ETV Bharat / city

ଅସୁସ୍ଥ ଥିବାରୁ ଆତ୍ମହତ୍ୟା କଲେ ପୋକ୍ସୋ କୋର୍ଟ ବିଚାରପତି, ପତ୍ନୀଙ୍କ ବୟାନ !

author img

By

Published : Sep 7, 2022, 7:19 AM IST

ଅସୁସ୍ଥ ଥିବାରୁ ଆତ୍ମହତ୍ୟା କଲେ ପୋକ୍ସୋ କୋର୍ଟ ବିଚାରପତି, ବୟାନ ଦେଲେ ପତ୍ନୀ !
ଅସୁସ୍ଥ ଥିବାରୁ ଆତ୍ମହତ୍ୟା କଲେ ପୋକ୍ସୋ କୋର୍ଟ ବିଚାରପତି, ବୟାନ ଦେଲେ ପତ୍ନୀ !

କଟକ ପୋକ୍ସୋ କୋର୍ଟର ବିଚାରପତି ସୁବାସ କୁମାର ବିହାରୀ ମୃତ୍ୟୁ ମାମଲା । ଅସୁସ୍ଥ ଥିବାରୁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ଆଗରେ ବୟାନ ଦେଲେ ପତ୍ନୀ । ଅଧିକ ପଢନ୍ତୁ

କଟକ: ପୋକ୍ସୋ କୋର୍ଟର ବିଚାରପତି ସୁବାସ କୁମାର ବିହାରୀଙ୍କ ମୃତ୍ୟୁ ମାମଲାରେ ଏବେ ବି ଲାଗି ରହିଛି ସସପେନ୍ସ(POCSO Court Judge Death) । କିପରି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତୁ ଘଟିଲା ସେନେଇ ପୋଲିସ୍ ଛାନଭିନ କରୁଛି । ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରିବା ପରେ ଅଧିକ କ୍ରିୟାଶୀଳ ହୋଇଛି କମିଶନରେଟ ପୋଲିସ । ଏହି କ୍ରମରେ ପୋଲିସ ତଦନ୍ତକୁ ଜୋରଦାର କରିବା ସହ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛି । ବିଚାରପତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଏ ପର୍ଯ୍ୟନ୍ତ ୧୪ ଜଣ ଲୋକଙ୍କୁ ପଚରାଉଚରା ସରିଲାଣି ।

ସେମାନଙ୍କ ମଧ୍ୟରେ ସୁବାସଙ୍କ ପତ୍ନୀ ଅପରାଜିତା ରାୟ, ଅପରାଜିତାଙ୍କ ସମ୍ପର୍କୀୟ ଭାଇ ସର୍ବୋଜିତ ରାୟ, ସୁବାସଙ୍କ ମାଆ ତୁଳଶୀ ବିହାରୀ, ତାଙ୍କ ଭାଇ ସୁବୋଧ ବିହାରୀ, ସୁବୋଧଙ୍କ ଡ୍ରାଇଭର, ଘରୋଇ ସହାୟକ, ପଡୋଶୀ ଓ ପୋକ୍ସୋ କୋର୍ଟର କିଛି କର୍ମଚାରୀ ମଧ୍ୟ ଅଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କ ବୟାନ ରେକର୍ଡ କରାଯାଇ ଥିବାବେଳେ ଆଉ କିଛି ଲୋକଙ୍କୁ କେବଳ ପଚରାଉଚରା କରାଯାଇଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପୁଣି ଦ୍ବିତୀୟ ପର୍ଯ୍ୟାୟ ପଚରାଉଚରା କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ବିଭିନ୍ନ ଲୋକଙ୍କୁ ପଚରାଉଚରା କରିବା ସହ ବୟାନ ମଧ୍ୟ ରେକର୍ଡ କରୁଛି ମର୍କତନଗର ଥାନା ପୋଲିସ । ଏହି କ୍ରମରେ ୧୪ ଜଣ ଲୋକଙ୍କୁ ପଚରାଉଚରା ଶେଷ ହୋଇଥିବା ବେଳେ ସୁବାସଙ୍କ ପତ୍ନୀ ଅପରାଜିତା ରାୟଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ତେବେ ଅପରାଜିତା ପୋଲିସକୁ ଦେଇଥିବା ନିଜ ବୟାନରେ ''ତାଙ୍କ ସ୍ବାମୀ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ । ମଧୁମେୟ ରୋଗ ସହିତ ଆଣ୍ଠୁ ଗଣ୍ଠି ପୀଡ଼ା ଓ ପାଟି ଭିତରେ ଘା' ଭଳି ଅନେକ ରୋଗରେ ସେ ଆକ୍ରନ୍ତ ଥିଲେ । ଏଥିପାଇଁ ସେ ଅନେକ ସମୟରେ ଶାରିରୀକ କଷ୍ଟ ମଧ୍ୟ ଅନୁଭବ କରୁଥିଲେ । ସେହି ରୋଗ କଷ୍ଟରୁ ମୁକ୍ତି ପାଇବା ପାଇଁ ସେ ଆତ୍ମହତ୍ୟା କରିଥାଇପାରନ୍ତି'' ବୋଲି କହିଛନ୍ତି ପତ୍ନୀ ଅପରାଜିତା ରାୟ ।

ଏହାବ୍ୟତୀତ ପରିବାର ଭିତରେ ସେମିତି କୌଣସି କାରଣକୁ ନେଇ ଅଶାନ୍ତି ନଥିଲା କିମ୍ବା ସୁବାସ ଆତ୍ମହତ୍ୟା କରିବା ପାଇଁ ଯାଉଥିବା ନେଇ ସାମନ୍ୟତମ ସୁରାକ ମଧ୍ୟ ସେ ପାଇନଥିବା ପୋଲିସକୁ କହିଛନ୍ତି ବିଚାରପତିଙ୍କ ପତ୍ନୀ । ଯଦି ଏ ବାବଦରେ ସୁରାକ ପାଇଥାନ୍ତେ ତେବେ ସେ କେବେ ବି ସ୍ବାମୀଙ୍କୁ ଏକୁଟିଆ ଛାଡ଼ି ଯାଇନଥାନ୍ତେ ବୋଲି ମଧ୍ୟ ପତ୍ନୀ ପୋଲିସକୁ କହିଥିବା, ନିଜର ନାମକୁ ଗୋପନ ରଖି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଏହାମଧ୍ୟ ପଢନ୍ତୁ: ନ୍ୟାୟ ବଦଳରେ ମିଳିଲା ପୋଲିସର ନାଲିଆଖି, ଡିଜିପିଙ୍କୁ ଭେଟିଲେ ପରିବାର

ତେବେ ସୁବାସ ଯଦି ଅସୁସ୍ଥ ଥିଲେ ସେ ଡାକ୍ତରଙ୍କ ପରାମର୍ଶ ନେଉଥିଲେ ନା ନାହିଁ ? ଯଦି ନେଉଥିଲେ କେଉଁ ଡାକ୍ତରଙ୍କ ପରାମର୍ଶ ନେଉଥିଲେ ? କେଉଁ ପ୍ରକାର ଅସୁସ୍ଥତା ଅନୁଭବ କରିଥିଲେ ସୁବାସ ? ଏନେଇ ପରିବାର ଲୋକ ଜାଣି ପାରିନଥିଲେ କେମିତି ? ଯଦି ଅସୁସ୍ଥ ଥିଲେ ଡାକ୍ତରଙ୍କ ପରାମର୍ଶରେ କେଉଁ ଔଷଧ ଖାଉଥିଲେ ? ସେ ସବୁର ପ୍ରେସ୍କ୍ୟୁସନ ଅଛି ତ ? ଠିକ୍ ସମୟରେ ଔଷଧ ଖାଉଥିଲେ ନା ନାହିଁ ? ଯଦି ଜଣେ ଅସୁସ୍ଥ ରହୁଥିଲେ ତେବେ ମାନସିକ ଅବସ୍ଥା ଏମିତି ହେବ ଯେ ଜଣେ ଆତ୍ମହତ୍ୟା କରିବ ? ନା ନିଜକୁ ବଞ୍ଚାଇବାକୁ ଯାଇ ପୋଲିସ ଆଗରେ ଏପରି ମନ ଗଢ଼ା କାହାଣୀ କଥା କହୁଛନ୍ତି ବିଚାରପତିଙ୍କ ପତ୍ନୀ ? ତେବେ ଘଟଣାର ସଠିକ୍ ତଦନ୍ତ କରାଗଲେ ପ୍ରକୃତ ଘଟଣା ପଦାକୁ ଆସିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.