ETV Bharat / state

ବଞ୍ଚିଯିବ ଜୀବନ: ଜାଣନ୍ତୁ ସାପ କାମୁଡିଲେ କଣ କରିବେ, କଣ ନାହିଁ

author img

By

Published : Jul 26, 2023, 9:35 PM IST

ସାପ କାମୁଡ଼ାଜନିତ ମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ କିଛିଟା ସାବଧାନତା ଆପଣେଇଲେ ଆପଣ ମଧ୍ୟ ସାପ କାମୁଡା ପରେ ଜୀବନ ବଞ୍ଚାଇବା ସହଜ ହେବ । ଜାଣନ୍ତୁ ସାପ କାମୁଡ଼ିବା ପରେ କଣ କରିବା ଉଚିତ ଓ କଣ ଅନୁଚିତ..

ଜାଣନ୍ତୁ ସାପ କାମୁଡିଲେ କଣ କରିବେ, କଣ କରିବେ ନାହିଁ
ଜାଣନ୍ତୁ ସାପ କାମୁଡିଲେ କଣ କରିବେ, କଣ କରିବେ ନାହିଁ

ଜାଣନ୍ତୁ ସାପ କାମୁଡିଲେ କଣ କରିବେ, କଣ କରିବେ ନାହିଁ

ଭୁବନେଶ୍ବର: ଦିନକୁ ଦିନ ବଢିବାରେ ଲାଗିଛି ସାପ କାମୁଡ଼ାଜନିତ ମୃତ୍ୟୁ । କେନ୍ଦୁଝରରେ ୩ ଜଣ, ଦେବଗଡ଼ ୨ ଜଣ ଏବଂ ମୟୁରଭଞ୍ଜରେ ସାପ କାମୁଡାରେ ଜଣଙ୍କ ମୃତ୍ୟୁ ପରେ ଏବେ ଭୟ ଘାରିଛି । ତେବେ ବ୍ୟସ୍ତ ହେବାରେ କିଛି ନାହିଁ । କିଛିଟା ସାବଧାନତା ଆପଣାଇଲେ ଆପଣ ମଧ୍ୟ ସାପ କାମୁଡା ପରେ ଜୀବନ ବଞ୍ଚାଇବା ସହଜ ହେବ । ତେବେ ସାପ କାମୁଡ଼ିଲେ କଣ କରିବେ ଏବଂ କଣ କରିବେ ନାହିଁ, ଶୁଣନ୍ତୁ ଏନେଇ କଣ କହୁଛନ୍ତି ସ୍ନେକ୍‌ ହେଲ୍ପଲାଇନ ଆବାହକ ଶୁଭେନ୍ଦୁ ମଲ୍ଲିକ ।

ସାପ କାମୁଡ଼ିଲେ କଣ କରିବେ: ସାପ କାମୁଡ଼ା ଏକ ଦୁର୍ଘଟଣା ବୋଲି ସେ କହିଛନ୍ତି । ସେ କହିଛନ୍ତି, "ବର୍ଷାଦିନ ହୋଇଥିବାରୁ ସାପ ଗାତରେ ପାଣି ପଶିବା ଫଳରେ ସାପମାନେ ଗାତରୁ ବାହାରି ବାହାରେ ବୁଲାବୁଲି କରନ୍ତି ବା ଉପର ସ୍ଥାନକୁ ଉଠି ଆସନ୍ତି । ତେଣୁ ସାପ କାମୁଡା ସଂଖ୍ୟା ବର୍ଷାଦିନେ ହିଁ ବଢିଥାଏ । ତେବେ ଯଦି ଆପଣଙ୍କୁ ସାପ କାମୁଡିଛି, କାମୁଡିବାର ପ୍ରଥମ ଏକ ଘଣ୍ଟା ହେଉଛି ଗୋଲ୍ଡେନ ଆୱାର । ଏହି ସମୟ ଭିତରେ ଚାହିଁଲେ ଆପଣ ଜୀବନ ବଞ୍ଚାଇପାରିବେ । ତେବେ ସେଥିପାଇଁ କିଛିଟା ସତର୍କତା ଅବଲମ୍ବନ କରିବାକୁ ପଡିବ । ସାପ କାମୁଡିଥିବା ସ୍ଥାନରୁ ଟିକିଏ ଉପରେ ଗାମୁଛା କିମ୍ବା ଲୁଗାରେ ବାନ୍ଧି ଦିଅନ୍ତୁ । ତା'ପରେ ସଙ୍ଗେସଙ୍ଗେ ଡାକ୍ତରଖାନା ନେଇଯାଆନ୍ତୁ । ଡାକ୍ତରଖାନା ନେବା ସମୟରେ ରୋଗୀ କିପରି ଆଚରଣ କରୁଛି, ତା'ଉପରେ ନଜର ରଖନ୍ତୁ । ବାନ୍ତି ହେଉଛି କି ନାହିଁ, ବାନ୍ତିରେ ରକ୍ତ ପଡୁଛି କି, ଏହା ଉପରେ ନଜର ରଖନ୍ତୁ । ସେହି ଅନୁସାରେ ଡାକ୍ତରକୁ ବିବରଣୀ ଦିଅନ୍ତୁ । ଫଳରେ ଡାକ୍ତର ଜାଣି ପାରିବେ କେଉଁ ସାପ କାମୁଡିଛି ଏବଂ ବିଷକୁ କିପରି ପ୍ରତିହତ କରିହେବ ।"

ସାପ କାମୁଡିଲେ କଣ କରିବେ ନାହିଁ: ଏନେଇ ସେ କହିଛନ୍ତି, "ସାପ କାମୁଡ଼ିଥିବା ସ୍ଥାନକୁ ପାଣିରେ ଧୋଇବେ ନାହିଁ । କିମ୍ବା ବରଫ ଘଷିବେ ନାହିଁ । ସାବୁନରେ ମଧ୍ୟ ସଫା କରିବେ ନାହିଁ । ସାପ କାମୁଡ଼ିଥିବା ଲୋକ ଡାକ୍ତରଖାନା ଯିବା ପାଇଁ ଦୌଡାଦୌଡି କରିବା ଦରକାର ନାହିଁ । ଏପରି କରିବା ଦ୍ବାରା ରକ୍ତ ସଂଚାଳନ ବଢିଥାଏ ଏବଂ ବିଷ ଶୀଘ୍ର ସାରା ଶରୀରକୁ ବ୍ୟାପିଥାଏ । ଚାଲି ଚାଲି ମୋଟରସାଇକେଲ କିମ୍ବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଯିବେ । ସାପ କାମୁଡ଼ିଥିବା ସ୍ଥାନକୁ ସୁତୁଲିରେ ଜୋରରେ ବାନ୍ଧିବା ଦରକାର ନାହିଁ । ହାତରେ ଯଦି ମୁଦି କିମ୍ବା କାଚ ପିନ୍ଧିଥାନ୍ତି ସଙ୍ଗେ ସଙ୍ଗେ ସେଗୁ଼ଡିକୁ କାଢିଦେବା ଦରକାର । ସାପ କାମୁଡ଼ିବା ପରର ୧ ଘଣ୍ଟା ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସଙ୍ଗେସଙ୍ଗେ ହସ୍ପିଟାଲ ନେବାର ବ୍ୟବସ୍ଥା କରନ୍ତୁ । ବିଶେଷ କରି ସରକାରୀ ହସ୍ପିଟାଲ । କାରଣ ସେଠାରେ ମାଗଣାରେ ଆଣ୍ଟି ଭେନମ ମିଳିଥାଏ । ଚିକିତ୍ସାର ପ୍ରଥମ ଅଧଘଣ୍ଟାରେ ଡାକ୍ତର ନିଷ୍ପତ୍ତି ନିଅନ୍ତି ଆଣ୍ଟି ଭେନମ ଦିଆଯିବ ନା ନାହିଁ । ତେଣୁ କାଳ ବିଳମ୍ବ ନକରି ସାପ କାମୁଡ଼ିବା ମାତ୍ରେ ଡାକ୍ତରଖାନା ନେବା ବ୍ୟବସ୍ଥା କରନ୍ତୁ ।"

ଏହା ମଧ୍ୟ ପଢ଼ନ୍ତୁ...ମୟୂରଭଞ୍ଜରେ ସାପ ଆତଙ୍କ, ଦୁଇ ଦିନରେ ଗଲାଣି ଦୁଇ ଜୀବନ

ଗତ କିଛିଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସାପ କାମୁଡ଼ାର ଉଦାହରଣମାନ ସାମ୍ନାକୁ ଆସିଛି । ଜୁଲାଇ ୨୩ ତାରିଖରେ କେନ୍ଦୁଝର ଜିଲ୍ଲା ନିଶ୍ଚିନ୍ତପୁର ଗାଁରେ କୋଚିଂ ସେଣ୍ଟରରେ ସାପ କାମୁଡ଼ିବାରୁ ୩ ଜଣ ପିଲାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଦେବଗଡ଼ ଜିଲ୍ଲା ଜଙ୍ଗଲିକୁଦ ଗାଁରେ ୨ ଜଣଙ୍କର ମୃତ୍ୟୁ ବିଷଧର ସାପ କାମୁଡ଼ିବାରୁ ହୋଇଥିଲା । ନିକଟରେ ମୟୂରଭଞ୍ଜ ଜିଲ୍ଲା କଟୁରିଆ ଗାଁରେ ସାପ କାମୁଡ଼ାରେ ଦେଢ଼ ବର୍ଷର ଶିଶୁ ପ୍ରାଣ ହରାଇଥିଲା । ଓଜନ ଅନୁସାରେ ବୟସ୍କଙ୍କ ତୁଳନାରେ ଛୋଟ ପିଲାଙ୍କର ସାପର ବିଷ ସହିତ ଲଢେଇ କରିବାର କ୍ଷମତା କମ ରହିଥାଏ । ତେବେ ତୁରନ୍ତ ଚିକିତ୍ସା କରାଗଲେ ସେମାନଙ୍କୁ ମଧ୍ୟ ବଞ୍ଚାଇ ହେବ ବୋଲି କହିଛନ୍ତି ସ୍ନେକ ହେଲ୍ପଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.