ETV Bharat / city

ଗଭୀର ଅବପାତର ରୂପ ନେଲା 'ଗୁଲାବ', ଦକ୍ଷିଣ-ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା

author img

By

Published : Sep 27, 2021, 7:03 AM IST

Updated : Sep 27, 2021, 7:16 AM IST

ଗଭୀର ଅବପାତର ରୂପ ନେଲା 'ଗୁଲାବ', ଦକ୍ଷିଣ-ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା
ଗଭୀର ଅବପାତର ରୂପ ନେଲା 'ଗୁଲାବ', ଦକ୍ଷିଣ-ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା

ଓଡ଼ିଶା ଉପରୁ ଟଳିଲା ବିପଦ ଗୁଲାବ । ଆନ୍ଧ୍ରପ୍ରଦେଶର କଳିଙ୍ଗପାଟ୍ଟନମ୍‌ର ୨୦ କିମି ଉତ୍ତରକୁ ଓ ଓଡ଼ିଶାର ଗୋପାଳପୁରର ଦକ୍ଷିଣ ପଶ୍ଚିମରେ ୧୬୦ କିମି ଦୂର ସନ୍ଥଗୁଡ଼ାଠାରେ ବାତ୍ୟା ‘ଗୁଲାବ’ ଲ୍ୟାଣ୍ଡଫଲ କରିଛି । ଏହା ପରେ ବାତ୍ୟା ଗୁଲାବ ଗଭୀର ଅବପାତର ରୂପ ନେଇଛି । ଆଜି ଛତିଶଗଡକୁ ମୁହାଁଇବ ବାତ୍ୟା । ଅଧିକ ପଢନ୍ତୁ...

ଭୁବନେଶ୍ବର: ଓଡ଼ିଶା ଉପରୁ ଟଳିଲା ବାତ୍ୟା ବିପଦ । ଆନ୍ଧ୍ରପ୍ରଦେଶର କଳିଙ୍ଗପାଟ୍ଟନମ୍‌ର ୨୦ କିମି ଉତ୍ତରକୁ ଓ ଓଡ଼ିଶାର ଗୋପାଳପୁରର ଦକ୍ଷିଣ ପଶ୍ଚିମରେ ୧୬୦ କିମି ଦୂର ସନ୍ଥଗୁଡ଼ାଠାରେ ବାତ୍ୟା ‘ଗୁଲାବ’ ଲ୍ୟାଣ୍ଡଫଲ କରିଛି । ରବିବାର ସନ୍ଧ୍ୟା ୬ଟାରେ ଆରମ୍ଭ ହୋଇଥିଲା ‘ଗୁଲାବ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା । ଯାହା ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୪ କିମି ରହିଥିଲା । ସ୍ଥଳ ବିଶେଷରେ କଳିଙ୍ଗପଟ୍ଟନମ୍‌ରେ ପବନର ବେଗ ସର୍ବାଧିକ ୯୪ କିମି ରେକର୍ଡ କରାଯାଇଛି । ମଧ୍ୟ ରାତିରେ ମାଲକାନଗିରି, କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫ୍ଲାଶ ଫ୍ଲଡ଼ର ସମ୍ଭାବନା ମଧ୍ୟ ରହିଛି ।

ଗଭୀର ଅବପାତର ରୂପ ନେଲା 'ଗୁଲାବ', ଦକ୍ଷିଣ-ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା

୨୭ ତାରିଖରେ ରାଜ୍ୟର କେ‌ତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର କହିଛି । ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆର୍‌ସି) ପ୍ରଦୀପ ଜେନା କହିଛନ୍ତି ଯେ ‌ବାତ୍ୟା ପ୍ରଭାବ ଯେତିକି ପଡ଼ିବ ବୋଲି ଆକଳନ କରାଯାଉଥିଲା ସେଭଳି ହୋଇନାହିଁ । ଦକ୍ଷିଣ ଓଡ଼ିଶା ଜିଲ୍ଳା ଗୁଡ଼ିକରେ ଅଳ୍ପ ବର୍ଷା ସହ ପବନର ବେଗ ଘଣ୍ଟା ପ୍ରତି ୩୦ କିମି ରହିଛି । ଗଭୀର ଅବପାତ ବାତ୍ୟା ରୂପ ନେବା ସମୟରେ ଏହାର ଗତି ଘଣ୍ଟା ପ୍ରତି ୭ କିମି ରହିଥିଲା । ଯେଉଁଥିପାଇଁ ମଧ୍ୟରାତିରେ ଲ୍ୟାଣ୍ଡଫଲ୍‌ କରିବା ନେଇ ଆକଳନ କରାଯାଇଥିଲା। ତେବେ ମଧ୍ୟାହ୍ନ ୧୨ଟା ପରେ ବାତ୍ୟାର ବେଗ ବଢିବାରୁ ୩ ଘଣ୍ଟା ଆଗରୁ ଲ୍ୟାଣ୍ଡଫଲ୍‌ କରିଛି।

ଆଜି (ସୋମବାର) ସୁଦ୍ଧା ଏହା ଓଡ଼ିଶା ଅତିକ୍ରମ କରିବ । ତାହାକୁ ନଜରରେ ରଖି ୮ ଜିଲ୍ଲାକୁ ସତର୍କ କରାଯାଇଛି । ରାତି ୯ଟା ସୁଦ୍ଧା ବିଭିନ୍ନ ଜିଲ୍ଲାରୁ ୩୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ରାତିରେ ବି ଏହି ପ୍ରକ୍ରିୟା ଜାରି ରହିଛି। ଗଜପତି, ରାୟଗଡ଼ା, କୋରାପୁଟରେ ଅଧିକ ଭୂ-ସ୍ଖଳନ ହେବାର ଆଶଙ୍କା ରହିଥିବାରୁ ଆଗୁଆ ପଦକ୍ଷେପ ନିଆଯାଇଛି। ଗଜପତି ଜିଲ୍ଲାର ଗୋଟିଏ ସ୍ଥାନରେ ପାହାଡ଼ରୁ ପଥର ଖସିଥିଲା। ତାହାକୁ ସଙ୍ଗେ ସଙ୍ଗେ ସଫା କରାଯାଇଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗଜପତିରେ ୬୮୦୦, ରାୟଗଡ଼ାରେ ୨୩୬୦, କନ୍ଧମାଳରେ ୪୭୫୦, ମାଲକାନଗିରିରେ ୮୨୬୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି । ଏବେ ବାତ୍ୟା ଘଣ୍ଟାପ୍ରତି ୨୭ କିମି ବେଗରେ ଗତି କରୁଛି । ଆଗକୁ ପାହାଡ଼ିଆ ଅଞ୍ଚଳ ରହିଥିବାରୁ ବାତ୍ୟାର ଗତି କମିଯିବ।

ସେପଟେ, ଆଇଏମଡି ଡିଜି କହିଛନ୍ତି ଯେ ସାଇକ୍ଲୋନନ୍ ଗୁଲାବ ଦୁର୍ବଳ ହେଉଛି । ଏହି ଘୂର୍ଣ୍ଣିବଳୟ ମାଲକାନଗିରିରେ ଓଡ଼ିଶା ପାର ହୋଇ ଆଜି(ସୋମବାର) ସକାଳେ ଛତିଶଗଡକୁ ଯିବ । ଯେଉଁଥିରେ ସଂଲଗ୍ନ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବ । ଗଞ୍ଜାମ, ଗଜପତି,ରାୟଗଡାରେ ପ୍ରବଳ ବର୍ଷା ହେଉଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated :Sep 27, 2021, 7:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.