ETV Bharat / city

ଷୋଳବତାରରେ ସଜେଇ ହେଉଛି ମା', ଜାଣନ୍ତୁ କଟକ ଚଣ୍ଡୀଙ୍କ ସ୍ବତନ୍ତ୍ର କାହାଣୀ

author img

By

Published : Oct 9, 2021, 6:03 AM IST

ଦେଶର ପ୍ରମୁଖ ୫୨ ଶକ୍ତିପୀଠ ମଧ୍ୟରୁ ପ୍ରସିଦ୍ଧ କଟକ ଚଣ୍ଡୀ ଅନ୍ୟତମ । କଳା ସଂସ୍କୃତିର ପ୍ରାଣକେନ୍ଦ୍ର ଐତିହାସିକ କଟକ ମହାନଗରୀର ଅଧିଷ୍ଠାତ୍ରୀ ଦେବୀ ରୂପେ ଖ୍ୟାତ ମା କଟକ ଚଣ୍ଡୀ କାହିଁ କେଉଁ ଆବାହମାନ କାଳରୁ ପୂଜାପାଇ ଆସୁଛନ୍ତି । ଅଧିକ ପଢନ୍ତୁ...

goddess-cuttack-chandi-pitha-history
ଅଭୟ ବର ଦାୟିନୀ ମା' କଟକ ଚଣ୍ଡୀ

କଟକ: ପାର୍ବଣ ଆସିଲେ ଉତ୍ସବମୁଖର ହୋଇଉଠେ ସିଲଭରସିଟି । କାରଣ କୁହାଯାଏ ଧରା ଅବତରଣ କରନ୍ତି ମାଆ ଆଦ୍ୟାଶକ୍ତି । ସବୁ ଶକ୍ତି ପୀଠରେ ହୁଏ ମା'ଙ୍କ ବିଧି ପୂର୍ବକ ପୂଜାର୍ଚ୍ଚନା । ଷୋଡ଼ଶ ଉପଚାର ପୂଜା ଠୁ ଆରମ୍ଭ ହୋଇଯାଏ ମା'ଙ୍କ ବିଭିନ୍ନ ଅପୂର୍ବ ବେଶ । ଏହି ବେଶକୁ ଦେଖିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଛୁଟେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ।

ଅଭୟ ବର ଦାୟିନୀ ମା' କଟକ ଚଣ୍ଡୀ

ତେବେ ସମସ୍ତ ଶକ୍ତିପୀଠ ମଧ୍ୟରେ କଟକ ଚଣ୍ଡୀ ହେଉଛନ୍ତି ଅନ୍ୟତମ । ସବୁ ପୀଠର ଯଥା ସମ୍ଭବ ଇତିହାସ ରହିଛି । ହେଲେ ଏହି ମା' କଟକ ଚଣ୍ଡୀ କେବେ ଏହି ସ୍ଥାନକୁ ଆସିଲେ ତାହା କହିବା କଷ୍ଟ । କେତେ ପିଢ଼ି ଚାଲି ଗଲାଣି ହେଲେ କେହି ଜାଣିନାହିଁ କଟକ ଚଣ୍ଡୀଙ୍କ ଆବିର୍ଭାବ କେବେ ?

ଲୋକକଥା ଅନୁସାରେ କନିକା ରାଜାଙ୍କ ଶାସନକାଳ ସମୟରେ ଏଠାରେ ମା'ଙ୍କ ସ୍ଥାପନା ହୋଇଛି । ଦିନେ କନିକା ରାଜାଙ୍କ ଚଣ୍ଡୀ ପୂଜକ ହଂସନାଦ ପଣ୍ଡା ଜଙ୍ଗଲକୁ ଗାଈ ଚରାଇବା ପାଇଁ ଯାଇଥିଲେ । ଏହି ସମୟରେ ସେ ବାରବାଟୀ ଦୁର୍ଗର ଏକ ପଥର ଗଦା ଉପରେ ବସିପଡିବାରୁ ତାହା ଥରିବାକୁ ଲାଗିଥିଲା ଓ ତାଙ୍କ ଶରୀରରେ ଏକ ଅପୂର୍ବ ସିହରଣ ଖେଳି ଯାଇଥିଲା । ସେହିଦିନ ରାତିରେ ମା'ଙ୍କୁ ସ୍ବପ୍ନ ଦେଖିଥିଲେ ପୂଜକ ଆଉ ଏ ବାବଦରେ କନିକା ରାଜାଙ୍କୁ କହିଥିଲେ ।

ପୂଜକଙ୍କ କଥା ଶୁଣି ରାଜା ସଙ୍ଗେସଙ୍ଗେ ସେହି ସ୍ଥାନକୁ ଖୋଳାଇ ଦେବୀଙ୍କୁ ଉଦ୍ଧାର କରିଥିଲେ । କୁହାଯାଏ ଯେ, ମାଟିତଳୁ ପାଖାପାଖି 40 ଓଦର ସିନ୍ଦୂର ବାହାରିବା ପରେ ମା'ଙ୍କ ମୂର୍ତ୍ତି ମିଳିଥିଲା । ଦେବୀଙ୍କୁ ମସ୍ତକରେ ଧରି ଆସୁଥିବା ବେଳେ ଗୋଟିଏ ବଉଳ ଗଛ ମୂଳେ ଭାରି ହୋଇଯାଇଥିଲା, ତେଣୁ ସେହିଠାରେ ତାଙ୍କୁ ସ୍ଥାପନ କରାଯାଇଥିଲା ଯାହାକି ବର୍ତ୍ତମାନର ପୀଠ। ଧିରେ ଧିରେ ମା'ଙ୍କ ଆବିର୍ଭାବ ଲୋକଲୋଚନକୁ ଆସିଲା ।

ଅନେକ ଭକ୍ତ ମା'ଙ୍କ କରୁଣାର ସାନିଧ୍ୟ ଲାଭକଲେ । ମାନସିକଧାରୀଙ୍କ ମନସ୍କାମନା ମଧ୍ୟ ପୂର୍ଣ୍ଣହେଲା । ଏହାପରେ ଭକ୍ତଙ୍କ ଅନୁଦାନ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉକ୍ତ ସ୍ଥାନରେ ମନ୍ଦିର ନିର୍ମାଣ ହେଲା । ଆଉ ସେବେଠାରୁ ଏହିଠାରେ ମା' କଟକ ଚଣ୍ଡୀ ବିରାଜମାନ।

ପ୍ରତିଟି କଟକବାସୀ ତଥା ଓଡିଶା ବାସୀଙ୍କ ପ୍ରତ୍ୟକ୍ଷ ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ । ଦଶହରା ଅବସରରେ ମା ୧୬ ଦିନ ଯାଏଁ ବିଭିନ୍ନ ବେଶ ହେଉଥିବାବେଳେ ତାର ଅନନ୍ୟ ବେଶକୁ ଦର୍ଶନ କରି ଭାବବିହ୍ବଳ ଭକ୍ତ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.