ETV Bharat / sports

ବାରବାଟୀକୁ ଫେରୁଛି ଅନ୍ତର୍ଜାତୀୟ ମ୍ୟାଚ୍‌, ଜାଣନ୍ତୁ ଟିମ ଇଣ୍ଡିଆର ରେକର୍ଡ

author img

By

Published : Sep 20, 2021, 6:44 PM IST

As international match set to return barabati february next year, khow Team india's record at Cuttack
ବାରବାଟୀକୁ ଫେରୁଛି ଅନ୍ତର୍ଜାତୀୟ ମ୍ୟାଚ୍‌, ଜାଣନ୍ତୁ ଟିମ ଇଣ୍ଡିଆର ରେକର୍ଡ

କଟକ ବାରବାଟୀରେ ଆସନ୍ତା ବର୍ଷ ଫେବ୍ରୁଆରୀ ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯିବ । ଅଧିକ ପଢନ୍ତୁ...

କଟକ: ଓଡିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ରାଜ୍ୟର ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ କଟକର ବାରବାଟୀ ଷ୍ଟାଡିୟମକୁ ପ୍ରାୟ ଦୁଇ ବର୍ଷ ପରେ ଫେରୁଛି ଅନ୍ତର୍ଜାତୀୟ ମ୍ୟାଚ୍‌ । ଭାରତୀୟ ପୁରୁଷ କ୍ରିକେଟ ଟିମ ପାଇଁ ଘରୋଇ ସୂଚୀ ଘୋଷଣା କରିଛି BCCI । ଦୁବାଇରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପର ମାତ୍ର ୩ ଦିନ ପରେ ଅର୍ଥାତ ନଭେମ୍ବର ୧୭ରୁ ଘରୋଇ ସିଜିନ ଆରମ୍ଭ ହେଉଛି । ଏହି ସିଜନରେ ଭାରତ ୪ଟି ଟେଷ୍ଟ, ୩ଟି ଦିନିକିଆ ଓ ୧୪ଟି ଟି-୨୦ ମ୍ୟାଚ୍‌ ଖେଳିବା ନେଇ ସୋମବାର ଅନୁଷ୍ଠିତ ହୋଇଥିବା BCCIର ଆପେକ୍ସ କାଉନସିଲ ଗ୍ରୀନ ସିଗନାଲ ଜଣାଇଛି । ଘୋଷଣା ହୋଇଥିବା ସୂଚୀରେ କଟକ ବାରବାଟୀରେ ଆସନ୍ତା ବର୍ଷ ଫେବ୍ରୁଆରୀ ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯିବ । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ମ୍ୟାଚରେ ବିରାଟ କୋହଲିଙ୍କ ସ୍ଥାନରେ ନୂଆ କ୍ୟାପଟେନ ଟିମ ଇଣ୍ଡିଆର ନେତୃତ୍ବ ନେବେ ।

ତେବେ ନଜର ପକାନ୍ତୁ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଟିମ ଇଣ୍ଡିଆର ରେକର୍ଡ ଉପରେ:

ଶେଷଥର ଡିସେମ୍ବର ୨୨, ୨୦୧୯ରେ କଟକର ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା । ସେତେବେଳେ ମଧ୍ୟ ଭାରତର ସାମ୍ନା ୱେଷ୍ଟଇଣ୍ଡିଜ୍ ସହ ହୋଇଥିଲା। ଏହି ମ୍ୟାଚରେ ଭାରତ ୪ ୱିକେଟରେ ବିଜୟୀ ହୋଇଥିଲା । ଏହାର ଦୁଇ ବର୍ଷ ପରେ ପୁଣିଥରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ୍ ଫେରୁଥିବାରୁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

୨୦୧୫, ଅକ୍ଟୋବର ୫ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା। ମାତ୍ର ଏହି ମ୍ୟାଚରେ ଭାରତ, ଶୋଚନୀୟ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା ନିକଟରୁ ୬ ୱିକେଟରେ ପରାସ୍ତ ହୋଇଥିଲା । ଏହା ପରେ ୨୦୧୭ ଡିସେମ୍ବର ୨୦ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ ସହିତ ୯୩ ରନରେ ବିଜୟୀ ହୋଇଥିଲା ।

ବାରବାଟୀରେ ଭାରତ ମୋଟ ୧୯ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଛି, ଏହାମଧ୍ୟରୁ ୧୩ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି।ଦୁଇଟି ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି । ସେହିପରି ଏଠାରେ ଦୁଇଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳାଯାଇଥିଲା, ଯେଉଁଥିରେ ଭାରତ ଗୋଟିଏରେ ବିଜୟୀ ହୋଇଥିବା ବେଳେ ଗୋଟିଏ ଡ୍ର' ହୋଇଛି । ବାରବାଟୀରେ ଏଯାଏଁ ମାତ୍ର ଦୁଇଟି ଟି-୨୦ ଖେଳାଯାଇଛି । ଟିମ ଇଣ୍ଡିଆ ଗୋଟିଏ ଜିତିଥିବା ବେଳେ ଗୋଟିଏରେ ପରାଜିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.