ETV Bharat / city

ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ସିଲିଭର ସିଟି, ମହଣ ମହଣ ଚାନ୍ଦିରେ ଝଟକିବେ ମା'

author img

By

Published : Sep 25, 2022, 5:26 PM IST

phiringi puja Committee
ଶାରଦୀୟ ଦୁର୍ଗାପୂଜା ପାଇଁ ସିଲିଭର ସିଟିରେ ପ୍ରସ୍ତୁତି ଜୋରଦାର

ଭାଇଚାରାର ସହରରେ ଦୁର୍ଗାପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଭକ୍ତଙ୍କ ଅକର୍ଷିତ କରିବା ପାଇଁ ଫିରିଙ୍ଗି ପୂଜା କମିଟି ପକ୍ଷରୁ ପ୍ରାୟ ୩ କ୍ବିଣ୍ଟାଲରୁ ଅଧିକ ଓଜନ ଚାନ୍ଦିରେ ତିଆରି ହେଉଛି ମେଢ । ଅଧିକ ପଢନ୍ତୁ

କଟକ: ଆଉ ଦିନ କେଇଟା ପରେ ଦୁର୍ଗାପୂଜା । ଧରାପୃଷ୍ଠକୁ ବିଜେ କରିବେ ମା' ଜଗତ ଜନନୀ । ଏ ନେଇ ଚଳ ଚଞ୍ଚଳ ଭାଇଚାରାର ସହର କଟକ । ଦୀର୍ଘ ଦୁଇ ବର୍ଷ ପରେ କଟକରେ ଆଡ଼ମ୍ବର ଭାବେ ପାଳନ ହେବ ଦଶହରା ପର୍ବ । ସହରର ପ୍ରାୟ ୧୭୦ଟି ପୂଜା ମଣ୍ଡପରେ ପୂଜା ପାଇବେ ମା' ଜଗତ ଜନନୀ । ଏଥିପାଇଁ ସବୁଠାରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଚଳିତବର୍ଷ କଟକରେ ୨୮ଟି ପୂଜା ମଣ୍ଡପରେ ଚାନ୍ଦି ମେଢ଼ କରାଯାଉଥିବାବେଳେ, ଏହାର ପ୍ରସ୍ତୁତରେ ଲାଗି ପଡିଛନ୍ତି ତାରକସି କାରିଗର । ସହରରେ ଦିନକୁ ଦିନ ଚାନ୍ଦି ମେଢ଼ ପ୍ରତି ବେଶ ଆଗ୍ରହ ବଢ଼ିବାରେ ଲାଗିଛି । ଆଉ ଏଥିରୁ ବେଶ ଉପକୃତ ହେଉଛନ୍ତି ତାରକସି କାରିଗରମାନେ ।

ଶାରଦୀୟ ଦୁର୍ଗାପୂଜା ପାଇଁ ସିଲିଭର ସିଟିରେ ପ୍ରସ୍ତୁତି ଜୋରଦାର

ସିଲଭର ସିଟିରେ ଚଳିତ ବର୍ଷ ଧୁମ ଧାମରେ ଦଶହରା ପର୍ବ ପାଳନ ହେବ । ଚାନ୍ଦି ମେଢ଼ର ଝଲକ ଦେଖିବାକୁ ମିଳିବ ସିଲଭର ସିଟି କଟକରେ । ଏଥିପାଇଁ ସଜେଇ ହେଲାଣି କଟକ ସହରର ପୂଜା ମଣ୍ଡପ । ଏଥର ୨୮ ଟି ପୂଜା ମଣ୍ଡପରେ ଦେଖିବାକୁ ମିଳିବ ଚାନ୍ଦି ମେଢ଼ । ମହଣ ମହଣ ଚାନ୍ଦିରେ ଝଲସିବେ ମା' ଜଗତ ଜନନୀ । ଦୁଇ ବର୍ଷ ପରେ ବିନା କଟକଣାରେ ପୂଜା ହେଉଥିବାରୁ ଭକ୍ତଙ୍କୁ ଆକର୍ଷିତ କରିବା ପାଇଁ ସମସ୍ତ ମଣ୍ଡପ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ।

ଏଥିରୁ ବି ବାଦ ପଡିନି କଟକ ଫିରିଙ୍ଗି ବଜାର ପୂଜା ମଣ୍ଡପ । ୨୦୧୩ରୁ ଏହି ମଣ୍ଡପରେ ପ୍ରାୟ ଦୁଇ କୁଇଣ୍ଟାଲ ଚାନ୍ଦିରେ ମେଢ଼ ପ୍ରସ୍ତୁତ କରାଯାଇଥିଲା । ହେଲେ ଏଥର ଭକ୍ତଙ୍କ ଆକର୍ଷଣ ପାଇଁ ଆହୁରି ପ୍ରାୟ ୮୪ କେଜିର ଚାନ୍ଦିରେ ମେଢ଼ ସଜ୍ଜିତ କାର୍ଯ୍ୟ ଚାଲିଛି । କାମ ବି ଅନ୍ତିମ ପର୍ଯ୍ୟାୟରେ ପହଁଚିଲାଣି । ସୂକ୍ଷ୍ମ କାରୁକାର୍ଯ୍ୟରେ ପ୍ରସ୍ତୁତ ଭଳିକି ଭଳି ଚାନ୍ଦିକୁ ମେଢ଼ରେ ଲଗାଯାଉଛି । କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ଆହୁରି ଦିନେ ଦୁଇ ଦିନ ଲାଗିବ ବୋଲି କହିଛନ୍ତି ଫିରିଙ୍ଗି ବଜାର ପୂଜା କମିଟି ସମ୍ପାଦକ ।

ଏହା ବି ପଢନ୍ତୁ...କଟକରେ ଦୁର୍ଗାପୂଜା ପ୍ରସ୍ତୁତି ଜୋରଦାର, ମୁଖ୍ୟ ଆକର୍ଷଣ ହେବ ଅମରନାଥ ଗୁମ୍ପା ତୋରଣ

ତାରକସି କାରିଗରମାନଙ୍କୁ ଏଥର ଫୁରସତ ନାହିଁ । ପୂଜାର ଦୁଇ ତିନି ମାସ ଆଗରୁ ଚାନ୍ଦି ସଫା ପାଇଁ ଯେତିକି ଅର୍ଡର ଆସିଛି ସେସବୁକୁ ସଫା କରିବାରେ ଲାଗି ପଡିଛନ୍ତି । କେବଳ ସେତିକି ନୁହେଁ, ନୂତନ ଚାନ୍ଦି ମେଢ଼ ଅର୍ଡର ଆସିଥିବାରୁ ଏହାର ପ୍ରସ୍ତୁତରେ ଲାଗି ପଡିଛନ୍ତି କାରିଗର । ଚାନ୍ଦି ମେଢ଼ ସଫା କରିବାକୁ ୧୦ ରୁ ୧୫ ଦିନ ସମୟ ଲାଗୁଥିବାବେଳେ, ନୂତନ ଚାନ୍ଦି ମେଢ଼ ନିର୍ମାଣ କରିବାକୁ ପ୍ରାୟ ଦୁଇ ବର୍ଷ ଲାଗିଥାଏ ବୋଲି କାରିଗର କହିଛନ୍ତି ।

ଏଥର ଦଶହରାରେ ମୁଖ୍ୟ ଆକର୍ଷଣ ସାଜିବ କଲେଜଛକ ପୂଜା କମିଟିର ନୂଆ ଚାନ୍ଦି ମେଢ । ପ୍ରାୟ ୩ କ୍ବିଣ୍ଟାଲରୁ ଅଧିକ ଓଜନର ଚାନ୍ଦିର ତିଆରି ହେଉଛି ମେଢ । ମୁଖ୍ୟ କାରିଗର ବିଶ୍ବନାଥ ଦେଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହାକୁ ତିଆରି କରୁଛନ୍ତି ୧୨ ରୁ ୧୫ କାରିଗର । ଏଥିପାଇଁ ଖର୍ଚ୍ଚ ହୋଇଛି ଅଢେଇ କୋଟିରୁ ଅଧିକ ଟଙ୍କା । ମେଢର ମୁଖ୍ୟ ଆକର୍ଷଣ ରହିଛି ମୟୂର, ହଂସ ,କଳସ । ପୂଜା ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛନ୍ତି । କାମକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ଏବେ ଖାଲି ମା'ଙ୍କ ଆଗମନକୁ ଅପେକ୍ଷା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.