ETV Bharat / sports

Asia Cup 2023: ପାକିସ୍ତାନ ଓ ଶ୍ରୀଲଙ୍କାରେ ହେବ ସମସ୍ତ ମ୍ୟାଚ୍‌ !

author img

By

Published : Jun 11, 2023, 8:19 PM IST

ପାକିସ୍ତାନ ଓ ଶ୍ରୀଲଙ୍କାରେ ହେବ ସମସ୍ତ ମ୍ୟାଚ୍‌ !
ପାକିସ୍ତାନ ଓ ଶ୍ରୀଲଙ୍କାରେ ହେବ ସମସ୍ତ ମ୍ୟାଚ୍‌ !

ଏସିଆ କପ୍‌ ୨୦୨୩ର ଆୟୋଜନ ନେଇ ଲାଗିରହିଥିବା ଦ୍ବନ୍ଦ୍ବରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ମିଳିଥିବା ସୂଚନା ଅନୁସାରେ ACC ଦ୍ବାରା ପ୍ରସ୍ତାବିତ ହାଇବ୍ରିଡ୍‌ ମଡେଲ୍‌କୁ PCB ସ୍ବୀକାର କରିନେଇଛି । ଏହା ହେଲେ ଭାରତର ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳାଯିବ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଏସୀୟ କ୍ରିକେଟ ପରିଷଦ (ACC) ଦ୍ବାରା ପ୍ରସ୍ତାବିତ ଏସିଆ କପ୍‌ର ହାଇବ୍ରିଡ୍‌ ମଡେଲ୍‌କୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (PCB) ସ୍ବୀକାର କରି ନେଇଥିବା ସୂଚନା ମିଳିଛି । ଏହି ପ୍ରସ୍ତାବ ଅନୁସାରେ ଭାରତର ମ୍ୟାଚ୍‌ଗୁଡ଼ିକ ଶ୍ରୀଲଙ୍କାରେ ଖେଳାଯିବ । ଏହି ହାଇବ୍ରିଡ୍‌ ମଡେଲ୍‌ ଅନୁସାରେ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟର ୧୩ରୁ ୪ କିମ୍ବା ୫ଟି ମ୍ୟାଚ୍‌ ପାକିସ୍ତାନରେ ଖେଳାଯିବ । ପାକିସ୍ତାନରେ ଖେଳାଯିବାକୁ ଥିବା ସମସ୍ତ ମ୍ୟାଚ୍‌ ଲାହୋର୍‌ରେ ଖେଳାଯିବାର ସମ୍ଭାବନା ରହିଛି । ସେହିଭଳି ଭାରତର ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳାଯିବ । ଯଦି ଭାରତ ଫାଇନାଲ୍‌ରେ ପହଞ୍ଚେ, ତେବେ ଫାଇନାଲ୍‌ ମ୍ୟାଚ୍‌ ମଧ୍ୟ ଶ୍ରୀଲଙ୍କାରେ ଖେଳାଯିବ ।

ଏନେଇ ବିଧିବଦ୍ଧ ଘୋଷଣା ଆସନ୍ତା ସପ୍ତାହରେ ହୋଇଯିବ ବୋଲି ସୂଚନା ମିଳିଛି । ପୂର୍ବରୁ ୧ ସେପ୍ଟେମ୍ବରରୁ ୧୭ ସେପ୍ଟେମ୍ବର ମଧ୍ୟରେ ଏସିଆ କପ ପାଇଁ ସମୟ ନିର୍ଦ୍ଧାରିତ ହୋଇସାରିଛି । ତେବେ ଏସିଆ କପ୍‌ ପରେ ଭାରତରେ ଆଇସିସି ଦିନିକିଆ ବିଶ୍ବକପ ମଧ୍ୟ ଅନୁଷ୍ଠିତ ହେବ । ଏହି ହାଇପ୍ରୋଫାଇଲ୍‌ ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜନ ହେବ । ଭାରତ ଏସିଆ କପ୍‌ ଖେଳିବା ପାଇଁ ପାକିସ୍ତାନ ଗସ୍ତ ନକଲେ ପାକିସ୍ତାନ ମଧ୍ୟ ଭାରତରେ ହେବାକୁ ଥିବା ବିଶ୍ବକପରୁ ନିଜକୁ ଦୂରେଇ ରଖିବ ବୋଲି ଚେତାବନୀ ଦେଇଥିଲା । ତେବେ ଏହି ସମସ୍ୟାର ସମାଧାନ ପାଇଁ ହାଇବ୍ରିଡ୍‌ ମଡେଲ୍‌ ପ୍ରସ୍ତାବ ଦେଇଥିଲା ଏସୀୟ କ୍ରିକେଟ୍‌ ପରିଷଦ । ଯେଉଁଥିରେ ଉଭୟ ଭାରତ ଓ ପାକିସ୍ତାନ ସମେତ ଏସିଆ କପ୍‌ରେ ଭାଗନେବାକୁ ଥିବା ଅନ୍ୟ ଦଳ ଗୁଡ଼ିକ ମଧ୍ୟ ରାଜି ହୋଇଯିବାରୁ ୨୦୨୫ରେ ପାକିସ୍ତାନରେ ଆୟୋଜିତ ହେବାକୁ ଚମ୍ପିଆନ୍ସ ଟ୍ରଫି ମଧ୍ୟ ଏହି ମଡେଲ୍‌ରେ ବିନା କୌଣସି ସମସ୍ୟାରେ ଆୟୋଜନ ହୋଇପାରିବ ବୋଲି କୁହାଯାଉଛି ।

ପ୍ରକାଶ ଥାଉ କି, ଏସିଆ କପ୍‌ ୨୦୨୩ ନେଇ ପୂର୍ବରୁ ଘୋଷଣା ହୋଇସାରିଛି । ୬ଟି ଦେଶକୁ ନେଇ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ, ପାକିସ୍ତାନ ଓ ନେପାଳକୁ ଗୋଟିଏ ଗ୍ରୁପ୍‌ରେ ରଖାଯାଇଛି । ସେହିଭଳି ଅନ୍ୟ ଗ୍ରୁପ୍‌ରେ ରହିଛନ୍ତି ବାଂଲାଦେଶ, ଆଫଗାନିସ୍ତାନ ଓ ଶ୍ରୀଲଙ୍କା । ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁଥିବା ଦିନିକିଆ ବିଶ୍ବକପ୍‌ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ୫୦ ଓଭର ଫର୍ମାଟ୍‌ରେ ଖେଳାଯିବ । ୧୩ ଦିନରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଫାଇନାଲ୍ ସମେତ ସମୁଦାୟ ୧୩ଟି ମ୍ୟାଚ୍‌ ଖେଳାଯିବ । ୨୦୨୨ ସଂସ୍କରଣ ଭଳି ଉଭୟ ଗ୍ରୁପ୍‌ର ଶୀର୍ଷରେ ରହିଥିବା ୨ ଟିମ୍‌ ସେମିଫାଇନାଲ୍‌ରେ ପ୍ରବେଶ କରିବେ । ଯଦି ଭାରତ ଓ ପାକିସ୍ତାନ ଉଭୟ ଫାଇନାଲ୍‌ରେ ପହଞ୍ଚିବେ, ତେବେ ଏହାକୁ ମିଶାଇ ଉଭୟ ଦଳ ୩ଟି ମ୍ୟାଚ୍‌ ଖେଳିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.