ETV Bharat / state

ସାଳନ୍ଦୀ ଏବଂ ବୈତରଣୀ ନଦୀରେ ବୁଲୁଛି କୁମ୍ଭୀର, ଆତଙ୍କୀତ ଅବସ୍ଥାରେ ଶୀତଳପୁର ଗ୍ରାମବାସୀ

author img

By

Published : Aug 1, 2023, 11:52 AM IST

Updated : Aug 1, 2023, 12:49 PM IST

Etv Bharat
Etv Bharat

ଭଦ୍ରକରେ କୁମ୍ଭୀର ଆତଙ୍କ। ନଦୀ ପଠାରେ କୁମ୍ଭୀର ଦେଖି ଆତଙ୍କୀତ ଅବସ୍ଥାରେ ଶୀତଳପୁର ଗ୍ରାମବାସୀ । ଅଧିକ ପଢନ୍ତୁ

Crocodile Terror In salandi and baitarani River

ଭଦ୍ରକ: ସାଳନ୍ଦୀ ଏବଂ ବୈତରଣୀ ନଦୀରେ ବୁଲୁଛି ମଣିଷ ଖିଆ କୁମ୍ଭୀର । ଆତଙ୍କିତ ଅବସ୍ଥାରେ ଚାନ୍ଦବାଲି ବ୍ଲକ ଶୀତଳପୁର ଗ୍ରାମବାସୀ । ଗତ କିଛି ଦିନ ତଳେ ନଦୀରେ 2ଟି କୁମ୍ଭୀର ବୁଲୁଥିବାର ଗାଁ ଲୋକ ଦେଖିଥିବା ବେଳେ ସୋମବାର ପୁଣି ଏକ କୁମ୍ଭୀର ବୁଲୁଥିବା ଗାଁ ଲୋକେ ଦେଖିଥିଲେ । ବୈତରଣୀ ଏବଂ ସାଳନ୍ଦୀ ନଦୀରେ ଘୁରି ବୁଲୁଥିବା ଏକ କୁମ୍ଭୀର ଗଛ ବୁଦା ମୂଳରେ ଶୋଇ ରହିଥିବା ବେଳେ କିଛି ମତ୍ସ୍ୟଜୀବୀଙ୍କୁ ଦେଖି ନଦୀକୁ ଲମ୍ଫ ମାରିଥିଲା । ଫଳରେ ଅଳ୍ପକେ କୁମ୍ଭୀର ମୁହଁରୁ ବର୍ତ୍ତି ଯାଇଥିଲେ ମତ୍ସ୍ୟଜୀବୀ ।

ସୋମବାର ମେଘୁଆ ପାଗ ରହିଥିବା ବେଳେ ସମୁଦ୍ର ଜୁଆରରେ ଉଛୁଳା ରହିଛି ସାଳନ୍ଦୀ ନଦୀ । ଫଳରେ ବୈତରଣୀ ଏବଂ ସାଳନ୍ଦୀ ନଦୀରେ ଘୂରି ବୁଲୁଥିବା 15ରୁ 16 ଫୁଟ ଲମ୍ବର ଏକ ହିଂସ୍ର କୁମ୍ଭୀର ଦୁଇ ନଦୀର ତିନି ତର ମୁହାଣରେ ଥିବା ଏକ ଗଛ ବୁଦା ମୂଳରେ ଶୋଇ ରହିଥିଲା। ଗାଁର କିଛି ମତ୍ସ୍ୟଜାବୀ ସବୁ ଦିନ ପରି ଗତକାଲି ଅପରାହ୍ନରେ ନଦୀ ଭିତରକୁ ମାଛ ମାରିବାକୁ ମଟର ଚାଳିତ ଡଙ୍ଗା ନେଇ ଯାଉଥିବା ସମୟରେ କୁମ୍ଭୀରଟିକୁ ଦେଖିଥିଲେ। ମତ୍ସଜୀବୀଙ୍କୁ ଦେଖି ବାରମ୍ବାର ଡଙ୍ଗା ଆଡକୁ ଝାମ୍ଫ ମାରିବା ସହ ନଦୀକୁ ଲମ୍ଫ ମାରିଥିଲା କୁମ୍ଭୀର । ଏହା ଦେଖିବା ପରେ ମତ୍ସଜୀବୀମାନେ ଜୀବନ ବଞ୍ଚାଇବାକୁ ଯାଇ ଅଧା ବାଟରୁ ଫେରି ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ-ଲୋକଙ୍କ ନିଦ ଉଡାଇଛି କୁମ୍ଭୀର ! ପୋଖରୀରୁ ମଣିଷଖିଆକୁ ଧରିଲା ବନବିଭାଗ

ଫଳରେ କୁମ୍ଭୀର ମୁହଁରୁ ମତ୍ସ୍ୟଜାବୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ଗାଁରେ ପାନୀୟ ଜଳ ଅଭାବ ରହିଥିବାରୁ ଶତ ପ୍ରତିଶତ ଲୋକ ନଦୀ ଜଳ ଉପରେ ନିର୍ଭର କରିଥାଆନ୍ତି । ହେଲେ ଗତ କିଛି ଦିନ ହେବ ନଦୀରେ କୁମ୍ଭୀର ଖାଦ୍ଯ ଅନ୍ୱେଷଣରେ ଘୁରି ବୁଲୁଥିବା ବେଳେ ଅନେକ ସମୟରେ ନଦୀ ପଠାରେ ଗାଇ ଗୋରୁଙ୍କୁ ଝାମ୍ଫ ମାରୁଛି । ପୂର୍ବରୁ କୁମ୍ଭୀର ଭୟ ଏଡାଇବା ସହ ସୁରକ୍ଷିତ ଯାତାୟତ ପାଇଁ ଗାଁ ଲୋକ ଚାନ୍ଦା କରି ନଦୀ କୂଳରେ ଜାଲ ବାନ୍ଧି ଥିଲେ। ହେଲେ ଗତ କିଛି ମାସ ତଳେ ନଦୀର ସୁରକ୍ଷା ବନ୍ଧ ସାଳନ୍ଦୀ ନଦୀକୁ ଧସିଯିବା ଫଳରେ ବନ୍ଧା ହୋଇଥିବା ଜାଲ ମଧ୍ୟ ନଦୀକୁ ଚାଲି ଯାଇଥିଲା।

ଧାମନଗର ବନଖଣ୍ଡ ବିଭାଗ ପକ୍ଷରୁ କୁମ୍ଭୀରଙ୍କଠାରୁ ଦୂରେ ରହିବା ପାଇଁ ନଦୀ ପଠାକୁ ନଯିବା ପାଇଁ ଡାକବାଜି ଯନ୍ତ୍ର ଦ୍ବାରା ସଚେତନତା କରାଯାଇଥିଲା । ଏହାପରେ ଏକ ସଚେତନତା ଫଳକ ଲଗାଇ କାମ ସାରିଦେଇଛି ବନବିଭାଗ । ହେଲେ ନଦୀ କଡ଼ରେ ଜାଲ ବାନ୍ଧିବା ପାଇଁ ସ୍ଥାନୀୟ ଲୋକ ଜଣାଇଥିଲେ ମଧ୍ଯ ଆଜି ପର୍ଯ୍ୟନ୍ତ ତାହା ହୋଇ ପାରିଲାନାହିଁ । ଏପରି ସ୍ଥଳେ ଉକ୍ତ ନଦୀ ବନ୍ଧ ଦେଇ ପ୍ରତିଦିନ ଗାଁ ସ୍କୁଲକୁ ଶହଶହ ଛାତ୍ରଛାତ୍ରୀ ଯାଉଛନ୍ତି । ଫଳରେ ନଦୀ କୂଳରେ କୁମ୍ଭୀର ବୁଲୁଥିବା ଦେଖା ଦେବାରୁ ସ୍କୁଲୁକୁ ଯାଇଥିବା ଛାତ୍ରଛାତ୍ରୀଙ୍କୁ କିପରି ଆଣିବେ ଚିନ୍ତାରେ ପଡ଼ିଥିଲେ ଅଭିଭାବକ । ଅନ୍ୟପଟେ ନଦୀ କୂଳରେ ବସବାସ କରୁଥିବା ନଦୀକୂଳିଆ ପରିବାର ଭୟରେ ଜୀବନ ବିତାଉଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭଦ୍ରକ

Last Updated :Aug 1, 2023, 12:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.