ETV Bharat / sports

ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲା, ସଉନାମରା ଗାଁରେ ଜନ୍ମ ନେଇଛନ୍ତି ଅନେକ ହକି କିମ୍ବଦନ୍ତୀ

author img

By

Published : Dec 17, 2022, 10:02 PM IST

ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲା, ଏହି ଜିଲ୍ଲାର ସଉନାମରା ଗାଁରୁ ଜନ୍ମ ନେଇଛନ୍ତି ଅନେକ ହକି ତାରକା
ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲା, ଏହି ଜିଲ୍ଲାର ସଉନାମରା ଗାଁରୁ ଜନ୍ମ ନେଇଛନ୍ତି ଅନେକ ହକି ତାରକା

ହକିର ଗଡ଼ ସୁନ୍ଦରଗଡ଼ କିନ୍ତୁ ହକି ଭିଲେଜ ହେଉଛି ବାଲିଶଙ୍କରା ବ୍ଲକର ସଉନାମରା ଗାଁ । ଏହି ମାଟିରୁ ବାହାରିଛନ୍ତି ବହୁ ହକି ତାରକା । ଅଧିକ ପଢନ୍ତୁ

ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲା, ଏହି ଜିଲ୍ଲାର ସଉନାମରା ଗାଁରୁ ଜନ୍ମ ନେଇଛନ୍ତି ଅନେକ ହକି ତାରକା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ହକି ପାଇଁ ସାରା ବିଶ୍ବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହକି ମାଧ୍ୟମରେ ନିଜର ପ୍ରତିଭା ସାରା ବିଶ୍ବରେ ଦେଖାଇଛି । ସୁନ୍ଦରଗଡ଼ ଜିଲ୍ଲାର ବହୁ ଗ୍ରାମରୁ ଉଦୟ ହୋଇଛନ୍ତି ବହୁ ତାରକା ହକି ପ୍ଲେୟର । ଏହାରି ମଧ୍ୟରେ ଗୋଟିଏ ଗାଁ ହେଉଛି ବାଲିଶଙ୍କରା ବ୍ଲକର ସଉନାମରା ଗାଁ । ହକି ଭିଲେଜ ନାମରେ ପରିଚିତ ସଉନାମରା ଗାଁ । ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲା କିନ୍ତୁ ହକି ଖେଳାଳିଙ୍କ ହବ୍ ହେଉଛି ବାଲିଶଙ୍କରା ବ୍ଲକ । ଏହି ହବ୍‌ ଭିତରେ ହକି ପ୍ଲେୟରଙ୍କ କାରଖାନା ହେଉଛି ସଉନାମରା ଗାଁ ।

ଏଠାରେ ଛୋଟ ଛୋଟ ପିଲା ମଧ୍ୟ ଯେତେବେଳେ ଖେଳିବାକୁ ବାହାରନ୍ତି ସମସ୍ତଙ୍କ ହାତରେ ଏବଂ ଆଖିରେ ଗୋଟିଏ ସ୍ବପ୍ନ ହକି ଖେଳାଳି ହେବା । ତିନି ପିଢ଼ିରୁ ଅଧିକ ସମୟ ଧରି ଏଠାରେ ଲୋକଙ୍କ ମନରେ କେବଳ ହକି ହିଁ ହକି । ଏ ହେଉଛି ସେହି ଗାଁ ଯେଉଁଠାରେ ଜନ୍ମ ଗ୍ରହଣ କରିଥିଲେ ହକି କିମ୍ବଦନ୍ତୀ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ । ଏହି ଗାଁ ରୁ ପ୍ରଥମ କରି ନିଜର ପ୍ରତିଭା ଦେଖାଇ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ଏହି ହକି ଇଣ୍ଡିଆର ସଭାପତି । ସେ ପଲଟିଥିଲେ ଗାଁର ପରବର୍ତ୍ତୀ ପିଢ଼ି ପାଇଁ ଆଦର୍ଶ ।

ନିଜ ଖେଳ ଜୀବନରେ ବହୁ ମାଇଲଷ୍ଟନ ଅତିକ୍ରମ କରିଛନ୍ତି ଦିଲ୍ଲୀପ ତିର୍କୀ । ନିଜର ପ୍ରତିଭା ଦେଖାଇ ସେ ପଲଟିଥିଲେ ବିଶ୍ବର ସର୍ବଶ୍ରେଷ୍ଠ ଡିଫେଣ୍ଡର "wall of Indian hockey"। ଦିଲ୍ଲୀପ ତିର୍କୀଙ୍କ ନାଁ ରେ ରହିଛି ୪୧୧ ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ସହ ୩ ଥର ଅଲମ୍ପିକ ଖେଳିବାର କୀର୍ତ୍ତିମାନ । ଭଲ ମଣିଷ ସହ କ୍ରୀଡ଼ାବିତରୁ ଆରମ୍ଭ କରି ଆଜି ସେ ହୋଇ ପାରିଛନ୍ତି ଜଣେ ଉତ୍ତମ କ୍ରୀଡା ସଂଗଠକ । ବର୍ତ୍ତମାନ ହକି ଇଣ୍ଡିଆର ସଭାପତି ଭାବେ ହକିର ଭିତ୍ତିଭୂମି ବିକାଶ କରିବା ପାଇଁ ଆଗେଇ ଆସିଛନ୍ତି ଦିଲ୍ଲୀପ ତିର୍କୀ ।

ସେହିପରି ଭାରତୀୟ ମହିଳା ହକି ଦଳର ତାରକା ସୁଭଦ୍ରା ପ୍ରଧାନ । ସେ ମଧ୍ୟ ଭାରତୀୟ ମହିଳା ହକି ଖେଳାଳି ଭାବରେ ନିଜର ପ୍ରତିଭା ଦେଖାଇଛନ୍ତି । ଏହା ପରେ 2020 ଟୋକିଓ ଅଲମ୍ପିକରେ ନିଜର ପ୍ରତିଭା ଦେଖାଇ ଭାରତୀୟ ଦଳକୁ ବ୍ରୋଞ୍ଜ ମେଡାଲ ଭେଟି ଦେବାର ସହାୟକ ହୋଇଥିଲେ ସଉନାମରା ଗ୍ରାମର ପୁଅ ଅମିତ ରୋହିଦାସ ।

ସେହିପରି ଆଉ ଜଣେ ହକି ତାରକା ମଧ୍ୟ ଅଛନ୍ତି ସେ ସଉନାମରା ଗ୍ରାମର ନୁହଁନ୍ତି କିନ୍ତୁ ସେ ହେଉଛନ୍ତି ବାଲିଶଙ୍କରା ବ୍ଲକର ଆଉ ଜଣେ ହକି ତାରକା ଲାଜରୁସ ବାର୍ଲା । ସେ ମଧ୍ୟ ଏହି ବାଲିଶଙ୍କରା ମାଟିରୁ ଯାଇ ଭାରତୀୟ ହକି ଦଳ ପାଇଁ ଅଲମ୍ପିକ ଖେଳିଛନ୍ତି ଏବଂ ଏସିଆନ ଗେମ୍ସ 1998ରେ ସେ ଭାରତୀୟ ବିଜୟୀ ଦଳରେ ନିଜର ପ୍ରମୁଖ ଭୂମିକା ନିଭାଇଥିଲେ । କେବେଳ ଏତିକି ନୁହେଁ ଏହି ସଉନାମୁରା ଗାଁ ହକିକୁ ଦେଇଛି ବଛା ବଛା ପ୍ଲେୟର । ସେମାନଙ୍କ ମଧ୍ୟରେ ଅଛନ୍ତି ଦୀପସାନ ତିର୍କୀ, ବିକାଶ ଟପ୍ପୋ, ଅମନଦୀପ ଲାକ୍ରା, ବିପିନ କେର୍କେଟାଙ୍କ ଭଳି ଅନ୍ତର୍ଜାତୀୟ ହକି ଖେଳାଳି ।

ହକିର ଗଡ଼ କହିଲେ ବୁଝାଏ ସୁନ୍ଦରଗଡ଼ ଜିଲ୍ଲାକୁ । ହୁଏତ କିଏ କହିବ ସୁନ୍ଦରଗଡ଼ ଜିଲ୍ଲା ହେଉଛି ପଛୁଆ ଜିଲ୍ଲା । କିନ୍ତୁ ଖେଳରେ କେବେ ବି ପଛୁଆ ରହିନାହିଁ ସୁନ୍ଦରଗଡ଼ ଜିଲ୍ଲା । ପୁଣି ଆମ ଜାତୀୟ ଖେଳ ହକି କହିଲେ ସୁନ୍ଦରଗଡ଼ ଜିଲ୍ଲାର ପିଲାଠାରୁ ନେଇ ବୃଦ୍ଧା ଯାଏ ସମସ୍ତଙ୍କ ରକ୍ତରେ ହକି ଖେଳ ରହିଛି । ବର୍ତ୍ତମାନ ଗାଁର ସବୁ ପିଲାଙ୍କ ହାତରେ ହକି ଷ୍ଟିକ । ସ୍ବପ୍ନ ଗୋଟିଏ ହକି ଖେଳି ଦେଶକୁ ଗୌରବାନ୍ବିତ କରିବା ।

ଭାରତୀୟ କ୍ରୀଡା ଜଗତ ପାଇଁ ଉଦାହରଣ ପାଲଟିଛି ଓଡିଶା । ରାଜ୍ୟ ସରକାରଙ୍କ ପ୍ରତ୍ସାହନ ଦ୍ବାରା ପୁରୁଷ ଓ ମହିଳା ହକି ଦଳର ପ୍ରଯୋଜକ ଭାବରେ ଓଡିଶା ତିଆରି କରିଛି ନୂତନ ସମ୍ଭାବନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜନ କରି ଇତିହାସ ରଚିବାକୁ ଯାଉଛି ଓଡିଶା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.