ETV Bharat / city

କାଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପୂର୍ବାଞ୍ଚଳ ଜୋନର ଆଞ୍ଚଳିକ ସମ୍ମିଳନୀ

author img

By

Published : Apr 12, 2022, 9:48 PM IST

କେନ୍ଦ୍ରମନ୍ତ୍ରୀ ସ୍ମୃତି ଜୁବିନ ଇରାନୀ
କେନ୍ଦ୍ରମନ୍ତ୍ରୀ ସ୍ମୃତି ଜୁବିନ ଇରାନୀ

ମିଶନ ପୋଷଣ ୨.୦, ମିଶନ ଶକ୍ତି ଏବଂ ମିଶନ ବାତ୍ସଲ୍ୟ ଯୋଜନାର ସଫଳ ରୂପାୟନ ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ରାଜ୍ୟ ସରକାର ଏବଂ ଅଂଶୀଦାରମାନଙ୍କ ସହ ବିଚାରବିମର୍ଷ ପାଇଁ ଜୋନସ୍ତରୀୟ ସମ୍ମିଳନୀର ଆୟୋଜନ କରୁଛନ୍ତି । ଭୁବନେଶ୍ଵରରେ ଏହା ପଞ୍ଚମ ଓ ଅନ୍ତିମ ସମ୍ମିଳନୀ ହେବ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆସନ୍ତାକାଲି ଭୁବନେଶ୍ବରରେ ଅନୁଷ୍ଠିତ ହେବ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପୂର୍ବାଞ୍ଚଳ ରାଜ୍ୟ ସରକାର ଏବଂ ଅଂଶୀଦାରମାନଙ୍କର ଜୋନସ୍ତରୀୟ ସମ୍ମିଳନୀ । କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ବୈଠକରେ ଓଡିଶା, ଛତିଶଗଡ, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ବିହାରର ପ୍ରତିନିଧି ଯୋଗ ଦେବେ । ଲୋକସେବା ଭବନର କନଫରେନ୍ସ ହଲରେ ଆସନ୍ତାକାଲି ପୂର୍ବାହ୍ନ ୯.୩୦ ରେ କାର୍ଯ୍ୟକ୍ରମ ଆରମ୍ଭ ହେବ ।

ମିଶନ ପୋଷଣ ୨.୦, ମିଶନ ଶକ୍ତି ଏବଂ ମିଶନ ବାତ୍ସଲ୍ୟ ଯୋଜନାର ସଫଳ ରୂପାୟନ ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ରାଜ୍ୟ ସରକାର ଏବଂ ଅଂଶୀଦାରମାନଙ୍କ ସହ ବିଚାରବିମର୍ଷ ପାଇଁ ଜୋନସ୍ତରୀୟ ସମ୍ମିଳନୀର ଆୟୋଜନ କରୁଛନ୍ତି । ଭୁବନେଶ୍ଵରରେ ଏହା ପଞ୍ଚମ ଓ ଅନ୍ତିମ ସମ୍ମିଳନୀ ହେବ । ପ୍ରଥମ ସମ୍ମିଳନୀ ୦୨ ଏପ୍ରିଲରେ ଚଣ୍ଡିଗଡ, ଦ୍ଵିତୀୟ ସମ୍ମିଳନୀ ୦୪ ଏପ୍ରିଲରେ ବେଙ୍ଗାଲୁରୁ, ତୃତୀୟ ୧୦ ଏପ୍ରିଲରେ ଗୌହାଟି ଏବଂ ଚତୁର୍ଥ ୧୨ ଏପ୍ରିଲରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା ।

ଭାରତର ମୋଟ ଜନସଂଖ୍ୟା ମଧ୍ୟରୁ ୬୭.୭% ମହିଳା ଓ ଶିଶୁ । ଏମାନଙ୍କର ସୁରକ୍ଷା ଏବଂ ସଶକ୍ତିକରଣ ସହିତ ସାମଗ୍ରିକ ବିକାଶ ପାଇଁ ଏକ ନିରାପଦ ଓ ସୁରକ୍ଷିତ ପରିବେଶ ଯୋଗାଇ ଦେବା । ଏହା ମାଧ୍ୟମରେ ଦେଶର ଦୀର୍ଘସ୍ଥାୟୀ ଏବଂ ସମାନତାପୂର୍ଣ୍ଣ ବିକାଶ ସମ୍ଭବ ହୋଇପାରିବ । ଆର୍ଥିକ ଏବଂ ସାମାଜିକ ପରିବର୍ତ୍ତନ ଲକ୍ଷ୍ୟ ହାସଲ କରାଯାଇପାରିବ । ଏହି ଲକ୍ଷ୍ୟ ହାସଲ କରିବା ଲାଗି, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୩ଟି ପ୍ରମୁଖ ଯୋଜନାକୁ ମଞ୍ଜୁରି ମିଳିଛି ।

ଏସବୁ ଯୋଜନା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କାର୍ଯ୍ୟକାରୀ କରିବ । ମିଶନ ପୋଷଣ ୨.୦, ମିଶନ ଶକ୍ତି ଏବଂ ମିଶନ ବାତ୍ସଲ୍ୟ। ପଞ୍ଚଦଶ ଅର୍ଥ ଆୟୋଗଙ୍କ ଅବଧି ଅର୍ଥାତ ୨୦୨୧-୨୨ ଠାରୁ ୨୦୨୫-୨୬ ମଧ୍ୟରେ ଏହି ତିନୋଟି ମିଶନ କାର୍ଯ୍ୟକାରୀ କରାଯିବ । ଏହି ମିଶନ ଗୁଡିକ ଅଧୀନରେ ଯୋଜନା ଗୁଡିକ କେନ୍ଦ୍ର ପ୍ରାୟୋଜିତ ଯୋଜନା ଭାବେ କାର୍ଯ୍ୟକାରୀ କରାଯିବ । ଖର୍ଚ୍ଚ ବିଭାଜନ ନିୟମ ଅନୁଯାୟୀ, କେନ୍ଦ୍ର ଭାଗ ସହିତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନେ ନିଜ ଭାଗ ଅର୍ଥ ମିଶାଇ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିବେ ।

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ଯୋଜନାର ମାର୍ଗଦର୍ଶିକା ଜାରି କରାଯାଉଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପ୍ରମୁଖ ଉଦ୍ଦେଶ୍ୟ ହେଉଛି, ମହିଳା ଓ ଶିଶୁମାନଙ୍କ ପାଇଁ ରାଜ୍ୟ କାର୍ଯ୍ୟାନୁଷ୍ଠାନରେ ରହିଥିବା ଶୂନ୍ୟସ୍ଥାନକୁ ଦୂର କରିବା ଏବଂ ଆନ୍ତଃ-ମନ୍ତ୍ରଣାଳୟ ଓ ଆନ୍ତଃ-କ୍ଷେତ୍ରୀୟ ସମନ୍ବୟକୁ ପ୍ରୋତ୍ସାହନ ଦେବା । ଯାହାଫଳରେ ଲିଙ୍ଗ ସମାନତାପୂର୍ଣ୍ଣ ଏବଂ ଶିଶୁ କୈନ୍ଦ୍ରିକ ଆଇନ, ନୀତି ଓ କାର୍ଯ୍ୟକ୍ରମ ପ୍ରଣୟନ ତଥା କାର୍ଯ୍ୟକାରୀ କରାଯାଇପାରିବ । ମହିଳା ଓ ଶିଶୁମାନଙ୍କୁ ଏପରି ଏକ ପରିବେଶ ଯୋଗାଇ ଦିଆଯାଇ ପାରିବ ଯାହା ସୁଲଭ, ସହଜଲବ୍ଧ, ଭରସାଯୋଗ୍ୟ ହୋଇଥିବ । ସବୁ ପ୍ରକାର ଭେଦଭାବ ଓ ହିଂସା ଠାରୁ ମୁକ୍ତ ହୋଇଥିବ ।

ଏଦିଗରେ, ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନେ ତୃଣମୂଳ ସ୍ତରରେ ଯୋଜନା କାର୍ଯ୍ୟକାରୀ କରିବା ଲାଗି ଉତ୍ତରଦାୟୀ । ଏସବୁ ଯୋଜନା ଅଧୀନରେ ସେମାନଙ୍କର ସହାୟତା ଓ ସମର୍ଥନ ହାସଲ କରିବା ମନ୍ତ୍ରଣାଳୟର ପ୍ରମୁଖ ଉଦ୍ଦେଶ୍ୟ । ଜୋନ ସ୍ତରୀୟ ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି, ମନ୍ତ୍ରଣାଳୟର ତିନୋଟି ପ୍ରମୁଖ ମିଶନର ସୁପରିଚାଳନା ପାଇଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ସଚେତନ କରାଇବା । ଯାହାଫଳରେ ସେମାନେ ଆସନ୍ତା ୫ ବର୍ଷ ମଧ୍ୟରେ ଏହିସବୁ ଯୋଜନାକୁ ବାସ୍ତବ ସହଯୋଗୀ ସଂଘୀୟ ଭାବନା ନେଇ ଉପଯୁକ୍ତ ଢଙ୍ଗରେ କାର୍ଯ୍ୟକାରୀ କରିପାରିବେ । ଏହା ଦ୍ବାରା ଦେଶର ମହିଳା ଓ ଶିଶୁମାନଙ୍କର ଲାଭ ପାଇଁ ଏସବୁ ମିଶନ ଅଧୀନରେ ପରିକଳ୍ପନା କରାଯାଇଥିବା ସାମାଜିକ ପରିବର୍ତ୍ତନ ଲକ୍ଷ୍ୟ ହାସଲ ହୋଇପାରିବ ।

ମିଶନ ପୋଷଣ 2.0 ହେଉଛି ଏକ ସମନ୍ବିତ ପୁଷ୍ଟିସାଧନ ସହାୟତା କାର୍ଯ୍ୟକ୍ରମ । ଏହା ଅଧୀନରେ ଶିଶୁ, କିଶୋରୀ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କର ଅପପୁଷ୍ଟି ସମସ୍ୟା ଦୂର କରିବା ଲାଗି ପୋଷଣ ସାମଗ୍ରୀ ଓ ବିତରଣରେ ଏକ ରଣନୈତିକ ପରିବର୍ତ୍ତନ ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିସହିତ ସ୍ବାସ୍ଥ୍ୟ, କଲ୍ୟାଣ ଓ ପ୍ରତିଷେଧକ ପ୍ରଣାଳୀକୁ ପ୍ରୋତ୍ସାହିତ କରୁଥିବା ଅଭ୍ୟାସ ବିକଶିତ କରିବା ଏବଂ ପ୍ରୋତ୍ସାହନ ଦେବା ପାଇଁ ଏକ ଇକୋସିଷ୍ଟମ ବିକାଶ କରିବା ଏହି ଯୋଜନାର ଉଦ୍ଦେଶ୍ୟ । ଏଥିସହିତ, ସହାୟକ ପୁଷ୍ଟିସାଧନ କାର୍ଯ୍ୟକ୍ରମ ଅଧୀନରେ ଖାଦ୍ୟର ଗୁଣବତ୍ତା ଏବଂ ବିତରଣକୁ ଅନୁକୂଳ କରିବା ଲାଗି ପୋଷଣ 2.0 ଯୋଜନା ଅଧୀନରେ ଲକ୍ଷ୍ୟ ରଖାଯାଇଛି ।

ପୋଷଣ 2.0 କାର୍ଯ୍ୟକ୍ରମ ତିନୋଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ/ଯୋଜନାକୁ ଏହାର ପରିଧି ମଧ୍ୟକୁ ଆଣିବ । ଅଙ୍ଗନୱାଡି ସେବା, କିଶୋରୀ ବାଳିକାଙ୍କ ପାଇଁ ଯୋଜନା ଏବଂ ପୋଷଣ ଅଭିଯାନ । ମିଶନ ଶକ୍ତି ଅଧୀନରେ ମହିଳାମାନଙ୍କର ସମନ୍ବିତ ଯତ୍ନ, ସୁରକ୍ଷା, ସଂରକ୍ଷଣ, ଥଇଥାନ ଏବଂ ସଶକ୍ତିକରଣ ସୁନିଶ୍ଚିତ କରିବା ସହିତ ସେମାନଙ୍କ ପାଇଁ ଏକୀକୃତ ନାଗରିକ କୈନ୍ଦ୍ରିକ ଜୀବନଚକ୍ରକୁ ସମର୍ଥନ କରିବା ନିମନ୍ତେ ପରିକଳ୍ପନା କରାଯାଇଛି । କାରଣ ମହିଳାମାନେ ଜୀବନର ବିଭିନ୍ନ ପର୍ଯ୍ୟାୟରେ ପ୍ରଗତି ହାସଲ କରିଥାନ୍ତି । ମିଶନ ଶକ୍ତିର ଦୁଇଟି ଉପଯୋଜନା ‘ସମ୍ବଳ’ ଏବଂ ‘ସାମର୍ଥ୍ୟ’ ରହିଛି ।

ଗୋଟିଏ ପଟେ ‘ସମ୍ବଳ’ ଉପଯୋଜନା ମହିଳାମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ଅନ୍ୟପଟେ ‘ସାମର୍ଥ୍ୟ’ ଉପଯୋଜନା ମହିଳାମାନଙ୍କର ସଶକ୍ତିକରଣ ଲାଗି ଉଦ୍ଦିଷ୍ଟ । ମିଶନ ବାତ୍ସଲ୍ୟର ଉଦ୍ଦେଶ୍ୟ ହେଉଛି ଦେଶର ପ୍ରତ୍ୟେକ ପିଲାଙ୍କ ପାଇଁ ଏକ ସୁସ୍ଥ ତଥା ସୁଖଦ ଶୈଶବ ସୁନିଶ୍ଚିତ କରିବା । ପିଲାମାନଙ୍କର ବିକାଶ ପାଇଁ ଏକ ସମ୍ବେଦନଶୀଳ, ସହାୟକ ଏବଂ ସମକାଳୀନ ଇକୋସିଷ୍ଟମ ଯୋଗାଇ ଦେବା । କିଶୋର ନ୍ୟାୟ ଆଇନ ୨୦୧୫ ର ଶାସନାଦେଶକୁ ପୂରଣ କରିବା କ୍ଷେତ୍ରରେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କୁ ସହାୟତା ଯୋଗାଇ ଦେବା । ଏସଡିଜି ଲକ୍ଷ୍ୟ ହାସଲ କରିବା । ମିଶନ ବାତ୍ସଲ୍ୟ ଅଧୀନରେ ଆସୁଥିବା ଉପାଦାନ ଗୁଡିକରେ ବୈଧାନିକ ସଂସ୍ଥାନ ସେବା ବିତରଣ ଢାଞ୍ଚା, ସଂସ୍ଥାଗତ ଯତ୍ନ/ସେବା, ଅଣ-ସଂସ୍ଥାଗତ ଗୋଷ୍ଠୀ ଆଧାରିତ ଯତ୍ନ, ଜରୁରୀକାଳୀନ ଜନସମ୍ପର୍କ ସେବା ପ୍ରଶିକ୍ଷଣ ଏବଂ ସାମର୍ଥ୍ୟ ବିକାଶ ଆଦି ସାମିଲ ରହିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.