ETV Bharat / state

ବନ୍ୟା ପୂର୍ବରୁ ଘଡ଼ିଆଳ ସୁରକ୍ଷା ଚିନ୍ତା, ଉଦ୍ଧାର ହେଲେ 20 ଛୁଆ

author img

By

Published : Jul 23, 2023, 3:50 PM IST

ମହାନଦୀ ସାତକୋଶିଆ ଗଣ୍ଡରୁ ୨୦ ଘଡ଼ିଆଳ ଛୁଆ ଉଦ୍ଧାର । ନଦୀରେ ଭାସି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ଟିକରପଡ଼ାଠାରେ ଥିବା ଘଡ଼ିଆଳ ରେସକ୍ୟୁ ସେଣ୍ଟରରେ ରଖାଯାଇଛି । ଆଉ ୧୫ଟି ଛୁଆଙ୍କ କୌଣସି ପତ୍ତା ମିଳୁନାହିଁ । ଅଧିକ ପଢ଼ନ୍ତୁ

baby gharials rescue from satkosia gorge
ସାତକୋଶିଆ ଗଣ୍ଡରୁ ଘଡ଼ିଆଳ ଉଦ୍ଧାର

ସାତକୋଶିଆ ଗଣ୍ଡରୁ ଘଡ଼ିଆଳ ଉଦ୍ଧାର

ଅନୁଗୋଳ: ବନ୍ୟା ଆସିବା ପୂର୍ବରୁ ବନ ବିଭାଗକୁ ଘାରିଛି ଘଡ଼ିଆଳଙ୍କ ସୁରକ୍ଷା ଚିନ୍ତା । ମହାନଦୀ ସାତକୋଶିଆ ଗଣ୍ଡରୁ ୨୦ ଘଡ଼ିଆଳ ଛୁଆ ଉଦ୍ଧାର ହୋଇଛନ୍ତି । ନଦୀରେ ବନ୍ୟା ଜଳର ପ୍ରଖର ସ୍ରୋତରେ ଭାସି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ଟିକରପଡ଼ାରେ ଥିବା ଘଡ଼ିଆଳ ରେସକ୍ୟୁ ସେଣ୍ଟରରେ ରଖାଯାଇଛି । ସେଠାରେ ସେମାନଙ୍କ ସମସ୍ତ ପ୍ରକାର ଯତ୍ନ ନିଆଯାଉଛି । ଜଣେ ବିଶେଷଜ୍ଞ ଏବଂ ଜଣେ ଡାକ୍ତର ନିୟମିତ ସେମାନଙ୍କ ତଦାରଖ କରୁଛନ୍ତି ।

ଗତ ୨୦୨୧ରୁ ସାତକୋଶିଆ ଗଣ୍ଡରେ ବିରଳ ଘଡ଼ିଆଳ ଛୁଆ ଜନ୍ମ ହେଉଛନ୍ତି । ୨୦୨୧ରେ ୨୮ଟି, ୨୦୨୨ରେ ୩୨ଟି ଘଡ଼ିଆଳ ଛୁଆ ଜନ୍ମ ହୋଇଥିଲେ । କିନ୍ତୁ ମହାନଦୀରେ ବନ୍ୟା ଆସିବା ଫଳରେ ସବୁ ଘଡ଼ିଆଳ ଛୁଆ ଭାସିଗଲେ । ଫଳରେ ମହାନଦୀ ଗଣ୍ଡରେ ଆଉ ଘଡ଼ିଆଳ ବଂଶ ବୃଦ୍ଧି ହୋଇପାରୁ ନାହିଁ । ଚଳିତ ବର୍ଷ ମେ' ମାସରେ ମଧ୍ୟ ୩୫ଟି ଘଡ଼ିଆଳ ଛୁଆ ଜନ୍ମ ହୋଇଥିଲେ । ତେବେ ହୀରାକୁଦ ଗେଟ ଖୋଲିବା ଯୋଗୁଁ ମହାନଦୀରେ ବନ୍ୟା ଆଶଙ୍କା ଥିବାରୁ ପୁଣି ଥରେ ଘଡ଼ିଆଳ ଛୁଆ ଭାସିଯିବାର ଆଶଙ୍କା କରାଯାଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ରୋତ ପ୍ରଖର ରହିଛି । ତେଣୁ ଘଡ଼ିଆଳ ଛୁଆ ଗୁଡିକ ଭାସି ଯାଉଥିବା ବେଳେ ବନ ବିଭାଗ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇଛି । ରେସ୍‌କ୍ୟୁ ସେଣ୍ଟରରେ ପ୍ରାକୃତିକ ପରିବେଶ ଭଳି ସୃଷ୍ଟି କରାଯାଇ ସେମାନଙ୍କୁ ସୁରକ୍ଷା ଦିଆଯାଇଛି । ନିୟମିତ ଖାଦ୍ୟ ଦିଆଯିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ତେବେ ଆଉ ୧୫ଟି ଛୁଆର କୌଣସି ପତ୍ତା ମିଳୁନାହିଁ । ବନ ବିଭାଗ ତରଫରୁ ସେମାନଙ୍କୁ ଖୋଜି ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: ଭାସିଗଲେ କି ଘଡିଆଳ ! କାମ ଦେଉନି ରେଡିଓ କଲାର, ବନ୍ୟା ପରେ ମିଳୁନି ୪ କୁମ୍ଭୀରଙ୍କ ପତ୍ତା
ଦୀର୍ଘ ୪୦ବର୍ଷ ପରେ ସାତକୋଶିଆ ଗଣ୍ଡରେ ପ୍ରଥମ ଥର ପାଇଁ ୨୦୨୧ରେ ୨୮ଟି ଘଡ଼ିଆଳ ଛୁଆ ପ୍ରାକୃତିକ ପରିବେଶରେ ଜନ୍ମ ହୋଇଥିଲେ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ବିଟ୍‌ କରି ନିଜର ଖୁସି ବ୍ୟକ୍ତ କରିଥିଲେ । କାରଣ ଭାରତରେ ଗଣ୍ଡକ ଓ ଚମ୍ବଲ ନଦୀରେ ଘଡ଼ିଆଳ ଦେଖାଯାଆନ୍ତି । ଓଡ଼ିଶାର ସାତକୋଶିଆ ଗଣ୍ଡରେ ଏହି ବିରଳ ପ୍ରଜାତିର ଘଡ଼ିଆଳ ଦେଖା ଯାଆନ୍ତି । ହେଲେ ସାତକୋଶିଆ ଗଣ୍ଡରେ ସେମାନଙ୍କ ବଂଶ ବୃଦ୍ଧି ହେଉ ନଥିବାରୁ ଚିନ୍ତାର କାରଣ ହୋଇପଡିଛି । ତେଣୁ ଚଳିତ ବର୍ଷ ଘଡ଼ିଆଳ ଛୁଆ ଗୁଡିକ କିଭଳି ସୁରକ୍ଷିତ ରହି ପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଘଡ଼ିଆଳ ଛୁଆଙ୍କୁ ରେସକ୍ୟୁ ସେଣ୍ଟରରେ ସୁରକ୍ଷିତ ଭାବେ ରଖାଯାଇଛି । ବନ୍ୟା ପରେ ସାତକୋଶିଆ ଗଣ୍ଡରେ ସ୍ୱାଭାବିକ ପରିସ୍ଥିତି ଆସିବା ପରେ ପୁଣି ଥରେ ସେମାନଙ୍କୁ ଛାଡ଼ି ଦିଆଯିବ ଏବଂ ସେମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯିବ ବୋଲି ସାତକୋଶିଆ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.