ETV Bharat / city

ଆଜିଠୁ ମାଗଣା ବୁଷ୍ଟର ଡୋଜ: ରାଜ୍ୟର 2,320 କେନ୍ଦ୍ରରେ ଚାଲିଛି ଟୀକାକରଣ

author img

By

Published : Jul 15, 2022, 12:01 PM IST

ଆଜିଠୁ ମାଗଣା ବୁଷ୍ଟର ଡୋଜ: ରାଜ୍ୟର 2,320 କେନ୍ଦ୍ରରେ ଚାଲିଛି ଟୀକାକରଣ
ଆଜିଠୁ ମାଗଣା ବୁଷ୍ଟର ଡୋଜ: ରାଜ୍ୟର 2,320 କେନ୍ଦ୍ରରେ ଚାଲିଛି ଟୀକାକରଣ

ଆଜିଠୁ ଆରମ୍ଭ ହୋଇଛି ମାଗଣା ବୁଷ୍ଟର ଡୋଜ ଟୀକାକରଣ । ରାଜ୍ୟର 2,320 ଟୀକାକରଣ କେନ୍ଦ୍ରରେ ଟିକା ନେଉଛନ୍ତି ଲୋକେ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଜିଠୁ(ଶୁକ୍ରବାର) ରାଜ୍ୟରେ ଆରମ୍ଭ ହୋଇଛି ମାଗଣା ବୁଷ୍ଟର ଡୋଜ ଟୀକାକରଣ । 18ରୁ 59 ବର୍ଷ ବୟସର ଲୋକେ ବୁଷ୍ଟର ଡୋଜ ନେଉଛନ୍ତି । ଏହି ବୟସ ବର୍ଗରେ 2 କୋଟି 65 ଲକ୍ଷରୁ ଅଧିକ ଲୋକ ଅଛନ୍ତି । କେବଳ ରାଜଧାନୀ ଭୁବନେଶ୍ବରରେ 7 ଲକ୍ଷରୁ ଅଧିକ ଲୋକ ରହିଛନ୍ତି । ରାଜ୍ୟବ୍ୟାପୀ ମୋଟ 2,320 କେନ୍ଦ୍ରରେ ଟୀକାକରଣ ଚାଲିଛି । ଭୁବନେଶ୍ବରରେ 19ଟି ଟୀକାକରଣ କେନ୍ଦ୍ର ହୋଇଛି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା 18ରୁ 59 ବର୍ଷ ବୟସ ବର୍ଗରେ ରାଜ୍ୟରେ 1 ଲକ୍ଷ 52 ହଜାର ବୁଷ୍ଟର ବା ପ୍ରିକସନ ଡୋଜ ନେଇସାରିଛନ୍ତି । ସବୁ ଜିଲ୍ଲାରେ ଏହି ଟୀକାକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହିତାଧିକାରୀ ଉଭୟ ଅନଲାଇନ ଓ ଅନସାଇଟ ପଞ୍ଜିକରଣ କରି ଟିକା ନେଇପାରିବେ । ଏବେ ରାଜ୍ୟରେ 13 ଲକ୍ଷ ଡୋଜ ଟିକା ମହଜୁଦ ଅଛି । ଏହା କିଛି ଦିନ ଯାଏଁ ଚାଲିବ । ଏହାପରେ ଅଧିକ ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ ଅନୁରୋଧ କରାଯିବ ।

ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ''ଯେହେତୁ ମାଗଣା ଟୀକାକରଣ ଲାଗି 75 ଦିନ ସମୟ ଅଛି, ସବୁ ଲୋକଙ୍କୁ ପ୍ରିକସନ ଡୋଜ ଟୀକାକରଣ କରାଇବା ସାମାନ୍ୟ କଷ୍ଟକର ହୋଇପାରେ । ତେବେ ଲୋକମାନେ ଆଗ୍ରହ ଦେଖାଇଲେ ଅଧିକରୁ ଅଧିକ ଲୋକଙ୍କ ଟୀକାକରଣ କରାଯାଇପାରିବ । ସବୁ ଲୋକଙ୍କୁ ପ୍ରିକସନ ଡୋଜ ଦେବାକୁ ରାଜ୍ୟର ଟୀକାକରଣ କେନ୍ଦ୍ର ସଂଖ୍ୟା 3 ହଜାରରୁ ଅଧିକ ବୃଦ୍ଧି କରାଯିବ । ଏପରିକି କଲେଜ, ଶିକ୍ଷାନୁଷ୍ଠାନରେ କ୍ୟାମ୍ପ କରି 18 ବର୍ଷରୁ ଊର୍ଦ୍ଧ୍ବ ବୟସର ପିଲାଙ୍କୁ ମଧ୍ୟ ଟୀକାକରଣ କରାଇବାକୁ ଯୋଜନା ହୋଇଛି ବୋଲି ସେ ଜଣାଇଛନ୍ତି ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.