ETV Bharat / state

ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଚମକିଲେ ବଲାଙ୍ଗୀର ଖେଳାଳି, ଲନ୍‌ ବଲରେ ଜିତିଲେ 3 ପଦକ

author img

By ETV Bharat Odisha Team

Published : Nov 11, 2023, 12:37 PM IST

Etv Bharat
Etv Bharat

37ତମ ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଲନ୍‌ ବଲରେ ତିନୋଟି ବ୍ରୋଞ୍ଜ ପଦକ ହାସଲ କଲେ ବଲାଙ୍ଗୀର ଖେଳାଳି । ଅଧିକ ପଢନ୍ତୁ

odisha won bronze medal in lawn ball

ବଲାଙ୍ଗୀର: ଗୋଆରେ ଶେଷ ହୋଇଥିବା 37ତମ ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଓଡ଼ିଆ କ୍ରୀଡାବିତଙ୍କ କମାଲ । ଲନ ବଲରେ ତିନୋଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ବଲାଙ୍ଗୀରର କ୍ରୀଡାବିତ୍ । ପୁରୁଷ ସିଙ୍ଗଲ୍ସରେ ଗୋଟିଏ ବ୍ରୋଞ୍ଜ, ପୁରୁଷ ଚାରି ଓ ମହିଳା ଚାରିରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ମିଳିଛି । ଜନ୍ମମାଟିକୁ ଫେରିବା ପରେ ଖେଳାଳିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଏହି ସଫଳତା ପାଇଁ ସେମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଓଡିଶା ଲନ ବଲ ଟିମ ପୂର୍ବରୁ ଦିଲ୍ଲୀରେ ହୋଇଥିବା ଜାତୀୟ କ୍ବାଲିଫାଇଂ ଟୁର୍ଣ୍ଣାମେଣ୍ଟରେ ଚତୁର୍ଥ ସ୍ଥାନରେ ରହି ଜାତୀୟ 37ତମ କ୍ରୀଡା ପ୍ରତିଯୋଗିତାରେ ଖେଳିବାର ଯୋଗ୍ୟତା ହାସଲ କରିଥିଲା । ଗୋଆରେ ଗତ 25 ଅକ୍ଟୋବରରୁ 9 ନଭେମ୍ବର ପର୍ଯ୍ୟନ୍ତ ଜାତୀୟ କ୍ରୀଡା ପ୍ରତିଯୋଗିତା ଚାଲିଥିଲା । ଲନ ବଲରେ ଆଠଟି ରାଜ୍ୟରେ ଖେଳାଳିଙ୍କ ସହିତ କଡା ଟକ୍କର ଦେଇ ଓଡ଼ିଆ ଖେଳାଳି ତିନୋଟି ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଥିଲେ । ଓଡ଼ିଶାର ଏହି ଲନ ବଲ ଟିମରେ ବଲାଙ୍ଗୀରର ଦଶ ଜଣ ଖେଳାଳି ଓ ବାଲେଶ୍ୱର ଜିଲ୍ଲାରୁ ଜଣେ ଖେଳାଳି ସାମିଲ ଥିଲେ । ଶୁକ୍ରବାର ସମସ୍ତ ଖେଳାଳି ବଲାଙ୍ଗୀରରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ଖେଳାଳି, ଲନ୍‌ ବଲ ଖେଳରେ ଆଣିଲେ 7 ପଦକ

ବ୍ରୋଞ୍ଜ ଜିତିଥିବା ଖେଳାଳି କୈଳାଶ ମାଝୀ ଓ ରୋସନୀ ସାହୁ କହିଛନ୍ତି ଯେ, ପ୍ରଥମେ ରାଜ୍ୟ ପାଇଁ ଖେଳି ଦିଲ୍ଲୀରେ ସପ୍ତମ ମଧ୍ୟରେ ରହି ଜାତୀୟ କ୍ରୀଡ଼ାରେ ଖେଳିବାର ସୁଯୋଗ ପାଇଥିଲୁ । ବଲାଙ୍ଗୀର ଭଳି ଜିଲ୍ଲାରେ ଲନ ବଲର କୌଣସି ଭିତ୍ତିଭୂମି ନଥିଲେ ମଧ୍ୟ ରାଜେନ୍ଦ୍ର ନାରାୟଣ ଇଣ୍ଡୋର ଷ୍ଟାଡିୟମରେ ସୀମିତ ସାଧନରେ ଅଭ୍ୟାସ ଜାରି ରଖିଥିଲୁ । ପରେ କଟକରେ ଅଧିକ ଅଭ୍ୟାସ ଓ ଦିଲ୍ଲୀରେ ଅନ୍ତର୍ଜାତୀୟ ସ୍ତରୀୟ ଅଭ୍ୟାସ ପରେ ଏହି ସଫଳତା ଆମେ ପାଇଛୁ । ଏଥିପାଇଁ ରାଜ୍ୟ କ୍ରୀଡା ବିଭାଗ ତଥା ସରକାରଙ୍କୁ ଧନ୍ୟବାଦ ଜଣାଉଛୁ । ଆଗକୁ ଜିଲ୍ଲାରେ ଉଚିତ ସୁବିଧା ପାଇଲେ ଆହୁରି ଭଲ ପ୍ରଦର୍ଶନ କରିବୁ ବୋଲି ଆଶା ।

ରାଜ୍ୟ ଲନ ବଲ ସଂଘର ସମ୍ପାଦକ ସୁମିତ ପୁରୋହିତ କହିଛନ୍ତି ଯେ, ଓଡିଶା ଲନ ବଲ ଟିମର ସବୁ ଖେଳାଳି ଖୁବ ପରିଶ୍ରମ କରିଥିଲେ । ବିଭିନ୍ନ ପର୍ଯ୍ୟାୟରେ ବିଶିଷ୍ଟ କୋଚଙ୍କ ଟ୍ରେନିଂରେ ଏମାନେ ଭଲ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ । ଦିଲ୍ଲୀର ଜାତୀୟ କ୍ରୀଡା ପାଇଁ ଏମାନେ ଦେଶରେ ଚତୁର୍ଥ ସ୍ଥାନରେ ରହି ଯୋଗ୍ୟତା ହାସଲ କରିଥିଲେ । ଗୋଆରେ ହୋଇଥିବା 37ତମ ଜାତୀୟ କ୍ରୀଡ଼ାରେ ଏମାନେ ସଫଳ ହୋଇ ତିନୋଟି ବ୍ରୋଞ୍ଜ ଜିତିଛନ୍ତି । ଏଥିପାଇଁ ରାଜ୍ୟ କ୍ରୀଡା ବିଭାଗ, ଲନ ବଲ ଓଡିଶା ସଂଘ ସଭାପତି ଏ ୟୁ ସିଂହଦେଓ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛି । ସେପଟେ ରାଜ୍ୟ ସରକାର ମଧ୍ୟ ଏହି ସଫଳ ଖେଳାଳିମାନଙ୍କୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.