ETV Bharat / international

ବିଦେଶରେ ଶୁଭିଲା ଜଗା ନାମ, ଆମେରିକାର ଟାମ୍ପା ସହରରେ ରଥଯାତ୍ରା ପାଳିତ

author img

By

Published : Jun 25, 2023, 7:08 PM IST

ratha yatra in Tampa City
ratha yatra in Tampa City

ଆମେରିକାର ଟାମ୍ପା ସହରରେ ଧୁମଧାମର ସହ ରଥଯାତ୍ରା ପାଳିଲେ ପ୍ରବାସୀ ଓଡ଼ିଆ । ବିଦେଶରେ ଶୁଭିଲା ଜଗା ନାମ । ଅଧିକ ପଢନ୍ତୁ

ବିଦେଶରେ ଶୁଭିଲା ଜଗା ନାମ

ୱାଶିଂଟନ: ଦେଶ ହେଉ କି ବିଦେଶ ଯେଉଁଠି ରହିଲେ ବି ଭକ୍ତପ୍ରାଣରେ ସର୍ବଦା ବିଦ୍ୟମାନ କାଳିଆ ଠାକୁର । ଯେଉଁଠି ଓଡ଼ିଆ, ସେଇଠି ଜଗନ୍ନାଥ ଓ ରଥଯାତ୍ରା । ଓଡ଼ିଆଙ୍କ ପ୍ରାଣ ଓ ପରିଚୟ ହେଉଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ । ସେଥିଲାଗି ତ ସୁଦୂର ଆମେରିକାରେ ଗଡ଼ିଛି କାଳିଆ ରଥ । 3ଟି ରଥ ପରିବର୍ତ୍ତେ ଗୋଟିଏ ରଥର ବିଜେ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ରଥାରୁଢ ଚତୁର୍ଦ୍ଧାମୂର୍ତ୍ତି । ଆମେରିକାର ଫ୍ଲୋରିଡା ରାଜ୍ୟର ଟାମ୍ପା ସହର ସ୍ଥିତ ସ୍ଥାନୀୟ ସନାତନ ମନ୍ଦିରରେ ଧୁମଧାମର ସହିତ ରଥଯାତ୍ରା ପାଳିଛନ୍ତି ପ୍ରବାସୀ ଓଡ଼ିଆ ।

ସ୍ଥାନୀୟ ସନାତନ ମନ୍ଦିରରେ ପ୍ରବାସୀ ଓଡ଼ିଆ ଓ ମନ୍ଦିର କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ବହୁ ଆଡ଼ମ୍ବରରେ ଏଠାରେ ରଥଯାତ୍ରା ପାଳିତ ହୋଇଛି । ଏହି ବିଶେଷ କାର୍ଯ୍ୟକ୍ରମରେ ପ୍ରବାସୀ ଓଡ଼ିଆଙ୍କ ସମେତ ଆମେରିକୀୟ ଜଗନ୍ନାଥପ୍ରେମୀ ମଧ୍ୟ ଯୋଗ ଦେଇଥିଲେ । ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିଲା ଚତୁର୍ଦ୍ଦିଗ । ଅନେକ ବର୍ଷ ଧରି ଟାମ୍ପା ସହରରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ରଥଯାତ୍ରା ପାଳନ କରୁଥିବା ବେଳେ ଚଳିତ ବର୍ଷ ନୂତନ ରଥ ନିର୍ମାଣ କରାଯାଇଥିଲା । ପ୍ରବାସୀ ଓଡ଼ିଆମାନେ ଭକ୍ତିଭାବର ସହିତ ପ୍ରଭୁ ଜଗନ୍ନାଥଙ୍କୁ ଆରଧନା କରିଥିଲେ ।

ଏହା ବି ପଢନ୍ତୁ- ଗୁଣ୍ଡିଚା ମନ୍ଦିରରେ ମଙ୍ଗଳ ଆଳତୀ ନୀତି ବିଳମ୍ବ, ଭକ୍ତ ମହଲରେ ଅସନ୍ତୋଷ

ବିଶେଷ କରି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ରଥଯାତ୍ରା ପରିଚାଳନା କମିଟି ପକ୍ଷରୁ ବିଭିନ୍ନ ପ୍ରକାର ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ବିଦେଶରେ ରହୁଥିବା ଓଡ଼ିଆ ପିଲାମାନେ ଚିତ୍ରାଙ୍କନ, ପ୍ରବନ୍ଧ ଏବଂ କବିତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ରଥଯାତ୍ରା ଅବସରରେ ମନ୍ଦିର ପରିସରରେ ଓଡ଼ିଶୀ ଏବଂ କୁଚିପୁଡି ନୃତ୍ୟ ପରିବେଷଣ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମି ଉଠିଥିଲେ ଶ୍ରଦ୍ଧାଳୁ ।

ଖାଲି ସେତିକି ନୁହେଁ, ରଥଯାତ୍ରା ପୂର୍ବରୁ ମନ୍ଦିରରେ ସ୍ନାନପୂର୍ଣ୍ଣିମା ଓ ନେତ୍ରୋତ୍ସବ ମଧ୍ୟ ପାଳିତ ହୋଇଥିଲା । ଏହାସହିତ ଛପନ ଭୋଗର ଆୟୋଜନ ହୋଇଥିଲା । ଏନେଇ ପ୍ରବାସୀ ଓଡ଼ିଆମାନେ ବେଶ ଖୁସିବ୍ୟକ୍ତ କରିଥିଲେ । ବିଶ୍ବନିୟନ୍ତାଙ୍କ ରଥଯାତ୍ରା ବିଶ୍ବପ୍ରସିଦ୍ଧ । ଏଣୁ ଅନେକ ଦେଶରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଜଗନ୍ନାଥପ୍ରେମୀଙ୍କ ସମେତ ବିଦେଶୀମାନେ ଏଥିରେ ଯୋଗଦେଇଥାନ୍ତି । ତେବେ କର୍ମମୟ ଜୀବନ ଲାଗି ଅନେକ ଓଡ଼ିଆ ବିଦେଶରେ ରହୁଥିଲେ ମଧ୍ୟ ଜଗନ୍ନାଥ ସଂସ୍କୃତି ସହିତ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । ଏଣୁ ପ୍ରତିବର୍ଷ ଓଡ଼ିଶାର ବଡ଼ ପର୍ବ ରଥଯାତ୍ରାକୁ ବିଦେଶରେ ଅନୁଷ୍ଠିତ କରାଇ କାଳିଆ ଠାକୁରଙ୍କ ଦର୍ଶନର ସାନିଧ୍ୟ ଲାଭ କରିଥାନ୍ତି ଏମାନେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.