ETV Bharat / city

ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

author img

By

Published : Aug 19, 2022, 7:16 AM IST

ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ରାଜ୍ୟରେ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ହୀରାକୁଦ ଗେଟ୍ ପରିଚାଳନା ପାଇଁ ଦେଲେ ପରାମର୍ଶ । ଅଧିକ ପଢନ୍ତୁ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁବାର ରାଜ୍ୟର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି । ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା, ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟର ନଦୀଗୁଡ଼ିକର ଜଳ ପ୍ରବାହର ସ୍ଥିତି ସଂପର୍କରେ ଜଳସଂପଦ ବିଭାଗର ବରିଷ୍ଠ ଯନ୍ତ୍ରୀମାନଙ୍କ ସହ ସେ ଆଲୋଚନା କରିଛନ୍ତି । ଆଗାମୀ ଲଘୁଚାପ ବର୍ଷାକୁ ଆଖି ଆଗରେ ରଖି ହୀରାକୁଦର ଗେଟ ପରିଚାଳନା କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ଆଗାମୀ ୧୯ ଓ ୨୦ ତାରିଖରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହି ଲଘୁଚାପର ପ୍ରଭାବରେ ସମ୍ଭାବ୍ୟ ବୃଷ୍ଟିପାତକୁ ନଜରରେ ରଖି ହୀରାକୁଦ ଜଳଭଣ୍ଡାରରୁ ପର୍ଯ୍ୟାୟ କ୍ରମେ ଗେଟ ବନ୍ଦ କରାଯାଉଛି ।

ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ପ୍ରାଥମିକ ସୂଚନା ଅନୁଯାୟୀ, ବନ୍ୟା ଯୋଗୁଁ ୧୩ଟି ଜିଲ୍ଲାର ୭୧ଟି ବ୍ଲକ କ୍ଷତିଗ୍ରସ୍ତ ହୋଇଛି । ଏଥିରେ ୨,୦୬୬ଟି ଗ୍ରାମ ପ୍ରଭାବିତ ହୋଇଛି । ବନ୍ୟାରେ ୪୭୦ଟି ଗ୍ରାମ ଜଳଘେରରେ ରହିଥିବାବେଳେ ୨ ଲକ୍ଷ ୫୫ ହଜାର ୩୨୫ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ପ୍ରାୟ ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏହିସବୁ ଅଞ୍ଚଳରେ ୧୯୦ଟି ରିଲିଫ କେନ୍ଦ୍ରରେ ୧ ଲକ୍ଷ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ୯୦ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଦ୍ଵାରା ଅନେକ ବାସଗୃହ କ୍ଷତିଗ୍ରସ୍ତ ହେବା ସହିତ ବହୁତ ଚାଷ ଜମି ଜଳମଗ୍ନ ହୋଇଛି । ୧୧ଟି ଏନଡିଆରଏଫ, ୧୨ଟି ଓଡ୍ରାଫ ଏବଂ ୫୨ଟି ଅତିରିକ୍ତ ଅଗ୍ନିଶମ ସେବାବାହିନୀ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ପ୍ରଭାବିତ ଅଞ୍ଚଳରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ୧୦ଟି ଭ୍ରାମ୍ୟମାଣ ଆଓ ୱାଟର ପ୍ଲାଣ୍ଟ ଜରିଆରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯାଉଛି । ସେହିପରି ପ୍ରଭାବିତ ଗୋରୁଗାଈଙ୍କୁ ଆବଶ୍ୟକୀୟ ଗୋଖାଦ୍ୟ ଯୋଗାଇ ଯାଉଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଓ ପଶୁଚିକିତ୍ସାକୁ ତ୍ବରାନ୍ବିତ କରାଯାଇଛି । ଜଳସଂପଦ ବିଭାଗର ମୁଖ୍ୟଯନ୍ତ୍ରୀମାନେ ପ୍ରଭାବିତ ଅଞ୍ଚଳରେ ଅବସ୍ଥାନ କରି ନଦୀ ବନ୍ଧର ସୁରକ୍ଷା ତଥା ମରାମତି କାର୍ଯ୍ୟ ତ୍ଵରାନ୍ଵିତ କରୁଛନ୍ତି । ଏସଡିଆରଏଫ ଗାଇଡଲାଇନ ଅନୁସାରେ ଜିଲ୍ଲାପାଳମାନେ ଘରୋଇ ଡଙ୍ଗା ଭଡାରେ ନେଇ ଜଳ ଘେରରେ ଥିବା ଲୋକମାନଙ୍କୁ ଉଦ୍ଧାର କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟାଞ୍ଚଳରେ ୧୩ ଜିଲ୍ଲାର ୬୪ ଟି ଭ୍ରାମ୍ୟମାଣ ଡାକ୍ତରୀ ଦଳ ମୁତୟନ କରାଯାଇଥିବା ବେଳେ ୨୦,୦୦୦ ଓଆରଏସ ପ୍ୟାକେଟ ଓ ୧ ଲକ୍ଷ ୪୨ ହଜାର ହାଲୋଜିନ ବଟିକା ବଣ୍ଟନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.