ETV Bharat / city

ଆସନ୍ତାକାଲିଠୁ ଯୁକ୍ତ ଦୁଇ ପରୀକ୍ଷା, ପ୍ରସ୍ତୁତ CHSE ଓ ଛାତ୍ରଛାତ୍ରୀ

author img

By

Published : Apr 27, 2022, 11:39 AM IST

ଆସନ୍ତକାଲିଠୁ ଯୁକ୍ତ ଦୁଇ ପରୀକ୍ଷା, ପ୍ରସ୍ତୁତ CHSE ଓ ଛାତ୍ରଛାତ୍ରୀ
ଆସନ୍ତକାଲିଠୁ ଯୁକ୍ତ ଦୁଇ ପରୀକ୍ଷା, ପ୍ରସ୍ତୁତ CHSE ଓ ଛାତ୍ରଛାତ୍ରୀ

ଆସନ୍ତକାଲି ଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ପ୍ରସ୍ତୁତ ରହିଛି ଉଚ୍ଚ ଶିକ୍ଷା ମାଧ୍ୟମିକ ପରିଷଦ । କପି ରୋକିବା ଲାଗି ଗଠନ ହୋଇଛି ସ୍କୁୱାର୍ଡ଼ ଏବଂ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି । ସମସ୍ତ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆସନ୍ତାକାଲି(ଏପ୍ରିଲ୍‌ ୨୮)ରୁ ଚଳିତ ବର୍ଷର ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହେବ । ଏପ୍ରିଲ୍‌ ୨୮ ତାରିଖରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ପ୍ରଶ୍ନପତ୍ର ନୋଡାଲ୍ ସେଣ୍ଟରରେ ସୁରକ୍ଷିତ ରଖିବା ଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ଓ ପରୀକ୍ଷା ଖାତା ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟାୟକୁ ଶୃଙ୍ଖଳିତ କରିବା ପାଇଁ ପୂର୍ଣ୍ଣ ସହଯୋଗ କରିବେ ଜିଲ୍ଲାପାଳ ଏବଂ ପୋଲିସ ଏସ୍‌ପି । ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ ।


ଚଳିତ ବର୍ଷ ୩ ଲକ୍ଷ ୨୧ ହଜାର ୫୦୮ ଜଣ ପରୀକ୍ଷାର୍ଥୀ ଯୁକ୍ତଦୁଇ ପରୀକ୍ଷା ଦେବେ । ସେମାନଙ୍କ ମଧ୍ୟରୁ କଳା ବିଭାଗରେ ୨ ଲକ୍ଷ ୧୩ ହଜାର ୪୩୨ ଜଣ , ବିଜ୍ଞାନ ବିଭାଗରେ ୭୮ ହଜାର ୦୭୭ ଜଣ, ବାଣିଜ୍ୟ ବିଭାଗରେ ୨୪ ହଜାର ୧୩୬ ଜଣ ଏବଂ ୫ହଜାର ୮୬୩ ଜଣ ଧନ୍ଦାମୂଳକ ବିଭାଗର ଛାତ୍ରଛାତ୍ରୀ ରହିଛନ୍ତି । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେବାକୁ ଥିବା ଏହି ପରୀକ୍ଷା ପାଇଁ ୧,୧୩୩ଟି ପରୀକ୍ଷା କେନ୍ଦ୍ର ଏବଂ ୨୦୨ଟି ପରୀକ୍ଷା ପରିଚାଳନା ହବ୍ (ନୋଡାଲ୍ ସେଣ୍ଟର) କରାଯାଇଛି । ପରୀକ୍ଷା ପରିଚାଳନା ପାଇଁ ଖୋଲିଛି 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ।

ଏଥିପାଇଁ CHSE କାର୍ଯ୍ୟାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି କଣ୍ଟ୍ରୋଲ ରୁମ ମେ 31 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଛାତ୍ରଛାତ୍ରୀଙ୍କର ପରୀକ୍ଷା ବାବଦରେ କୌଣସି ସମସ୍ୟା ଥିଲେ, ଦ୍ୱନ୍ଦ୍ବ ଦୂର ପାଇଁ ଟେଲିଫୋନ ମାଧ୍ୟମରେ ଛାତ୍ରୀଛାତ୍ର ଯୋଗାଯୋଗ କରିପାରିବେ । ଏ ନେଇ CHSE ପକ୍ଷରୁ ଟେଲିଫୋନ ନମ୍ବର 0674- 2303803 ନମ୍ବର ଜାରି କରାଯାଇଛି ।


ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ପାଇଁ ଗଠନ ହୋଇଛି ସ୍ବତନ୍ତ୍ର ସ୍କ୍ବାଡ୍‌ । କେନ୍ଦ୍ରୀୟ ଜୋନ୍ ସ୍କ୍ବାଡ୍‌ରେ ସର୍ବାଧିକ ୫୮ଜଣ ସଦସ୍ୟ ରହିଥିବା ବେଳେ ସମ୍ବଲପୁର ଜୋନାଲ୍ ସ୍କ୍ବାଡ୍‌ରେ ୩୫ ଜଣ, ବାରିପଦା ଓ ବ୍ରହ୍ମପୁର ଜୋନାଲ୍ ସ୍କ୍ବାଡ୍‌ରେ ୩୦ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ଯୁକ୍ତ ଦୁଇ କଲେଜର ରିଡର୍‌, ଆସିଷ୍ଟାଣ୍ଟ ପ୍ରଫେସର, ଅଧ୍ୟାପକମାନଙ୍କୁ ବିଭିନ୍ନ ସ୍କ୍ବାଡ୍‌ ସଦସ୍ୟ ଭାବେ ମନୋନିତ କରାଯାଇଛି ।

ସେହିପରି ୨୨ଟି ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କୁ ପରିବର୍ତ୍ତନ କରାଯାଇଛି । ଚଳିତ ବର୍ଷ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଢାଞ୍ଚା ଜାରି କରିଛି CHSE । ୨୦୨୧ ମାର୍ଚ୍ଚ ୪ ଓ ଏପ୍ରିଲ ୯ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ସମସ୍ତ ରେଗୁଲାର ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ଆସିବ । ପ୍ରଶ୍ନପତ୍ରର ମୋଟ ମାର୍କ ମଧ୍ୟରୁ ୫୦ ପ୍ରତିଶତ ମାର୍କ ଏକ ନମ୍ବରର ମଲ୍ଟିପୁଲ ଚଏସ ପ୍ରଶ୍ନ ଆସିବ । ସେହିପରି ୩୦ ପ୍ରତିଶତ ମାର୍କ ସଂକ୍ଷିପ୍ତ ଉତ୍ତର ବିଶିଷ୍ଟ ତଥା ୨ରୁ ୩ମାର୍କର ପ୍ରଶ୍ନ ରହିବ । ୨୦ ପ୍ରତିଶତ ମାର୍କ ଦୀର୍ଘମୂଳକ ଉତ୍ତର ତଥା ୫ ମାର୍କ ରହିବ।


ସେହିପରି ଭାବରେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଏପ୍ରିଲ୍‌ ୨୯ ତାରିଖରୁ ଆରମ୍ଭ ହୋଇ ମେ ମାସ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ୫ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୫ଲକ୍ଷ ୭୧ ହଜାର ୯୦୯ ଜଣ ହାଇସ୍କୁଲ, ୪,୪୪୩ ଜଣ ମଧ୍ୟମା ଏବଂ ୯,୩୭୮ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ରହିଛନ୍ତି । ମାଟ୍ରିକ୍ ପରୀକ୍ଷା ପାଇଁ ସମୁଦାୟ ୩୫୪୦ ଟି କେନ୍ଦ୍ର ଏବଂ ୩୧୫ ଟି ନୋଡ଼ାଲ୍ କେନ୍ଦ୍ର କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.