ETV Bharat / state

ରପ୍ତାନୀରେ ଅନୁଗୋଳର ରେକର୍ଡ: ରାଜ୍ୟରେ ନମ୍ବର ୧, ଜାତୀୟ ସ୍ତରରେ ୧୯ ନମ୍ବର

author img

By

Published : Aug 18, 2023, 3:37 PM IST

ରପ୍ତାନୀରେ ଅନୁଗୋଳ ରାଜ୍ୟରେ ନମ୍ବର ୧
ରପ୍ତାନୀରେ ଅନୁଗୋଳ ରାଜ୍ୟରେ ନମ୍ବର ୧

ରପ୍ତାନୀ କ୍ଷେତ୍ରରେ ଉଲ୍ଲେଖନୀୟ ସ୍ଥାନ ହାସଲ କରିଛି ଓଡ଼ିଶା । ଜାତୀୟ ସ୍ତରରେ ୧୯ ନଂ ସ୍ଥାନରେ ରହିଛି ଅନୁଗୋଳ । ଅଧିକ ପଢନ୍ତୁ

ରପ୍ତାନୀରେ ଅନୁଗୋଳ ରାଜ୍ୟରେ ନମ୍ବର ୧

ଅନୁଗୋଳ: ସାରା ଭାରତ ବର୍ଷରେ ରପ୍ତାନୀ କ୍ଷେତ୍ରରେ ଉଲ୍ଲେଖନୀୟ ସ୍ଥାନ ହାସଲ କରିଛି ଓଡ଼ିଶା । ଜାତୀୟ ସ୍ତରରେ ଯେଉଁ 25 ଜିଲ୍ଲାକୁ ରପ୍ତାନୀ ପାଇଁ ଉଲ୍ଲେଖନୀୟ ସ୍ଥାନ ଦିଆଯାଇଛି ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ଅନୁଗୋଳ ରାଜ୍ୟର ଏକ ମାତ୍ର ଜିଲ୍ଲା ଭାବେ ସ୍ଥାନ ପାଇଛି । ଏନେଇ ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ସୂଚନା ଦେବା ସହ କହିଛନ୍ତି, "ରାଜ୍ୟ ସରକାର ଶିଳ୍ପାୟନ ଅଭିବୃଦ୍ଧିକୁ ନେଇ ଯେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ବାସ୍ତବରେ ରୂପାୟନ ହେଉଛି । ଏହାସହ ଶିଳ୍ପ କ୍ଷେତ୍ରରେ ରାଜ୍ୟରେ ବ୍ୟାପକ ଅଭିବୃଦ୍ଧି ମଧ୍ୟ ହୋଇଛି ।"

ମନ୍ତ୍ରୀ ପ୍ରତାପ ଦେବ ଆହୁରି ମଧ୍ୟ କହିଛନ୍ତି, "ଶିଳ୍ପ ଜିଲ୍ଲା ଅନୁଗୋଳ ଆଜି ରାଜ୍ୟରେ ଆଉ ଏକ ସଫଳତା ପାଇଥିବାରୁ ଏହା ରାଜ୍ୟ ତଥା ଦେଶ ପାଇଁ ଗର୍ବର ବିଷୟ ।" ପୂର୍ବରୁ ଅନୁଗୋଳ ଜିଲ୍ଲା ଗସ୍ତରେ ଆସିଥିଲେ ଶିଳ୍ପ ମନ୍ତ୍ରୀ । ବିଭିନ୍ନ ଶିଳ୍ପାଞ୍ଚଳ ଗସ୍ତ କରି ଶିଳ୍ପ ଅଗ୍ରଗତିର ସ୍ଥିତି ଅନୁଧ୍ୟାନ କରିଥିଲେ । ବିଶେଷ କରି ନାଲକୋ ପକ୍ଷରୁ ହେଉଥିବା ଆଲୁମିନିୟମ ପାର୍କ ପରିଦର୍ଶନ କରିବା ସହ ଶିଳ୍ପ ପାଇଁ ହେଉଥିବା ଅଗ୍ରଗତିକୁ ନେଇ ଜିଲ୍ଲା ପ୍ରଶାସନ ଓ ଶିଳ୍ପ ସଂସ୍ଥା ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ସେ ପ୍ରଶଂସା କରିଥିଲେ । ସୂଚନା ଅନୁସାରେ, ଅନୁଗୋଳ ଜିଲ୍ଲାରେ ବୃହତ୍ତମ ଷ୍ଟିଲ ପ୍ଲାଣ୍ଟ JSPL ରହିଥିବା ବେଳେ ପ୍ରତ୍ୟେକ ଦିନ ଟନ୍‌ ଟନ୍‌ ସାମଗ୍ରୀ ଦେଶ ତଥା ଦେଶ ବାହାରକୁ ରପ୍ତାନୀ ହେଉଛି।

ଏହା ବି ପଢନ୍ତୁ...ପଣ୍ୟ କାରବାରରେ ପାରାଦ୍ୱୀପ ବନ୍ଦରର ରେକର୍ଡ, ଦେଶର ସମସ୍ତ ପୋର୍ଟକୁ ପଛରେ ପକାଇଲା

ସେହିଭଳି ଜିଲ୍ଲାରେ ଦେଶର ଏକ ମାତ୍ର ଆଲୁମିନିୟମ କମ୍ପାନୀ ଥିବାବେଳେ ପ୍ରତ୍ୟେକ ଦିନ ଟନ୍‌ ଟନ୍‌ ଆଲୁମିନିୟମ ବାହାର ଦେଶ ଓ ରାଜ୍ୟଙ୍କୁ ରପ୍ତାନୀ ହେଉଛି । ଏହା ବ୍ୟତୀତ ମହାନଦୀ କୋଇଲା କମ୍ପାନୀ ବା MCLର 8ଟି କୋଇଲା ଖଣି ଥିବାବେଳେ ପ୍ରତ୍ୟେକ ଦିନ ଟ୍ରେନ ଯୋଗେ ହଜାର ହଜାର ଟନ୍‌ କୋଇଲା ବାହାରକୁ ଯାଉଛି । ଜାତୀୟ ସ୍ତରରେ 25ଟି ଜିଲ୍ଲା ରପ୍ତାନୀ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଥିବାବେଳେ ସେଥି ମଧ୍ୟରୁ ରାଜ୍ୟର ଏକମାତ୍ର ଜିଲ୍ଲା ଭାବରେ ସ୍ଥାନ ପାଇଛି ଅନୁଗୋଳ । ଏହା ବ୍ୟତୀତ ଅନ୍ୟ କ୍ଷୁଦ୍ର ଶିଳ୍ପର ଉତ୍ପାଦିତ ସାମଗ୍ରୀ ସବୁ ଟ୍ରକ ଯୋଗେ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନୀ ହେଉଛି । ଯେଉଁ ସବୁ କାରଣ ପାଇଁ ରପ୍ତାନୀ କ୍ଷେତ୍ରରେ ଜିଲ୍ଲା ତଥା ରାଜ୍ୟ ପାଇଁ ଅନୁଗୋଳ ଜିଲ୍ଲା ଗୌରବ ଆଣିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.