ETV Bharat / international

ଇସ୍ରାଏଲ-ହମାସ ଯୁଦ୍ଧ ଭୟାବହତା: ଗାଜାରେ ପ୍ରାଣ ହରାଇ ସାରିଲେଣି 102 ଜାତିସଂଘ ସଦସ୍ୟ

author img

By ETV Bharat Odisha Team

Published : Nov 14, 2023, 4:19 PM IST

ଗାଜାରେ ଯୁଦ୍ଧ ଆରମ୍ଭରୁ ପ୍ରାଣ ହରାଇସାରିଲେଣି 102 ଜାତିସଂଘ ସଦସ୍ୟ
ଗାଜାରେ ଯୁଦ୍ଧ ଆରମ୍ଭରୁ ପ୍ରାଣ ହରାଇସାରିଲେଣି 102 ଜାତିସଂଘ ସଦସ୍ୟ

ସଂଘର୍ଷ ଆରମ୍ଭରୁ ଗାଜାରେ ପ୍ରାଣ ହରାଇଲେଣି 102 ଜାତିସଂଘ ସଦସ୍ୟ । ଗତକାଲି ଶୋକ ପାଳନ କରାଯାଇଥିବା ସୂଚନା ଦେଲା ଜାତିସଂଘର ପୋଲେଷ୍ଟାଇନ ଶରଣାର୍ଥୀ ରିଲିଫ ସଂସ୍ଥା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଗତମାସ 7 ତାରିଖରୁ ଗାଜାରେ ଇସ୍ରାଏଲ ସେନା ଜାରି ରଖିଥିବା ସାମରିକ ଅପରେସନରେ ଏବେ ସୁଦ୍ଧା ମୋଟ 102 ଜଣ ଜାତିସଂଘ ସଦସ୍ୟଙ୍କ ମୃତ୍ୟୁ ହୋଇସାରିଲାଣି । ଜାତିସଂଘର ମାନବୀୟ ସହାୟତା ପ୍ରଦାନ ଓ ରିଲିଫ ମିଶନରେ ଏମାନେ ନିୟୋଜିତ ଥିଲେ । ତେବେ ସଂଘର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ମୋଟ 102 ଜଣ ପ୍ରାଣ ହରାଇଥିବା ବେଳେ 27 ଜଣ ଆହତ ହୋଇଥିବା ଗାଜାରେ ନିୟୋଜିତ ଥିବା ଜାତିସଂଘର ଏକ ଶାଖା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ପାଲେଷ୍ଟାଇନ ଶରଣାର୍ଥୀଙ୍କ ରିଲିଫ ଓ ଥଇଥାନ ପାଇଁ କାମ କରୁଥିବା ଜାତିସଂଘ ସଂସ୍ଥା (UNRWA)ର ତଥ୍ଯ ଅନୁସାରେ, ଗତ 24 ଘଣ୍ଟା ମଧ୍ୟରେ ଉତ୍ତର-ଗାଜାରେ ହୋଇଥିବା ଇସ୍ରାଏଲୀ ଏୟାର ଷ୍ଟ୍ରାଇକ୍‌ରେ ସଂସ୍ଥାର ଜଣେ ପ୍ରତିନିଧି ଓ ତାଙ୍କର ପରିବାର ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଏବେ ସୁଦ୍ଧା ମୋଟ ମୃତ୍ୟୁସଂଖ୍ୟା ଶହେ ପାର କରିସାରିଛି । ସଂସ୍ଥା ଆହୁର ମଧ୍ୟ କହିଛି, କୌଣସି ଅନ୍ତର୍ଜାତୀୟ ସଙ୍କଟ ସମୟରେ ଏହା ହେଉଛି ସର୍ବାଧିକ ଜାତିସଂଘ ସଦସ୍ୟଙ୍କ ପ୍ରାଣହାନୀ ଘଟଣା । ସୋମବାର ବିଶ୍ବର ବିଭିନ୍ନ ଦେଶରେ ଥିବା ଜାତିସଂଘ କାର୍ଯ୍ୟାଳୟରେ ଶୋକ ପାଳନ କରାଯିବା ସହ ପତାକାକୁ ଅର୍ଦ୍ଧନମିତ କରାଯାଇଛି ।

ଗତମାସ 7 ତାରିଖରେ ଗାଜାରୁ ସଞ୍ଚାଳିତ ହେଉଥିବା ଆତଙ୍କୀ ‘ହମାସ’ ଗୋଷ୍ଠୀ ପ୍ରଥମେ ଇସ୍ରାଏଲ ଉପରେ ରକେଟ୍‌ ଆକ୍ରମଣ କରିବା ପରେ ଏହାର ପ୍ରତିଜବାବରେ ଇସ୍ରାଏଲ ସେନା ଅପରେସନ ‘ଆଇରନ ସୋଡ’ ଆରମ୍ଭ କରିଥିଲା । ଯାହା ଗତ ଏକମାସରୁ ଅଧିକ ସମୟ ଧରି ଜାରି ରହିଛି । ଗାଜା ପଟିରେ ଏବେ ସୁଦ୍ଧା ପ୍ରାୟ 11 ହଜାର ଲୋକଙ୍କ ପ୍ରାଣହାନୀ ଘଟି ସାରିଲାଣି । ଏଥିମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି । ଯାହାକୁ ନେଇ ଜାତିସଂଘ ଉଦବେଗ ପ୍ରକାଶ କରିଛି ।

ଜାତିସଂଘରେ ଅସ୍ତ୍ରବିରତି ପ୍ରସ୍ତାବ ପାରିତ ହୋଇଥିଲେ ସୁଦ୍ଧା ଏହାକୁ ଇସ୍ରାଏଲ କାର୍ଯ୍ୟକାରୀ କରିବା ପାଇଁ ସ୍ପଷ୍ଟ ମନା କରିସାରିଛି । ଜଣେ ହେଲ ହମାସ ଆତଙ୍କୀ ଜୀବିତ ଥିବା ଯାଏଁ ଅପରେସନ ବନ୍ଦ କରାଯିବନି ବୋଲି କହି ସାରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ହମାସର ସର୍ବାଧିକ ନିୟନ୍ତ୍ରଣ ଥିବା ଉତ୍ତର-ଗାଜାରେ ଏବେ ଇସ୍ରାଏଲ ଡିଫେନ୍ସ ଫୋର୍ସ ଗ୍ରାଉଣ୍ଡ ଅପରେସନ ଜାରି ରଖିଛି । ଏକାଧିକ ସୁଦୀର୍ଘ ବଙ୍କରରେ ହମାସ ଆତଙ୍କୀ ଲୁଚି ରହିଥିବା ସୂଚନା ମିଳିବା ପରେ ଏବେ ଉତ୍ତର ଗାଜାରେ ସାମରିକ ଅପରେସନକୁ ଜୋରଦାର କରିଛି ଇସ୍ରାଏଲ ।

ଏହା ମଧ୍ୟ ପଢନ୍ତୁ:-ମୁଁ ତୁମ ପାଇଁ ଗାଳି ଖାଉଛି ଘୃଣା ସହୁଛି: ପ୍ରଧାନମନ୍ତ୍ରୀ

ଅନ୍ୟପଟେ ଜାତିସଂଘ ବ୍ୟତୀତ ଅନେକ ଦେଶ ଗାଜାକୁ ମାନବୀୟ ସହୟତା ସାମଗ୍ରୀ ଯୋଗାଣ ଜାରି ରଖିଛନ୍ତି । ଦକ୍ଷିଣ ଗାଜାରେ ଏବେ ପାଲେଷ୍ଟାନୀୟମାନେ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିବା ବେଳେ ଇଜିପ୍ଟର ରଫା ବର୍ଡର ପୋଷ୍ଟ ଜରିଆରେ ରିଲିଫ ସାମଗ୍ରୀ ପଠାଯାଇଛି । ଏପର୍ଯ୍ୟନ୍ତ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ଥିବା ପ୍ରାୟ 102 ଜଣ ଜାତିସଂଘ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଇସ୍ରାଏଲ ଫୋର୍ସ କେତେକ, ଶରଣାର୍ଥୀ ଶିବିର, ହସ୍ପିଟାଲ ଓ ଆମ୍ବୁଲାନ୍ସକୁ ମଧ୍ୟ ଟାର୍ଗେଟ କରିଥିବା ଅଭିଯୋଗ ହୋଇଛି । ଏହାକୁ ଇସ୍ରାଏଲ ଖଣ୍ଡନ କରିବା ସହ ହମାସର ଅନ୍ତ ପାଇଁ ବିଶ୍ବ ବିରୋଧରେ ଯିବାକୁ ପଡିଲେ ମଧ୍ୟ ତାହା କାର୍ଯ୍ୟକାରୀ କରାଯିବ ବୋଲି କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.