ETV Bharat / state

ସଂକଟରେ ଧଳା ସୁନା ଚାଷୀ, ନା ଅଛି ଜଳସେଚନ ନା ବିକ୍ରିର ସୁବିଧା !

author img

By ETV Bharat Odisha Team

Published : Dec 17, 2023, 7:13 PM IST

ସଂକଟରେ ଧଳା ସୁନା ଚାଷୀ
ସଂକଟରେ ଧଳା ସୁନା ଚାଷୀ

Cotton farmers face loss in Angul: ସଙ୍କଟରେ ପଡିଛନ୍ତି କପା ଚାଷୀ । ନା ଲାଭ ହେଉଛି ନା କ୍ଷତି । ତଥାପି ପେଟପାଟଣା ପାଇଁ ବାଧ୍ୟ ହୋଇ କପା ଚାଷ କରୁଛନ୍ତି । କିନ୍ତୁ ଜଳ ସେଚନର ଅଭାବରୁ ଯେଉଁ ଟିକକ ପାଇଁ ଆଶା ଥିଲା ତାହା ଉପରେ ମଧ୍ୟ ଭରଷା ନାହିଁ । ଯାହାକୁ ନେଇ ଚିନ୍ତାରେ ଚାଷୀ । ଅଧିକ ପଢ଼ନ୍ତୁ

ସଂକଟରେ ଧଳା ସୁନା ଚାଷୀ

ଅନୁଗୋଳ: ଦୁର୍ଦ୍ଦିନରେ ଅନୁଗୋଳ ଜିଲ୍ଲାର କପା ଚାଷୀ । କପା ଉତ୍ପାଦନରେ ନା ଲାଭ ଦେଉଛି ନା କ୍ଷତି । ସେପଟେ ବିକ୍ରି ପାଇଁ ମଧ୍ୟ ସୁବିଧା ନାହିଁ । ଫଳରେ ଚାଷୀମାନେ ନିଜସ୍ୱ ଖର୍ଚ୍ଚରେ ବଲାଙ୍ଗୀର ନେଇ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲାର ଆଠମଲ୍ଲିକ ଏବଂ ଅନୁଗୋଳ ବ୍ଲକର ପ୍ରାୟ ୫ଶହ ଏକରରୁ ଅଧିକ ଜମିରେ କପା ଚାଷ ହେଉଛି । କପା ଚାଷ ପାଇଁ କୌଣସି ସରକାରୀ ପ୍ରୋତ୍ସାହନ ନାହିଁ । ତେଣୁ ଚାଷୀମାନେ ଯେତିକି ଲାଭ ପାଇବା କଥା ସେତିକି ପାଇ ପାରୁ ନାହାନ୍ତି । କେବଳ ପେଟପାଟଣା ପାଇଁ ବାଧ୍ୟ ହୋଇ କପା ଚାଷ କରୁଛନ୍ତି ।

ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଓ ଅନୁଗୋଳ ବ୍ଲକର ଅଧିକାଂଶ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ବନ୍ୟଜନ୍ତୁ ପ୍ରାଦୁର୍ଭାବ ଯୋଗୁ କୌଣସି ଫସଲ ହୋଇ ପାରୁନାହିଁ । କିଛି ବର୍ଷ ହେବ ଶହ ଶହ ଏକର ଜମି ପଡିଆ ପଡୁଛି । ଏହାକୁ ଦେଖି ଅନେକ ଚାଷୀ ଏବେ କପା ଚାଷକୁ ଆପଣେଇଛନ୍ତି । କାରଣ କପା ଚାଷରୁ ଭଲ ଲାଭ ହୁଏ । ଅତି କମ ଜଳସେଚନର ଆବଶ୍ୟକତା ପଡେ । ଏହାସହ ଏହାକୁ କୌଣସି ବନ୍ୟଜନ୍ତୁ ଖାଆନ୍ତି ନାହିଁ । ଗତ ୩ ରୁ ୪ବର୍ଷ ହେବ ଜିଲ୍ଲାର ପ୍ରାୟ ୫ ଶହ ଏକରରୁ ଅଧିକ ଜମିରେ କପା ଚାଷ ହେଉଛି ।

ଚାଷୀଙ୍କ କହିବା ଅନୁସାରେ ଗୋଟିଏ ଏକର ଜମିରେ ୫ ରୁ ୭ କୁଇଣ୍ଟାଲ କପା ଉତ୍ପାଦନ ହୁଏ । କୁଇଣ୍ଟାଲ ପ୍ରତି ସାଢ଼େ ସାତ ହଜାର ଟଙ୍କାରେ ବିକ୍ରି ହୁଏ । ଏକର ପ୍ରତି ବିହନ, ଔଷଧ, ଜଳସେଚନ ଏବଂ କପା ତୋଳିବା ମଜୁରୀ ମିଶିଲେ ୨୫ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ । ତେଣୁ ଦେଖିବାକୁ ଗଲେ ଚାଷୀଙ୍କର ଭଲ ଦୁଇ ପଇସା ଲାଭ ହୁଏ । ହେଲେ ଏବେ ଜିଲ୍ଲାରେ କପା ଚାଷୀଙ୍କ ଦୁର୍ଦ୍ଦଶା ବଢି ଚାଲିଛି । କାରଣ ଏଠାରେ ଉତ୍ପାଦିତ ହେଉଥିବା କପା ବିକ୍ରି ପାଇଁ ସୁବିଧା ନାହିଁ । କିଛି ଚାଷୀ ବାଧ୍ୟ ହୋଇ ସୁଦୂର ବଲାଙ୍ଗୀର ନେଇ ବିକ୍ରି କରୁଛନ୍ତି । ଫଳରେ ପରିବହନ ଖର୍ଚ୍ଚ ଅଧିକ ହେଉଛି । ଆଉ କିଛି ଚାଷୀଙ୍କ ଠାରୁ ଆନ୍ଧ୍ରପ୍ରଦେଶର କିଛି ବ୍ୟବସାୟୀ ଆସି କମ ଦରରେ କିଣି ନେଉଛନ୍ତି । ତେଣୁ ଚାଷୀଙ୍କର ଯେତିକି ଲାଭ ହେବା କଥା ସେତିକି ହୋଇ ପାରୁ ନାହିଁ । ଏହାଛଡା ଏଠାକାର ଚାଷୀ କେବଳ ବର୍ଷା ଉପରେ ନିର୍ଭର କରନ୍ତି । କିଛି ବର୍ଷ ହେଲା ଜଳବାୟୁରେ ପରିବର୍ତ୍ତନ ଯୋଗୁ ଠିକ ସମୟରେ ଆବଶ୍ୟକ ବର୍ଷା ହେଉ ନାହିଁ । ଏଠାରେ ଜଳସେଚନର ସୁବିଧା ମଧ୍ୟ ନାହିଁ । ତେଣୁ ଚଳିତ ବର୍ଷ ପାଣି ଅଭାବରୁ ଭଲ ଗଛ ହୋଇ ନାହିଁ । ଗଛ ଭଲ ନହେବାରୁ ଫଳ ମଧ୍ୟ ଭଲ ପରିମାଣର ହୋଇ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ........କମଳା ଚାଷକୁ ବିଗାଡିଲା ଜଳବାୟୁ ! ଦିନେ ରପ୍ତାନୀ ହେଉଥିଲା ଏବେ ଗଛରେ ରହୁନି ଫଳ

କପା ଚାଷକୁ ଭାରତ ସରକାରଙ୍କ କଟନ ବୋର୍ଡ ପ୍ରୋତ୍ସାହନ ଦେଇଥାଏ । ଓଡ଼ିଶାର ରାୟଗଡା ଏବଂ ବଲାଙ୍ଗୀର ଠାରେ କଟନ ବୋର୍ଡର କାର୍ଯ୍ୟାଳୟ ଓ କର୍ମଚାରୀ ଅଛନ୍ତି । ସେଠାରେ ଚାଷୀମାନଙ୍କୁ ବିହନ ଯୋଗାଇ ଦିଆ ଯାଉଛି । କର୍ମଚାରୀମାନେ ଆସି ଚାଷୀମାନଙ୍କୁ ତାଲିମ ଦେଉଛନ୍ତି । ମଣ୍ଡି ଜରିଆରେ ଚାଷୀମାନଙ୍କ ଠାରୁ କପା ମଧ୍ୟ କିଣୁଛନ୍ତି । କିନ୍ତୁ ଅନୁଗୋଳରେ କପାକୁ ବିକଳ୍ପ ଚାଷ ଭାବରେ ଗ୍ରହଣ କରାଯାଉଥିଲେ ମଧ୍ୟ କୃଷି ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ । କୃଷି ବିଭାଗ ଅଧିକାରୀମାନେ କେଉଁଠି କେତେ ଚାଷୀ କପା ଚାଷ କରୁଛନ୍ତି ସେ ଖବର ମଧ୍ୟ ଜାଣି ନାହାନ୍ତି । ତେଣୁ ଅନୁଗୁଳର ଜଙ୍ଗଲ ଅଧ୍ୟୁଷିତ ଅଂଚଳରେ ବନ୍ୟଜନ୍ତୁ ପ୍ରାଦୁର୍ଭାବ ଯୋଗୁ କୌଣସି ଫସଲ ହୋଇ ପାରୁନଥିବା ବେଳେ କପା ଭଳି ଏକ ଲାଭଦାୟକ ଫସଲକୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ । କପା ଚାଷ ପ୍ରତି ଏବେ ଅନୁଗୁଳରେ ଚାଷୀମାନେ ଆଗ୍ରହ ପ୍ରକାଶ କଲେଣି । ସେମାନଙ୍କୁ ସରକାରୀ ସହାୟତା ଏବଂ ପ୍ରୋତ୍ସାହନ ଯୋଗାଇ ଦେଲେ ଆହୁରି ଅଧିକ ଚାଷୀ ଏହି ଚାଷ ପାଇଁ ଆଗେଇ ଆସନ୍ତେ ବୋଲି ଚାଷୀ କହିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.