ETV Bharat / city

କଟକ ଚଣ୍ଡି ମନ୍ଦିରରେ ୫-ଟି ସଚିବ, ୭ ଦିନ ମଧ୍ୟରେ ପ୍ରସ୍ତୁତ ହେବ ମାଷ୍ଟରପ୍ଲାନ

author img

By

Published : Apr 21, 2022, 3:32 PM IST

କଟକ ଚଣ୍ଡୀ ମନ୍ଦିର ଉନ୍ନତିକରଣ ଯୋଜନା, ୭ ଦିନ ମଧ୍ୟରେ ମାଷ୍ଟରପ୍ଲାନ ପ୍ରସ୍ତୁତ
କଟକ ଚଣ୍ଡୀ ମନ୍ଦିର ଉନ୍ନତିକରଣ ଯୋଜନା, ୭ ଦିନ ମଧ୍ୟରେ ମାଷ୍ଟରପ୍ଲାନ ପ୍ରସ୍ତୁତ

ଶ୍ରଦ୍ଧା ଓ ଆସ୍ଥାର ପ୍ରତୀକ କଟକ ଚଣ୍ଡି ମନ୍ଦିରର ଉନ୍ନତିକରଣ ପାଇଁ ଖୁବଶୀଘ୍ର ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

ଭୁବନେଶ୍ବର: ବିକଶିତ ହେବ କଟକ ଚଣ୍ଡୀ ମନ୍ଦିର । ୭ ଦିନ ମଧ୍ୟରେ ପ୍ରସ୍ତୁତ ହେବ ଚଣ୍ଡି ମନ୍ଦିରର ଉନ୍ନତିକରଣ ଯୋଜନା । ଯୋଜନା ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାାଇଁ ପଠାଯିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଭୋର୍‌ରୁ 5T ସଚିବ ଭି. କେ ପାଣ୍ଡିଆନ କଟକ ଚଣ୍ଡି ମନ୍ଦିର ପରିଦର୍ଶନ କରି ସମୀକ୍ଷା କରିଛନ୍ତି ।

୭ ଦିନ ମଧ୍ୟରେ ପ୍ରସ୍ତୁତ ହେବ ଚଣ୍ଡୀ ମନ୍ଦିର ଉନ୍ନତିକରଣ ଯୋଜନା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ଭୋର୍‌ରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ କଟକ ଚଣ୍ଡି ମନ୍ଦିର ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ମାଆଙ୍କ ଦର୍ଶନ କରିବା ସହିତ ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାମ ସଂପର୍କରେ ସେବାୟତ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି । ମନ୍ଦିରର ଉନ୍ନତିକରଣ ତଥା ଅନ୍ୟାନ୍ୟ ବିକାଶ କାର୍ଯ୍ୟ ପାଇଁ ୭ ଦିନ ମଧ୍ୟରେ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଗି ଉପସ୍ଥାପନ କରାଯିବ ବୋଲି ଜଣାପଡିଛି ।

କଟକର ପ୍ରସିଦ୍ଧ ଚଣ୍ଡି ମନ୍ଦିର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଶ୍ରଦ୍ଧା ଓ ଆସ୍ଥାର ପ୍ରତୀକ । ରାଜ୍ୟର ଏହି ପ୍ରସିଦ୍ଧ ଶକ୍ତିପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କର ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଏଥିପାଇଁ ମନ୍ଦିର କମିଟି ଜିଲ୍ଲା ପ୍ରଶାସନ ସହିତ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ସଂପର୍କରେ ଆଲୋଚନା କରିବ । ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ 5T ସଚିବ ଆଲୋଚନା କରିବା ସହ ମନ୍ଦିରର ଅଞ୍ଚଳ ବୁଲି ଦେଖିଛନ୍ତି । ମନ୍ଦିରରେ ଥିବା ସମସ୍ୟା, ବିଶେଷ କରି ଜଳ ନିଷ୍କାସନ, ପାର୍କିଂ ଓ ମରାମତି ନେଇ ମନ୍ଦିର କର୍ତ୍ତୃପକ୍ଷ 5T ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ କାମ ହାତକୁ ନିଆଯାଇଛି ବୋଲି ଜଣାପଡିଛି । ମନ୍ଦିରକୁ ଅଧିକ ସୁନ୍ଦର କରିବା ସହ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ସମସ୍ତଙ୍କ ସହଯୋଗରେ ମନ୍ଦିରର ବିକାଶମୂଳକ କାର୍ଯ୍ୟ ଆରମ୍ଭ ହେବ । 5T ସଚିବଙ୍କ ଗସ୍ତ ସମୟରେ ଆରଡିସି, ଜିଲ୍ଲାପାଳ, CMC କମିଶନର, ଡିସିପି, ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.