ETV Bharat / state

ବଲାଙ୍ଗୀରରେ କାହିଁକି ବଢୁଛି ସାପ କାମୁଡା ମୃତ୍ୟୁ ? ବର୍ଷା ପରେ ସ୍ଥିତି ସଙ୍ଗୀନ

author img

By

Published : Jul 31, 2023, 10:43 PM IST

ବଢୁଛି ସାପ କାମୁଡ଼ା ଜନିତ ମୃତ୍ୟୁ
ବଢୁଛି ସାପ କାମୁଡ଼ା ଜନିତ ମୃତ୍ୟୁ

ରାଜ୍ୟରେ ସାପ କାମୁଡା ଜନିତ ମୃତ୍ୟୁ ସଂଖ୍ୟା ବଢୁଥିବାବେଳେ ବଲାଙ୍ଗୀରରେ ମଧ୍ୟ 10ଜଣଙ୍କ ଜୀବନ ଗଲାଣି । ଏଥିପାଇଁ ସରକାର ସଚେତନ କରିବା ସହ ବିଭିନ୍ନ ପଦକ୍ଷେପ ନେଲେ ସୁଦ୍ଧା ଏହି ଘଟଣାରେ ବ୍ରେକ୍ ଲାଗୁନାହିଁ । ଅଧିକ ପଢନ୍ତୁ

ବଢୁଛି ସାପ କାମୁଡ଼ା ଜନିତ ମୃତ୍ୟୁ

ବଲାଙ୍ଗୀର: ରାଜ୍ୟରେ ସାପ କାମୁଡା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଥିପାଇଁ ସରକାର ସଚେତନ କରିବା ସହ ବିଭିନ୍ନ ପଦକ୍ଷେପ ନେଲେ ସୁଦ୍ଧା ଏହି ଘଟଣାରେ ବ୍ରେକ୍ ଲାଗୁ ନାହିଁ। ବିଶେଷ କରି ଚଳିତ ବର୍ଷା ମାସରେ ଏହି ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି। ବଲାଙ୍ଗୀର ଜିଲ୍ଲାରେ ସଚେତନତା ଅଭାବରୁ ଲୋକଙ୍କ ଜୀବନ ଯାଉଥିବା କୁହାଯାଉଛି। ବିଶାକ୍ତ ସାପ କାମୁଡ଼ିଲେ ଲୋକେ ପ୍ରଥମେ ନିଜେ ଉପଚାର କରିବା ଓ ତା ସାଙ୍ଗକୁ ଝଡା ଫୁଙ୍କା କରୁଥିବା ଦେଖିବାକୁ ମିଳୁଛି। ଏହାସହ ବିଳମ୍ବରେ ସର୍ପ ଦଂଶନର ଶିକାର ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବାରୁ ମୃତ୍ୟୁ ଘଟୁଛି।

ସବୁଠି ବର୍ଷା ପାଣି ଭରିଯାଇଥିବାରୁ ସାପ କିମ୍ବା ଅନ୍ୟ ସରୀସୃପଙ୍କ ପ୍ରାର୍ଦୃଭାବ ବଢୁଛି। ଆବାସ ନଷ୍ଟ ହେବା ଦ୍ୱାରା ସେମାନେ ଜନବସତି ତଥା ଉଚ୍ଚ ସ୍ଥାନକୁ ଆସି ଥାଆନ୍ତି। ଯେଉଁଠି ମଣିଷ ସାଧାରଣତଃ ତାଙ୍କ ସଂସ୍ପର୍ଶରେ ଆସିଥାଏ। ସେହିପରି ଏହି ସମୟ ସାପଙ୍କ ମିଳନ ସମୟ ହୋଇଥିବାରୁ ସାପଙ୍କ ଗତିବିଧି ବଢିଥାଏ । ତେବେ ଖାଦ୍ୟ ଓ ଆବାସ ପାଇଁ ସାପ ଜନବସତି ମୁହାଁ ହେଉଥିବାବେଳେ ଦଂଶନର ଶିକାର ହେଉଛନ୍ତି ଲୋକେ । ସେହିପରି ଅଧିକାଂଶ କ୍ଷେତ୍ରରେ ଶୋଇଥିବା ସମୟରେ ସର୍ପ ଦଂଶନ କରୁଥିବା ଘଟଣା ନଜରକୁ ଆସିଛି।

ତେବେ ଜିଲ୍ଲାରେ ବିଷାକ୍ତ ସାପ କାମୁଡିବା ମୃତ୍ୟୁ ତଥ୍ୟ ଅନୁଯାୟୀ, ଗତ 2021ବର୍ଷରେ ଏହା 16 ଥିଲା। ସେହିପରି 2022ରେ ଏହି ମୃତ୍ୟୁ ସଂଖ୍ୟା 12 ଥିଲା। ବର୍ତ୍ତମାନ 2023 ଜୁଲାଇ ସୁଦ୍ଧା ଏହି ସଂଖ୍ୟା 10କୁ ପହଞ୍ଚି ସାରିଥିବା ଜିଲ୍ଲା ଜରୁରୀ ଶାଖା ଦେଇଥିବା ତଥ୍ୟରୁ ଜଣାପଡ଼ିଛି। ସେହିପରି କେବଳ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାର ତଥ୍ୟ ଅନୁଯାୟୀ, ଜୁଲାଇ ମାସରେ ବିଷାକ୍ତ ସାପ କାମୁଡ଼ିବାରୁ 62 ଜଣ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି। ଅର୍ଥାତ କେବଳ ଏହି ଜୁଲାଇ ମାସରେ 62 ଜଣଙ୍କୁ ଚିକିତ୍ସା କରାଯାଇଥିବାବେଳେ ଏଯାବତ୍ ବିଷାକ୍ତ ସାପ କାମୁଡିବାରୁ 10ଜଣଙ୍କ ଜୀବନ ଯିବା ଘଟଣା ନିହାତି ଚିନ୍ତାଜନକ ଅଟେ ।

ଏହା ବି ପଢନ୍ତୁ...ବଞ୍ଚିଯିବ ଜୀବନ: ଜାଣନ୍ତୁ ସାପ କାମୁଡିଲେ କଣ କରିବେ, କଣ ନାହିଁ

ଏନେଇ ସ୍ନେକ ହେଲପ ଲାଇନ ସଦସ୍ୟ ସାନୁଜ ମିଶ୍ର କହିଛନ୍ତି, "ବିଷାକ୍ତ କମନ କ୍ରେଟ ବା ଚିତି ସାପ କାମୁଡ଼ାରେ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି । କାରଣ ଏହି ସାପ ଆକାରରେ ଛୋଟ ଥିବାରୁ ଏହାର ଉପସ୍ଥିତି ବାବଦରେ ହଠାତ ଜଣାପଡିନଥାଏ। ଦଂଶନର ଶିକାର ହେବା ପରେ ଚିକିତ୍ସାରେ ବିଳମ୍ବ ହେଲେ ବ୍ୟକ୍ତିଙ୍କ ଜୀବନ ଯାଇଥାଏ । ବର୍ଷା ମାସରେ ସାପଙ୍କ ପ୍ରାକୃତିକ ଆବାସରେ ପାଣି ପଶିବା ଯୋଗୁଁ ଓ ଖାଦ୍ୟ ଅନ୍ୱେଷଣ ପାଇଁ ସେମାନେ ଜନବସତିକୁ ଚାଲି ଆସୁଛନ୍ତି। ଚିତି ସାପ ଛୋଟ ହେଲେ ମଧ୍ୟ ଅତ୍ୟନ୍ତ ବିଷାକ୍ତ ହୋଇଥିବାରୁ ଏହି ସାପ କାମୁଡ଼ିବାରୁ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି।"

ସେପଟେ ଏନେଇ ଭୟଭୀତ ନହୋଇ ସଚେତନ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଭୀମ ଭୋଇ ମେଡ଼ିକାଲ କଲେଜ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ମାନସୀ ପଣ୍ଡା । ସେ କହିଛନ୍ତି, "ବଲାଙ୍ଗୀର ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣରେ ଆଣ୍ଟି ଭେନମ ରହିଛି। ତେଣୁ ଦଂଶନର ଶିକାର ବ୍ୟକ୍ତିଙ୍କୁ ଝଡା ଫୁଙ୍କା ନକରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବା ଆବଶ୍ୟକ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.