ETV Bharat / state

ପୋଲିସର ବର୍ବରତା ବିରୋଧରେ କାର୍ଯ୍ୟାନୁଷ୍ଠାନ, ଥାର୍ଡ ଡିଗ୍ରୀ ଦେଇ ବଦଳି ହେଲେ ଥାନା ଅଧିକାରୀ

author img

By ETV Bharat Odisha Team

Published : Sep 24, 2023, 10:57 PM IST

ପୋଲିସର ଥାର୍ଡ ଡିଗ୍ରୀରେ ବ୍ୟକ୍ତି ଜଣକ ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି । କାର୍ଯ୍ୟାନୁଷ୍ଠାନ ସ୍ବରୂପ ରରୁଆଁ ଥାନା ଅଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ରରୁଆଁ ଥାନାରୁ ବାରିପଦା ସ୍ଥିତ ସାଇବର ଥାନାକୁ ବଦଳି କରିଛନ୍ତି ମୟୂରଭଞ୍ଜ ଏସପି । ଅଧିକ ପଢନ୍ତୁ

cops accused of thrashing a man
ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଥାନା ଅଧିକାରୀଙ୍କ ବଦଳି

ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଥାନା ଅଧିକାରୀଙ୍କ ବଦଳି

ରାଇରଙ୍ଗପୁର: ପୋଲିସର ଗୁଣ୍ଡାଗର୍ଦ୍ଦି ଘଟଣାରେ କାର୍ଯ୍ୟାନୁଷ୍ଠାନ । ଥାନାରେ ଜମିଜମା ବିବାଦକୁ ନେଇ ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଦ୍ବାରା ଥାର୍ଡ ଡିଗ୍ରୀ ପ୍ରୟୋଗ କରାଯାଇଥିଲା । ପୋଲିସର ଥାର୍ଡ ଡିଗ୍ରୀରେ ବ୍ୟକ୍ତି ଜଣକ ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି । ମୟୂରଭଞ୍ଜ ଜିଲ୍ଲାର ରରୁଆଁ ଥାନା ପୋଲିସର ଏଭଳି ବର୍ବରତା ଏବେ ଲୋକଲୋଚନକୁ ଆସିଛି । ତେବେ ଉତ୍ତେଜନା ମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଏସପି କାର୍ଯ୍ୟାନୁଷ୍ଠାନ ସ୍ବରୂପ ରରୁଆଁ ଥାନା ଅଧିକାରୀଙ୍କୁ ମୟୂରଭଞ୍ଜ ଜିଲ୍ଲାର ସଦରମହକୁମା ବାରିପଦା ସ୍ଥିତ ସାଇବର ଥାନାକୁ ବଦଳି କରିଛନ୍ତି ।


ସୂଚନା ଅନୁଯାୟୀ, ରରୁଆଁ ଥାନା ଅନ୍ତର୍ଗତ ଉତ୍ତରପୋଷି ଗ୍ରାମରେ ଜମିବାଡି ବିବାଦକୁ ନେଇ ରରୁଆଁ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ମାମଲା ରୁଜୁ ହେବା ପରେ ୨୨ ତାରିଖ ରାତିରେ ରରୁଆଁ ଥାନା ପୋଲିସ ଉତ୍ତରପୋଷୀ ଗାଁକୁ ଯାଇ ଶରତ ଗିରି ନାମକ ଜଣେ ଯୁବକକୁ ଗିରଫ କରି ଥାନାକୁ ଆଣିଥିଲା । ତେବେ ଥାନାକୁ ଆଣିବା ପରେ ଥାନା ବାହାରେ ଓ ଥାନା ଭିତରେ ୪ଜଣ ପୋଲିସ କର୍ମଚାରୀ ଶରତଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଶରତଙ୍କ ଦେହରେ ମାଡ ମରା ଯାଇଥିବା ଚିହ୍ନ ସବୁ ଦେଖିବାକୁ ମିଳିଥିଲା । ପରଦିନ ଶରତଙ୍କ ପରିବାର ଲୋକେ ଥାନାକୁ ଆସି ଶରତ ଗୁରୁତର ହୋଇପଡ଼ିଥିବା ଦେଖିବାକୁ ପାଇଥିଲେ । ଘଟଣାକୁ ନେଇ ଉତ୍ତରପୋଷୀ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଏହା ବି ପଢନ୍ତୁ...ଥାନାରେ ନିର୍ଦ୍ଦୋଷ ଯୁବକଙ୍କୁ ଥାର୍ଡ ଡିଗ୍ରୀ, ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ପରିବାର

ଉତ୍ତରପୋଷୀ ଗ୍ରାମରୁ ଶତାଧିକ ଲୋକେ ଏକଜୁଟ ହୋଇ ରରୁଆଁ ଥାନା ପହଞ୍ଚି ପୋଲିସର ଏପରି ବର୍ବରତା ବିରୁଦ୍ଧରେ ପ୍ରତିବାଦ କରିବା ସହିତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ତେବେ ବିଳମ୍ବିତ ରାତିରେ ଶରତ ଗିରିଙ୍କୁ ସର୍ତ୍ତ ମୂଳକ ଜାମିନରେ ଚିକିତ୍ସା ପାଇଁ ଥାନାରୁ ଛଡ଼ା ଯାଇଥିଲା । ପରିବାର ଲୋକେ ଶରତଙ୍କୁ ରରୁଆଁ ମେଡିକାଲରେ ଭର୍ତ୍ତି କରିବା ପରେ ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ଦେଖି ଡାକ୍ତର ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିଥିଲେ।

ତେବେ ଶରତ ଗିରିଙ୍କ ପ୍ରତି କରିଥିବା ଅମାନବୀୟ ନିର୍ଯାତନାର କାର୍ଯ୍ୟାନୁଷ୍ଠାନ ସ୍ବରୂପ ରରୁଆଁ ଥାନା ଅଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ରରୁଆଁ ଥାନାରୁ ବାରିପଦା ସ୍ଥିତ ସାଇବର ଥାନାକୁ ବଦଳି କରିଛନ୍ତି ମୟୂରଭଞ୍ଜ ଏସପି । ଏହା ସହିତ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ ମୟୂରଭଞ୍ଜ ପୋଲିସର ଏପରି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.