ETV Bharat / state

ସାତକୋଶିଆ ଗଣ୍ଡରୁ ଉଦ୍ଧାର ଛୁଆଙ୍କ ହେଉଛି ମୃତ୍ୟୁ ! ଅଧିକାରୀ କହୁଛନ୍ତି ଯତ୍ନ ନିଆଯାଉଛି

author img

By ETV Bharat Odisha Team

Published : Sep 4, 2023, 9:59 PM IST

baby gharials crocodile died in satkosia
ସାତକୋଶିଆରେ ଘଡ଼ିଆଳ ଛୁଆଙ୍କ ମୃତ୍ଯୁ ଅଭିଯୋଗ

ମହାନଦୀ ସାତକୋଶିଆ ଗଣ୍ଡରେ ବନ୍ୟାରେ ଭାସିଯିବା ଆଶଙ୍କା ଥିବାରୁ ଘଡ଼ିଆଳ ଛୁଆକୁ ଉଦ୍ଧାର କରି ଟିକରପଡା ଠାରେ ଥିବା ଘଡ଼ିଆଳ ରେସକ୍ୟୁ ସେଣ୍ଟରେ ରଖାଯାଇଛି । ହେଲେ ଘଡ଼ିଆଳଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ରେସକ୍ୟୁ ସେଣ୍ଟରେ ରଖାଯିବା ଦିନଠାରୁ ୪ଟି କୁମ୍ଭୀରଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଅନେକଙ୍କ ସ୍ବାସ୍ଥ୍ୟ ଭଲ ନଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ସାତକୋଶିଆରେ ଘଡ଼ିଆଳ ଛୁଆଙ୍କ ମୃତ୍ଯୁ ଅଭିଯୋଗ

ଅନୁଗୋଳ: ମହାନଦୀ ସାତକୋଶିଆ ଗଣ୍ଡରେ ବନ୍ୟାରେ ଭାସିଯିବା ଆଶଙ୍କା ଥିବାରୁ ଗତ ଜୁଲାଇ ମାସରେ ୨୫ଟି ଘଡ଼ିଆଳ ଛୁଆକୁ ଉଦ୍ଧାର କରି ଟିକରପଡା ଠାରେ ଥିବା ଘଡ଼ିଆଳ ରେସକ୍ୟୁ ସେଣ୍ଟରରେ ରଖା ଯାଇଛି । ହେଲେ ବନ ବିଭାଗ ସେମାନଙ୍କୁ ସୁରକ୍ଷିତ ରଖିବାରେ ବିଫଳ ହୋଇଛି । ଏହା ମଧ୍ୟରେ ୪ଟି ଘଡ଼ିଆଳ ଛୁଆ ମୃତ୍ୟୁବରଣ କରିଥିବା ବେଳେ ଗୋଟିଏ ମୃତ୍ୟୁ ସହ ଲଢ଼ୁଛି । ଅନ୍ୟ ମାନଙ୍କ ଅବସ୍ଥା ମଧ୍ୟ ଆଦୌ ଭଲ ନଥିବା ଜଣା ପଡ଼ିଛି । ଏହାକୁ ନେଇ ବନ୍ୟଜନ୍ତୁ ଓ ପରିବେଶ ପ୍ରେମୀ ନିଜର ଅସନ୍ତୋଷ ଜାହିର କରିଛନ୍ତି ।

ଘଡ଼ିଆଳ ଭଳି ବିରଳ ପ୍ରଜାତିର କୁମ୍ଭୀର ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ମାନଙ୍କ ଅପାରଗତା ଯୋଗୁଁ ତାହା ସଫଳ ହୋଇ ପାରୁନାହିଁ । ରାଜ୍ୟର କେବଳ ମହାନଦୀ ସାତକୋଶିଆ ଗଣ୍ଡରେ ଏହି ପ୍ରଜାତିର କୁମ୍ଭୀର ଦେଖିବାକୁ ମିଳନ୍ତି । ଏଠାରେ ଘଡ଼ିଆଳ ମାନଙ୍କ ପାଇଁ ଉପଯୁକ୍ତ ପରିବେଶ ଥିବାରୁ ଗତ ଦୁଇ ବର୍ଷ ମଧ୍ୟରେ ନନ୍ଦନକାନନରୁ ପର୍ଯ୍ୟାୟ କ୍ରମେ ୧୮ଟି ଘଡ଼ିଆଳ ଛଡା ଯାଇଥିଲା । ଚଳିତ ବର୍ଷ ଗତ ମେ' ମାସରେ ୩୫ଟି ଘଡ଼ିଆଳ ଛୁଆ ଜନ୍ମ ହୋଇଥିଲେ । ୨୦୨୧ରେ ୨୮ଟି ଏବଂ ୨୦୨୨ରେ ୩୨ଟି ଘଡ଼ିଆଳ ଛୁଆ ଜନ୍ମ ହୋଇଥିଲେ । କିନ୍ତୁ ବନ୍ୟାରେ ସେମାନେ ଭାସି ଯାଇଥିଲେ । ଚଳିତ ବନ୍ୟାରେ କିଭଳି ଏହି ବିରଳ ଘଡ଼ିଆଳ ଭାସି ନଯିବେ ସେଥିପାଇଁ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି । ବନ୍ୟା ପରେ ସ୍ୱାଭାବିକ ପରିସ୍ଥିତି ହେଲେ ସେମାନଙ୍କୁ ପୁଣି ଥରେ ଛାଡ଼ି ଦିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ହେଲେ ଏକ ପ୍ରାକୃତିକ ପରିବେଶରୁ ଆଣି ମଣିଷକୃତ ପରିବେଶ ଭିତରେ ରଖିବାକୁ ହେଲେ ବନ୍ୟଜନ୍ତୁ ସୁରକ୍ଷା ଆଇନର ସମସ୍ତ ଗାଇଡ଼ ଲାଇନ ମାନିବାକୁ ହୁଏ । ସାତକୋଶିଆ କର୍ତ୍ତୃପକ୍ଷ ମନଇଚ୍ଛା ଘଡ଼ିଆଳ ଛୁଆ ଗୁଡିକୁ ଆଣି ରଖିଛନ୍ତି । କୌଣସି ଅଭିଜ୍ଞ ବିଶେଷଜ୍ଞଙ୍କୁ ଏଠାରେ ନିୟୋଜିତ କରାଯାଇନାହିଁ । ଫଳରେ ୪ଟି ଘଡ଼ିଆଳ ଛୁଆଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ମାନଙ୍କ ଅବସ୍ଥା ଭଲ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: ବନ୍ୟା ପୂର୍ବରୁ ଘଡ଼ିଆଳ ସୁରକ୍ଷା ଚିନ୍ତା, ଉଦ୍ଧାର ହେଲେ 20 ଛୁଆ


ମହାନଦୀ ସାତକୋଶିଆ ଗଣ୍ଡରେ କିଛି ବର୍ଷ ହେଲା ଘଡ଼ିଆଳ ବଂଶ ବୃଦ୍ଧି ପାଇଁ ବହୁ ଉଦ୍ୟମ କରା ଯାଉଛି । କିନ୍ତୁ ସଫଳତା ମିଳିପାରୁ ନାହିଁ । ଏଠାରେ ପୂର୍ବରୁ ଥିବା ଏକ ମାତ୍ର ମାଆ ଘଡ଼ିଆଳ ଲଗାତାର ୩ବର୍ଷ ହେଲା ଛୁଆ ଦେଉଛି । କିନ୍ତୁ ସେମାନଙ୍କୁ ସୁରକ୍ଷା ଦିଆ ଯାଇ ପାରୁନାହିଁ । ଦେଶର ଚମ୍ବଲ ଓ ଗଣ୍ଡକ ନଦୀରେ ଯୋଜନା ମୁତାବକ ଘଡ଼ିଆଳ ସଂରକ୍ଷଣ କରା ଯାଇଥିବାରୁ ସେଠାରେ ଆଶାତୀତ ଭାବେ ଘଡ଼ିଆଳ ସଂଖ୍ୟା ବଢିବାରେ ଲାଗିଛି । ସାତକୋଶିଆ ଗଣ୍ଡରେ ବଂଶ ବୃଦ୍ଧି ହେବାତ ଦୂରର କଥା ଯେଉଁ ଛୁଆ ହେଉଛନ୍ତି ସେମାନଙ୍କୁ ସୁରକ୍ଷା ଦିଆ ଯାଇ ପାରୁନାହିଁ । ଏନେଇ ପରିବେଶବିତ୍ କହିଛନ୍ତି, ସାତକୋଶିଆରେ ଘଡ଼ିଆଳଙ୍କ ଜତ୍ନ ନେବାପାଇଁ ଅଭିଜ୍ଞ ଘଡ଼ିଆଳ ବିଶେଷଜ୍ଞ ନାହାଁନ୍ତି । ସ୍ୱଳ୍ପ ଜ୍ଞାନ ଥିବା କିଛି କର୍ମଚାରୀ କିଛି ନଜାଣି ସୁରକ୍ଷା ଦେବାର ବାହାସପଟ ମାରୁଛନ୍ତି । ଫଳରେ ଘଡ଼ିଆଳଙ୍କ ମୃତ୍ୟୁ ଘଟୁଛି । ଏପରି ହେଲେ ଘଡ଼ିଆଳ ବଂଶ ବୁଡ଼ିଯିବ ।" ସେପଟେ ଘଟଣା ନେଇ ଭିର୍ଣ୍ଣ ମତ ଦେଇଛନ୍ତି DFO । ସେ କହିଛନ୍ତି, ସେଭଳି କୌଣସି ଅସୁବିଧା ହୋଇନାହିଁ । ପ୍ରାକୃତିକ ଆବାସସ୍ଥଳୀରୁ ଅଣାଯାଇ ରେସକ୍ୟୁ ସେଣ୍ଟରେ ରଖାଯିବା ଯୋଗୁଁ ଏପରି ଘଟିଛି । ପାଣି କମିଲେ ପୁଣି ସେମାନଙ୍କୁ ଗଣ୍ଡରେ ଛାଡି ଦିଆଯିବ । ଘଡ଼ିଆଳ ଛୁଆ ମୃତ୍ୟୁକୁ ସାତକୋଶିଆ କର୍ତ୍ତୃପକ୍ଷ ପରୋକ୍ଷରେ ସ୍ୱୀକାର କରିବା ସହ ସେମାନଙ୍କର ସମସ୍ତ ଯତ୍ନ ନିଆଯାଉଛି ବୋଲି କହିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.