ETV Bharat / state

ଆଠମଲ୍ଲିକରୁ 2 କୋଟିର ଗଞ୍ଜେଇ ଜବତ, 3 ଜଣଙ୍କୁ ବାନ୍ଧିଲା ଏସଟିଏଫ

author img

By

Published : Jun 12, 2023, 1:45 PM IST

cannabis seized by STF
cannabis seized by STF

ଅନୁଗୋଳ ଜିଲ୍ଲା ଆଠମଲ୍ଲିକରୁ ଆନ୍ତଃରାଜ୍ୟ ଗଞ୍ଜେଇ ରାକେଟ ଠାବ କରିଛି ଏସଟିଏଫ । ଅଧିକ ପଢନ୍ତୁ

ଭୁବନେଶ୍ବର: ନିର୍ଭୟରେ ଚାଲିଥିଲା ଗଞ୍ଜେଇ ବେପାର । ଚାଲାଣ ହେଉଥିଲା କୋଟି କୋଟି ଟଙ୍କାର ଗଞ୍ଜେଇ । ମାଡି ବସିଲା ଏସଟିଫ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକରୁ ଆନ୍ତଃରାଜ୍ୟ ଗଞ୍ଜେଇ ରାକେଟ ଠାବ ହୋଇଛି । ଏସଟିଏଫ ହାତରେ ପଡିଛନ୍ତି ଗଞ୍ଜେଇ ମାଫିଆ । ତିନି ଜଣଙ୍କୁ ଏସଟିଏଫ ଗିରଫ କରିଥିବା ନେଇ ସୂଚନା ମିଳିଛି ।

ଗଞ୍ଜେଇ ଚାଲାଣ କାରବାର ନେଇ ବିଶେଷ ସୂତ୍ରରୁ ଖବର ମିଳିବା ପରେ ତନାଘନା ଆରମ୍ଭ କରିଥିଲା ଏସଟିଏଫ । ଯୋଜନା ମୁତାବକ ଗଞ୍ଜେଇ ଚାଲାଣ ହେଉଥିବା ସ୍ଥାନରେ ଚଢାଉ କରିଥିଲା ସ୍ପେଶାଲ ଟାକ୍ସଫୋର୍ସ ଟିମ । ଘଟଣାସ୍ଥଳରୁ ଏସଟିଏଫ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ 161କେଜିର‌ ଗଞ୍ଜେଇ ଜବତ କରିଛି । ଏହାସହ କିଛି ଆପତ୍ତିଜନକ ସାମଗ୍ରୀ ଏସଟିଏଫ ହାତରେ ଲାଗିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ । ଗିରଫ ଗଞ୍ଜେଇ ମାଫିଆଙ୍କୁ ଆଠମଲ୍ଲିକ ଥାନାକୁ ହସ୍ତାନ୍ତର କରିଛି ଏସଟିଏଫ । ତେବେ 2020ରୁ ଏଯାବତ 69 କେଜି ବ୍ରାଉନସୁଗାର ସହ 202ଗ୍ରାମ କୋକେନ ଏବଂ 115 କ୍ବିଣ୍ଟାଲ ଗଞ୍ଜେଇ ସମେତ 750ଗ୍ରାମ ଅଫିମ ଜବତ ହୋଇଛି । ଏଥିସହ 172ଜଣ ନିଶା ବେପାରୀ ଓ ପେଡଲରଙ୍କୁ ଏଯାବତ ଗିରଫ କଲାଣି ଏସଟିଏଫ ।

ପ୍ରକାଶ ଥାଉକି, ସେହିପରି ଗତକାଲି ପୁଣି ଅବକାରୀ ବିଭାଗ ଜାଲରେ ପଡିଥିଲା ଆଉ ଏକ ଗଞ୍ଜେଇ ମାଫିଆ । ମଦନପୁର ରାମପୁର ଅଞ୍ଚଳରୁ ରାଇପୁରକୁ ଏକ ଇନୋଭା କାରରେ ଗଞ୍ଜେଇ ଚାଲାଣ କରାଯାଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ ଅଁଳାଭାଟା ନିକଟରେ ଗାଡ଼ିଟିକୁ କାବୁ କରିଥିଲା । ଜବତ ହୋଇଥିବା ଗାଡିରେ ପ୍ରାୟ ୨୮୦ କେଜି ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା ହେବ ବୋଲି ବିଭାଗ ସୂଚନା ଦେଇଛି । ଏହାସହ ଜଣେ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ମଧ୍ୟ ସଫଳ ହୋଇଛି ଅବକାରୀ ବିଭାଗ । ଗିରଫ ଗଞ୍ଜେଇ ମାଫିଆ ଜଣକ ହେଲା ନରେଶ କୁମାର ନେତମ ।

ସେପଟେ ନର୍ଲା ଅଞ୍ଚଳରେ ମଧ୍ୟ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଚଢ଼ାଉ କରିବାରେ ସଫଳ ହୋଇଥିଲା । କଳାହାଣ୍ଡି କନ୍ଧମାଳ ସୀମାନ୍ତ ଜଙ୍ଗଲ ରାସ୍ତାରେ ବାଇକ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବାରବନ୍ଧା ଜଙ୍ଗଲ ନିକଟରେ ଅବକାରୀ ବିଭାଗ ବାଇକଟିକୁ କାବୁ କରିବା ସହ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିଲା । ଦୁଇଜଣ ଗଞ୍ଜେଇ ମାଫିଆ ବାଇକରେ ପ୍ରାୟ ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହୋଇଥିବା ବେଳେ ଦୁଇ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.