ETV Bharat / state

Medical College Admission Fraud: ଛାତ୍ରଙ୍କଠୁ ୧୬ ଲକ୍ଷ ଠକେଇ, ୩ ଗିରଫ

author img

By ETV Bharat Odisha Team

Published : Oct 13, 2023, 9:35 PM IST

medical college admission fraud
ମେଡିକାଲ କଲେଜରେ ଆଡମିଶନ ଆଳରେ ଠକେଇ

ସରକାରୀ ମେଡିକାଲ କଲେଜରେ ଆଡମିଶନ ଆଳରେ ୧୬ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଭୁବନେଶ୍ୱରରୁ ୩ ସାଇବର ଲୁଟେରା ଗିରଫ ହୋଇଥିବାବେଳେ ଆହୁରି ୫ ଜଣ ଫେରାର ରହିଛନ୍ତି। ଅଧିକ ପଢନ୍ତୁ

ମେଡିକାଲ କଲେଜରେ ଆଡମିଶନ ଆଳରେ ଠକେଇ

ବଲାଙ୍ଗୀର: ସରକାରୀ ମେଡିକାଲ କଲେଜରେ ଆଡମିଶନ ଆଳରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ପୀଡ଼ିତ ଛାତ୍ର ଓ ତାଙ୍କ ପରିବାରବର୍ଗଙ୍କ ଅଭିଯୋଗ ପରେ ପଦକ୍ଷେପ ଗ୍ରହଣ କରିଛି ପୋଲିସ । ଭୁବନେଶ୍ୱରରୁ ୩ ସାଇବର ଲୁଟେରା ଗିରଫ ହୋଇଥିବାବେଳେ ଆହୁରି ୫ ଜଣ ଫେରାର ରହିଛନ୍ତି । ପାଖାପାଖି ୧୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଛାତ୍ର। ଅଭିଯୋଗ ଆଧାରରେ ରାଜ୍ୟ ତଥା ରାଜ୍ୟ ବାହାରେ ଚଢାଉ କରି ପୋଲିସ ୩ ଜଣଙ୍କୁ ଗିରଫ କରିଛି ।


ସୂଚନା ଅନୁସାରେ, ବରଗଡ଼ ସହରର ଜଣେ ଛାତ୍ର ଏହିଭଳି ଠକେଇର ଶିକାର ହୋଇଥିଲେ । ଯେଉଁଥିରେ ତାଙ୍କ ଠାରୁ ପର୍ଯ୍ୟାୟକ୍ରମେ 16 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ବଲାଙ୍ଗୀର ସାଇବର ପୋଲିସ ନିକଟରେ ଗତ 4 ଅକ୍ଟୋବରରେ ଅଭିଯୋଗ କରିଥିଲେ । ତେବେ ଏହି ମାମଲା ଅନ୍ୟ ଜିଲ୍ଲାର ହୋଇଥିଲେ ସୁଦ୍ଧା ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ସାଇବର ପୋଲିସ ଟିମ୍ ଏହାର ତଦନ୍ତ ଆରମ୍ଭ କରିଥିଲା । ଏଥିରେ ଭୁବନେଶ୍ୱର ବରମୁଣ୍ଡା ରୁଚିକା ମାର୍କେଟରେ ଥିବା ଏକ ଅନୁଷ୍ଠାନରେ ଚଢାଉ କରାଯାଇଥିଲା ।

ଏହି ଚଢାଉରେ ନୟାଗଡ଼ର ବ୍ୟାସଦେବ ମହାନ୍ତି,ମାନସ ପରିଡ଼ା ଏବଂ ଫୁଲବାଣୀର ଅବିନାଶ ଏଲିଆସ କାଂହା ପୁରୋହିତଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ୪ଟି ଦାମୀ ମୋବାଇଲ, ୧ ଲକ୍ଷ 90 ହଜାର ଟଙ୍କା, ୬ଟି ଡେବିଟ କାର୍ଡ ମଧ୍ୟ ପୋଲିସ ଜବତ କରିଛି। ସେମାନଙ୍କଠାରୁ ଅନେକ ଜାଲ କାଗଜ ପତ୍ର ଓ ଦସ୍ତାବିଜ ଜବତ କରିଛି ପୋଲିସ । ମୋଟ ୮ ଜଣ ଏହି 10 ବର୍ଷ ଧରି ଏହି ରାକେଟ୍ ଚଳାଇ ଆସୁଥିବା ଜଣାପଡିଛି । ନିକଟରେ ସେମାନେ ବରଗଡ଼ ଓ କେନ୍ଦୁଝର ଜିଲ୍ଲାର ୨ ଛାତ୍ରଙ୍କୁ ଏଭଳି ଭାବରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବାର ପୋଲିସ ପକ୍ଷରୁ କୁହାଯାଇଛି ।


ତେବେ ପୀଡ଼ିତ ଛାତ୍ରଙ୍କ ଭାଇ କହିଛନ୍ତି, "ଭୁବନେଶ୍ୱର ଯାଇ ଏକ ଘରୋଇ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ପଚରା ଉଚରା କରୁଥିବା ସମୟରେ ଏକ ବେସରକାରୀ ସଂସ୍ଥାରୁ କିଛି ବ୍ୟକ୍ତି ଆସି ଯୋଗାଯୋଗ କରିଥିଲେ । ଭଲ ମାର୍କ ଅଛି ଓ ସରକାରୀ ମେଡିକାଲ କଲେଜରେ ଆଡମିସନ ମିଳିଯିବ ବୋଲି କହିଥିଲେ । ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ନିଜକୁ ଓଜେଇର ଅଧିକାରୀ କହି ନକଲି କାଗଜ ପତ୍ରରେ ଦସ୍ତଖତ ଓ ବିବରଣୀ ନେଇଥିଲେ ।"

ଏହା ବି ପଢନ୍ତୁ...ନକଲି ସୂଚନା ଅଧିକାର କର୍ମୀଙ୍କ ନାଁରେ ଠକେଇ ଲିଙ୍କ୍, ରେଭେନ୍ସା ଛାତ୍ରକୁ ଗିରଫ କଲା STF

ସେହିପରି ବଲାଙ୍ଗୀର, କୋରାପୁଟ ଓ ବାରିପଦା ମେଡିକାଲ କଲେଜରେ ସିଟ୍ ଖାଲି ଅଛି ଓ ଏହା ପାଇଁ 30 ଲକ୍ଷ ଟଙ୍କା ଆଡମିଶନ ବାବଦରେ ଖର୍ଚ୍ଚ ହେବ ବୋଲି କହିଥିଲେ । ସେହିପରି ତାଙ୍କର ବିଭିନ୍ନ ଫର୍ମରେ ବିବରଣୀ ଲେଖି ସେମାନଙ୍କୁ ଦୁଇ ଜଣ ଓଜେଇ କାର୍ଯ୍ୟାଳୟକୁ ନେଇଥିଲେ । ବାହାରେ ତାଙ୍କୁ ଛିଡା କରାଇ ସେମାନେ ଭିତରକୁ ଯାଇଥିଲେ । ଏହାପରେ ଆଡମିଶନ ହୋଇଯାଇଛି କହି ଏହାର ଏକ ଇମେଲ ଛାତ୍ରର ମୋବାଇଲକୁ ଆସିଥିବାର କହିଥିଲେ । ତେବେ ଛାତ୍ର ଜଣକ ମେଲ ଯାଞ୍ଚ କରିବା ପରେ ବିବିଏମସିଏଚରୁ ଏକ ମେଲ ଆସିଥିବାର ଦେଖିଥିଲେ । ଯାହା ଦ୍ବାରା ସେମାନେ ଛାତ୍ରଙ୍କ ବିଶ୍ୱାସ ଜିତିବା ପରେ ୧୬ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.