପିନାଥ ମନା କରିବାରୁ ଏଥିରେ ଉତ୍ୟକ୍ତ ହୋଇ ତାଙ୍କୁ ଗାଡିରୁ ଘୋଷାଡ଼ି ଆଣି ବାଡି ସାହାଯ୍ୟରେ ପୋଲିସ କର୍ମଚାରୀମାନେ ପ୍ରବଳ ମାଡ଼ ମାରିଥିଲେ । ଏଥିସହ ତାଙ୍କ ପାଖରେ ଥିବା ମୋବାଇଲ୍ ଏବଂ ସେ ପିନ୍ଧିଥିବା ସୁନା ଚେନକୁ ଛଡ଼ାଇ ନେଇଥିଲେ । ପୋଲିସର ମାଡରେ ଗୋପିନାଥ ଗୁରୁତର ଆହତ ହୋଇଥିଲା । ଏହାପରେ ସେ ପିନ୍ଧିଥିବା ଟି-ସାର୍ଟକୁ ଚିରି ଦେଇ ସେଠାରୁ ପଳାଇ ଯାଇଥିଲେ ଆକ୍ରମଣକାରୀ ପୋଲିସ କର୍ମଚାରୀମାନେ ।

ଏନେଇ ଗୋପିନାଥଙ୍କ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଇବା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ଏବେ ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଅନ୍ୟପଟେ ଏନେଇ ଆଗରପଡ଼ା ଥାନାରେ ଗୋପିନାଥଙ୍କ ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଏହି ଘଟଣା ବାବଦରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.