ETV Bharat / city

ଆଜିଠାରୁ ୧୫ବର୍ଷରୁ ଊର୍ଦ୍ଧ୍ବ ପିଲାଙ୍କୁ କୋଭିଡ ଟୀକାକରଣ

author img

By

Published : Jan 3, 2022, 4:09 PM IST

Updated : Jan 3, 2022, 9:14 PM IST

ଢେଙ୍କାନାଳରେ ୧୫ ବର୍ଷରୁ ଉର୍ଦ୍ଧ୍ବ ପିଲାଙ୍କୁ ଟୀକୀକରଣ
ଢେଙ୍କାନାଳରେ ୧୫ ବର୍ଷରୁ ଉର୍ଦ୍ଧ୍ବ ପିଲାଙ୍କୁ ଟୀକୀକରଣ

21:11 January 03

ପୁରୀରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

ପୁରୀରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ
ପୁରୀରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

ପୁରୀ: ଜିଲ୍ଲରେ ୧୫ରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ କିଶୋର କୁଶୋରୀ ମାନଙ୍କୁ କୋଭିଡ ଟୀକାକରଣ ଆରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା କମଳା ଦେବୀ ମାତୃ ମଙ୍ଗଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲାରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାରେ ଏହି ବୟସ ବର୍ଗରେ ୯୦ ହଜାର ୯୬୧ ଜଣ ଥିବାବେଳେ ସେମାନଙ୍କୁ କୋଭାକ୍ସିନ ଟିକା ପ୍ରଦାନ କରାଯାଉଛି । ଆସନ୍ତା ଏକ ମାସ ମଧ୍ୟରେ ଏହି ବୟସ ବର୍ଗର ସମସ୍ତଙ୍କୁ ଟିକା ଦିଆଯିବା ଲକ୍ଷ୍ୟ ରଖାଯାଇଛି ।

ଆଜିପାଇଁ ଅନଲାଇନରେ ୪ ହଜାର ୩ ଶହ ଜଣଙ୍କ ପାଇଁ ସ୍ଲଟ ବୁକିଂର ବ୍ୟବସ୍ଥା ଥିବାବେଳେ ତିନି ହଜାର ୩୬୮ ଜଣ ଟିକା ନେଇଥିବା ଜଣାପଡିଛି । ଉଭୟ ଅନଲାଇନ ସ୍ଲଟ ବୁକିଂ କରିଥିବା କିମ୍ବା ସିଧାସଳଖ ଭାବେ ଟୀକାକରଣ କେନ୍ଦ୍ରକୁ ଆସୁଥିବା କିଶୋର କିଶୋରୀଙ୍କୁ ମଧ୍ୟ ଟିକା ଦିଆଯିବା ବ୍ୟବସ୍ଥା କରାଯାଇଛି । ଟୀକାକରଣ କେନ୍ଦ୍ରକୁ ଆଧାର କାର୍ଡ କିମ୍ବା ବିଦ୍ୟାଳୟ ପରିଚୟପତ୍ର ଆଣିବାକୁ କିଶୋର କିଶୋରୀଙ୍କୁ ପରାମର୍ଶ ଦିଆଯାଇଛି । ପ୍ରାଥମିକ ଭାବେ ଜିଲ୍ଲାର ୧୧ଟି ବ୍ଲକ ସହ ପୁରୀ ସହରର କମଳାଦେବୀ ମାତୃମଙ୍ଗଳ ସ୍ବାସ୍ଥ୍ୟକେନ୍ଦ୍ର, ଚନ୍ଦନ ହଜୁରୀ ଓ ସ୍ବର୍ଗଦ୍ଵାର ସହାରଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡିଲେ ସ୍ବତନ୍ତ୍ର ଅଭିଯାନ ସହାୟତାରେ ଏହି ବର୍ଗରେ ଶତପ୍ରତିଶତ ଟୀକାକରଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

18:29 January 03

ନୂଆପଡାରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

ନୂଆପଡାରୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

ନୂଆପଡା: ମହାମାରୀ କୋଭିଡରୁ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡା ଜିଲ୍ଲାରେ ଆଜି 15ରୁ 18 ବର୍ଷ ବୟସର କିଶୋର କିଶୋରୀ ମାନଙ୍କୁ ପ୍ରଥମ କରି ଟୀକାକରଣ ବ୍ୟବସ୍ଥା କରାଯାଇଛି । ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ 6 ଗୋଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ କେନ୍ଦ୍ର ଖୋଲାଯାଇଛି ।

ଏହି କେନ୍ଦ୍ରଗୁଡିକରେ କିଶୋର କିଶୋରୀଙ୍କୁ କୋଭାକ୍ସିନ ଟିକା ଦେବାର ବ୍ୟବସ୍ଥା ଥିବାବେଳେ, ପ୍ରଥମ ପର୍ଯ୍ୟାୟରେ 33 ହଜାର 400 ଟିକା ଦେବାର ଲକ୍ଷ୍ୟ ରଖିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ସେହିଭଳି ପ୍ରଥମ ଡୋଜର 28 ଦିନ ପରେ ଦ୍ଵିତୀୟ ଡୋଜ ଦିଆଯିବ ବୋଲି ଜିଲ୍ଲା ଟୀକାକରଣ ଅଧିକାରୀ ପ୍ରକାଶ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

18:28 January 03

ଜଗତସିଂହପୁରରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

ଜଗତସିଂହପୁରରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

ଜଗତସିଂହପୁର: ଜିଲ୍ଲାରେ ଆଜିଠାରୁ 15 ବର୍ଷରୁ 18 ବର୍ଷ ବୟସ୍କ କିଶୋର କିଶୋରୀଙ୍କ ପାଇଁ କୋଭିଡ଼ ଟିକା ପ୍ରଦାନ ଆରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏହି ଟିକାଦାନ କେନ୍ଦ୍ରକୁ ଜିଲ୍ଲାପାଳ ପାରୁଲ ପଟୱାରୀ ଉଦଘାଟନ କରିଥିଲେ। ଜିଲ୍ଲାରେ ୨ ଲକ୍ଷ କିଶୋର କିଶୋରୀଙ୍କୁ କୋଭାକ୍ସିନ ଟିକା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ଆଜି ଏହା ଉଦଘାଟନ ହେବାପରେ ଜିଲ୍ଲାର 8ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାଦାନ ଆରମ୍ଭ ହୋଇଛି । ଜିଲ୍ଲାରେ କୋଭିଡ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି କିଶୋର କିଶୋରୀଙ୍କୁ ଟୀକାଦାନ କରିବାକୁ ଅଣ୍ଟା ଭିଡ଼ିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

18:27 January 03

ବ୍ରହ୍ମପୁରରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

ବ୍ରହ୍ମପୁରରୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

ବ୍ରହ୍ମପୁର: ସାରା ଦେଶରେ ଆଜିଠାରୁ ଆରମ୍ଭ ହୋଇଯାଇଛି ୧୫ରୁ ୧୮ ବର୍ଷୀୟ କିଶୋର କିଶୋରୀଙ୍କ କୋଭିଡ ଟୀକାକରଣ ପ୍ରକ୍ରିୟା । ଏହାକୁ ନେଇ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଦିନ ତମାମ ଜାରି ରହିଥିଲା ଟୀକାକରଣ ପ୍ରକ୍ରିୟା । ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଥିବା ଏହି ବର୍ଗର କିଶୋର ଓ କିଶୋରୀ ମାନେ ବ୍ରହ୍ମପୁର ସହରରେ ଉଭୟ ଅନଲାଇନ ଏବଂ ଅଫଲାଇନ୍ ମାଧ୍ୟମରେ ରେଜିଷ୍ଟ୍ରେସନ କରିବା ପରେ ସୋମବାର ସହରର ସମସ୍ତ ସହରାଞ୍ଚଳ ଆଠଟି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଟିକା ନେବା ପରେ ନିର୍ଦ୍ଧାରିତ କିଛି ସମୟ ରହିବା ପରେ ଫେରିଥିବା ଦେଖାଯାଇଥିଲା ।

ବ୍ରହ୍ମପୁର ସହରରେ ଏନେଇ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବ୍ରହ୍ମପୁର ସହରରେ କିଭଳି ରହିଥିଲା ଏହି ଟୀକାକରଣ ପକ୍ରିୟାରେ କିଶୋର ଓ କିଶୋରୀ ଉତ୍ସାହର ସହ ସାମିଲ ହୋଇଥିଲେ ସେ ନେଇ ସହରର ବୈକୁଣ୍ଠନଗର ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ରିପୋର୍ଟର ସମୀର ଆଚାର୍ଯ୍ୟ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

18:27 January 03

ଯାଜପୁରରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

ଯାଜପୁରରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

ଯାଜପୁର: ୧୫ ବର୍ଷରୁ ୧୮ ବର୍ଷ କିଶୋର କିଶୋରୀଙ୍କ ପାଇଁ ଟୀକାକରଣ ଆରମ୍ଭ ହୋଇଥିବାବେଳେ ଯାଜପୁର ବ୍ୟାସନଗରସ୍ଥିତ ରୋଡ ସ୍ବାସ୍ଥ୍ୟକେନ୍ଦ୍ରରେ କିଶୋର କିଶୋରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ପ୍ରଥମ ଦିନରେ ସକାଳ ୮ଟାରୁ ଏହି ଟୀକାକରଣ କାର୍ଯ୍ୟ ଦିନ ୧ଟା ପର୍ଯ୍ୟନ୍ତ ଚାଲିଛି । ତେବେ କିଶୋର କିଶୋରୀମାନେ ଗତକାଲି ଠାରୁ ଅନଲାଇନରେ ବୁକିଂ କରି ଆଜି ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ସାହର ସହିତ ଟିକା ନେଉଥିବା ଦେଖିବାକୁ ମିଳିଛି।

ତେବେ ଆଜି ପ୍ରଥମ ଦିନରେ ଶାନ୍ତିଶୃଙ୍ଖଳା ସହିତ ୫ ଶହ ଜଣ କିଶୋର କିଶୋରୀ ଟିକା ନେଇଥିବା ସ୍ବାସ୍ଥ୍ୟ ଅଧିକାରୀ ସନ୍ତୋଷ କୁମାର ପୃଷ୍ଟି ସୂଚନା ଦେଇଛନ୍ତି। ସେପଟେ ଆଇନଶୃଙ୍ଖଳା ରକ୍ଷା ଦୃଷ୍ଟିରେ ରଖି ଯାଜପୁର ରୋଡ ଠାରେ ପୋଲିସ ମୁତୟନ କରାଯାଇଥିବା ଜଣାପଡିଛି। ଆଜି ଜିଲ୍ଲାର ୧୦ଟି ବ୍ଳକ ଓ ଦୁୁଇଟି ପୌର ପରିଷଦର ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ ଚାଲିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

18:26 January 03

ନବରଙ୍ଗପୁରରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

ନବରଙ୍ଗପୁରରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

ନବରଙ୍ଗପୁର: ଜିଲ୍ଲାର 61ଟି ଟୀକାକରଣ କେନ୍ଦ୍ରରେ ଆଜିଠାରୁ 15 ବର୍ଷରୁ 18 ବର୍ଷର କିଶୋର କିଶୋରୀ ମାନଙ୍କ ଟୀକାକରଣ ଆରମ୍ଭ ହୋଇଛି। ନବରଙ୍ଗପୁର ସଦର ମହକୁମା ଠାରେ ଏଥିପାଇଁ 6ଟି ସ୍ଥାନରେ ସ୍ଵତନ୍ତ୍ର ଟୀକାକାକରଣ କେନ୍ଦ୍ର ସ୍ଥାପିତ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପ୍ରସୂତି ଓ ଶିଶୁ ଯତ୍ନକେନ୍ଦ୍ରରେ ଟୀକାକରଣ ଅଭିଯାନର ଶୁଭାରମ୍ଭ କରାଯାଇଥିଲା। । ପ୍ରଥମ ହିତାଧିକାରୀ ଭାବରେ 16ବର୍ଷୀୟ ଶାବନ ମିଶ୍ର ଟିକା ଗ୍ରହଣ କରିଛନ୍ତି। ଟିକା କେନ୍ଦ୍ରରେ ତାଙ୍କ ପରିଚୟ ଯାଞ୍ଚ ପରେ ଟୀକାକରଣ ଅଧିକାରୀ ତାଙ୍କୁ ଟିକା ପ୍ରଦାନ କରିଛନ୍ତି। ଜିଲ୍ଲାରେ ମୋଟ 65 ହଜାର 700 ଜଣ 15 ବର୍ଷରୁ 18 ବର୍ଷର କିଶୋର କିଶୋରୀ ଟିକା ଗ୍ରହଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ଟୀକାକରଣ ପାଇଁ ସକାଳ 8ରୁ ସନ୍ଧ୍ୟା 5 ଘଟିକା ସମୟ ଧାର୍ଯ୍ୟ ହୋଇଛି। ଟିକା ପ୍ରଦାନ କରାଯିବା ପରେ ସମସ୍ତ ହିତାଧିକାରୀଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା। ଦେଶରେ କରୋନାର ତୃତୀୟ ଲହର ଓମିକ୍ରନ ଭୂତାଣୁର ପ୍ରଭାବ ରହିଥିବା ବେଳେ କିଶୋର କିଶୋରୀଙ୍କୁ ଏହି ମହାମାରୀରୁ ରକ୍ଷା କରିବା ସକାଶେ ଟିକା ପ୍ରଦାନ କରାଯାଇଥିବାରୁ ହିତାଧିକାରୀମାନେ ବେଶ ଖୁସି ବ୍ୟକ୍ତ କରିବା ସହ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ 15-18 ବର୍ଷ କିଶୋର କିଶୋରୀଙ୍କ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିବା ନେଇ ଜିଲ୍ଲାପାଳ କମଳା ଲୋଚନ ମିଶ୍ର ସୂଚନା ଦେବା ସହ ଟୀକାକରଣ ସୁରୁଖୁରୁରେ ହେବ ବୋଲି ଆଶା ପ୍ରକାଶ କରିଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

18:26 January 03

ଭଞ୍ଜନଗରରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

ଭଞ୍ଜନଗରରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

ଭଞ୍ଜନଗର: ସାରା ରାଜ୍ୟରେ ଆଜିଠାରୁ 15ରୁ 18 ବର୍ଷ କିଶୋର-କିଶୋରୀଙ୍କୁ କୋଭିଡ ଟୀକାକରଣ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି l ଏଥିଲାଗି ସରକାରଙ୍କ ପକ୍ଷରୁ ଟିକାକେନ୍ଦ୍ରରେ ସମସ୍ତ ପ୍ରସ୍ତୁତି କରାଯାଇଛି l ଅନ୍ୟପଟେ ଟିକା ନେବାଲାଗି କିଶୋର ମାନେ ମଧ୍ୟ ଟିକା କେନ୍ଦ୍ର ଆଗରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି l

ସେହିଭଳି ଆଜି ଗଞ୍ଜାମ ଜିଲ୍ଲା ଆସିକା ଉପଖଣ୍ଡ ଚିକିତ୍ସାଳୟ ଠାରେ ମଧ୍ୟ 15ରୁ 18 ବର୍ଷ ପିଲାଙ୍କୁ ଟୀକାକାରଣ କରାଯାଇଛି l ଆଜି ସ୍ବାସ୍ଥ୍ୟକେନ୍ଦ୍ରରେ 150 ଜଣ କିଶୋରଙ୍କୁ ସ୍ଲଟ ବୁକିଂ ଅନୁଯାଇ ଟୀକାକରଣ କରାଯିବାର ଲକ୍ଷ ଧାର୍ଯ୍ୟ କରାଯାଇଛି l ସେପଟେ କଲେଜ ଛାତ୍ରଛାତ୍ରୀ ଟିକା ନେବା ପରେ ଖୁସି ବ୍ୟକ୍ତ କରିଛନ୍ତି l

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

16:23 January 03

ଝାରସୁଗୁଡ଼ାରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

ଝାରସୁଗୁଡ଼ା ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

ଝାରସୁଗୁଡ଼ା: ଜିଲ୍ଲାରେ 15ରୁ 18 ବର୍ଷ ବୟସ ବର୍ଗଙ୍କ ଟୀକାକରଣ ଅନୁଷ୍ଠିତ ହୋଇଯାଇଛି । ଝାରସୁଗୁଡ଼ା ଜିଲ୍ଲାରେ ମୋଟ 25ଟି ଟୀକାକରଣ କେନ୍ଦ୍ରରେ ଏହି ବୟସ ବର୍ଗଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଝାରସୁଗୁଡ଼ା ସହରରେ 3ଟି କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି ।

ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ, ଝାରସୁଗୁଡ଼ା ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପଞ୍ଚପଡ଼ା ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି। ଆଜି ସକାଳ 9ଟାରୁ ଟୀକାକରଣ ଆରମ୍ଭ ହୋଇଥିବା ଉପଜିଲ୍ଲାପାଳ କହିଛନ୍ତି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

16:22 January 03

ବଲାଙ୍ଗୀରରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

ବଲାଙ୍ଗୀର ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ ସ୍ଥାନରେ 15 ରୁ 18 ବୟସ୍କ ଯୁବକ ଯୁବତୀଙ୍କୁ ଟୀକାକରଣ ଆରମ୍ଭ ହୋଇଛି । ତେବେ ଜିଲ୍ଲାର ଟିଟିଲାଗଡ, ପାଟଣାଗଡ଼ ଓ ବଲାଙ୍ଗୀର ସହର ମଧ୍ୟରେ ଏହା ଆରମ୍ଭ ହୋଇଛି । ତେବେ ଯୁବପିଢ଼ି କରୋନା ସଂକ୍ରମଣକୁ ନେଇ ବେଶ୍ ସଚେତନ ଥିବାବେଳେ ଏହି ଟୀକାକରଣରେ ସେମାନେ ବେଶ୍ ଆଗ୍ରହ ସହିତ ସାମିଲ ହୋଇଛନ୍ତି ।

ଅନ୍ୟପଟେ ବଲାଙ୍ଗୀରର ପଡୋଶୀ ଜିଲ୍ଲାମାନଙ୍କରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ବଲାଙ୍ଗୀର ସ୍ବାସ୍ଥ୍ୟ ବିଭାଗ ମଧ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜରେ ସ୍ବତନ୍ତ୍ର ୱାର୍ଡ କାର୍ଯ୍ୟକ୍ଷମ କରାଯାଇଥିବାବେଳେ ଅନ୍ୟ ସ୍ଥାନରେ ମଧ୍ୟ ଆଇସୋଲେଶନ କେନ୍ଦ୍ର ପ୍ରତିଷ୍ଠା ଖୁବଶୀଘ୍ର ହେବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ସେହିପରି ଜିଲ୍ଲାରେ ଟେଷ୍ଟିଂ ବଢ଼ାଇ ଦିଆଯାଇଥିବାବେଳେ ଲୋକଙ୍କୁ କରୋନା ନିୟମ ମାନି ଚାଲିବାକୁ ନିବେଦନ କରାଯାଇଥିବା ବଲାଙ୍ଗୀର ସିଡିଏମଓ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

16:22 January 03

କୋରାପୁଟରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

କୋରାପୁଟରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

କୋରାପୁଟ: ଜିଲ୍ଲାରେ ଆସନ୍ତା ଏକ ମାସ ମଧ୍ୟରେ 90 ହଜାର କିଶୋର କିଶୋରୀଙ୍କୁ କୋଭିଡ ଟିକା ଦିଆଯିବ ବୋଲି ଭାରପ୍ରାପ୍ତ ସିଡିଏମଓ ଅରୁଣ କୁମାର ପାଢୀ ଜଣାଇଛନ୍ତି ।

ଆଜି ଏହି ଟୀକାକରଣ କାର୍ଯ୍ୟକ୍ରମ ଜିଲ୍ଳାର ସମସ୍ତ 14ଟି ବ୍ଲକ, 4ଟି ପୌରାଞ୍ଚଳ ସମେତ ନାଲ୍‌କୋ ନଗରୀ ଦାମନଯୋଡି, ମିଗ ନଗରୀ ହାଲ ଓ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଆରମ୍ଭ ହୋଇଥିବା ସେ ଜଣାଇଛନ୍ତି ।

ଏହି ସମସ୍ତ 21ଟି କେନ୍ଦ୍ରରେ 5000ଟି ଟିକା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି । ରବିବାର ସମେତ ଆସନ୍ତା ଦିନ ଗୁଡିକରେ ପ୍ରତି କେନ୍ଦ୍ରରେ 100ଟି ଟିକା ପ୍ରଦାନ କରାଯିବାର ଯୋଜନା ଥିବାବେଳେ 300ଟି ଟିକା ଦେବାପାଇଁ ବିଭାଗ ପ୍ରସ୍ତୁତ ଥିବା ସେ ସ୍ପଷ୍ଟ କରିଛନ୍ତି । କୋଭିଡ ଟିକା ପାଇବା ପାଇଁ ଅନେକ ଦିନରୁ ଅପେକ୍ଷା କରି ରହିଥିବା କିଶୋର କିଶୋରୀ ମଧ୍ୟ ଆଜି ଟିକା ନେଇ କୋଭିଡର ଭୟ କିଛି ମାତ୍ରାରେ ଉପଶମ ହୋଇଥିବା ଜଣାଇଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

16:21 January 03

ସମ୍ବଲପୁରରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

ସମ୍ବଲପୁର ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

ସମ୍ବଲପୁର: ଜିଲ୍ଲାରେ ଆରମ୍ଭ ହୋଇଛି 15ରୁ 18 ବୟସ୍କ ପିଲାଙ୍କୁ କୋଭିଡ ଟୀକାକରଣ। ଆଜି ସମ୍ବଲପୁର ସରକାରୀ ମୁଖ୍ୟ ଚିକତ୍ସାଳୟରେ ଏହାର ଶୁଭାରମ୍ଭ ହୋଇଛି । ଏହାସହ ଜିଲ୍ଲାର ଭିନ୍ନ ଭିନ୍ନ 27ଟି କେନ୍ଦ୍ରରେ ଏହି ଟୀକାକରଣ କାର୍ଯ୍ୟ ଆରମ୍ଭ ହୋଇଛି।

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 200 ଡୋଜ ଟୀକାକରଣ ପାଇଁ ଆଜି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସମ୍ବଲପୁର ଜିଲ୍ଲାରେ ଦୈନିକ 4000 ଡୋଜ ଟୀକାକରଣର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ସମ୍ବଲପୁର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

16:21 January 03

ବୌଦ୍ଧରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

ବୌଦ୍ଧରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

ବୌଦ୍ଧ: ଜିଲ୍ଲାରେ ଯୁବ ବର୍ଗଙ୍କ ପାଇଁ ଆରମ୍ଭ ହେଲା କରୋନା ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ । ଆଜି ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରେ ଏକମାତ୍ର ଟୀକାକରଣ କେନ୍ଦ୍ର ଟାଉନହଲ ଠାରେ ଖୋଲାଯାଇଥିଲା । ଏଥିରେ 15 ବର୍ଷରୁ 18 ବର୍ଷର କିଶୋର କିଶୋରୀମାନେ ପଞ୍ଜିକରଣ କରି ଉତ୍ସାହର ସହିତ ଟିକା ଗ୍ରହଣ କରିଥିଲେ ।

ତେବେ ନବବର୍ଷ ଆରମ୍ଭ ହେଉ ହେଉ ଜିଲ୍ଲାରେ ଦୁଇ ଜଣ ଓମିକ୍ରନ ଚିହ୍ନଟ ହେବା ଘଟଣା ସମସ୍ତଙ୍କୁ ଚିନ୍ତିତ କରିଛି । ଜିଲ୍ଲାରେ କରୋନାର ପ୍ରଥମ ଓ ଦ୍ବିତୀୟ ଲହରରେ ଅନେକ ଧନଜୀବନ କ୍ଷତି ହୋଇଥିବାବେଳେ ବର୍ତ୍ତମାନ ଓମିକ୍ରନ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସୂଚନା ମିଳିଛି । ଆଜି ଆରମ୍ଭ ହୋଇଥିବା ଟୀକାକରଣ ପର୍ଯ୍ୟାୟ କ୍ରମେ ଜିଲ୍ଲାର ଅନ୍ୟ ସ୍ଥାନରେ ହେବ ବୋଲି ଟୀକାକରଣ ଅଧିକାରୀ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

16:20 January 03

ମାଲକାନଗିରିରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

ମାଲକାନଗିରିରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ

ମାଲକାନଗିରି: ଜିଲ୍ଲା ସଦରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ADM ବିରସେନ ପ୍ରଧାନ 15ବର୍ଷରୁ 18ବର୍ଷ ପିଲାମାନଙ୍କ ପାଇଁ ଆରମ୍ଭ କରାଯାଇଥିବା କୋଭିଡ ସେଣ୍ଟରକୁ ଉଦଘାଟନ କରିଛନ୍ତି । ପୂର୍ବରୁ କୋଭିସିଲ୍ଡ ଟିକା ଦିଆଯାଉଥିବାବେଳେ ଏବେ ସମପରିମାଣର କୋଭାକ୍ସିନ୍ ଟିକା ଦିଆଯାଉଛି ।

ଜିଲ୍ଲାରେ 15 ରୁ 18 ବର୍ଷ ପର୍ଯ୍ୟନ୍ତ ମୋଟ 31071 ଜଣ ଟାର୍ଗେଟ ରହିଛି । ଏହି ଟୀକାକରଣ ଏକ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବା ସହ ଜିଲ୍ଲାରେ 21ଟି ଟୀକାକରଣ କେନ୍ଦ୍ର ଖୋଲାଯାଇଥିବା CDMO କହିଛନ୍ତି । ଉଦଘାଟନ ସମୟରେ ADM ବିରସେନ ପ୍ରଧାନଙ୍କ ସହ CDMO ଡା. ପ୍ରଫୁଲ କୁମାର ନନ୍ଦ ଓ ଟିକା ନେବାକୁ ଆସିଥିବା ବହୁ ପିଲା ଉପସ୍ଥିତ ଥିଲେ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

14:50 January 03

ଢେଙ୍କାନାଳରେ ଟୀକା ନେଲେ ୧୫ବର୍ଷରୁ ଊର୍ଦ୍ଧ୍ବ ପିଲା

ଢେଙ୍କାନାଳରେ ୧୫ ବର୍ଷରୁ ଉର୍ଦ୍ଧ୍ବ ପିଲାଙ୍କୁ ଟୀକୀକରଣ

ଢେଙ୍କାନାଳ: ମହାମାରୀ କୋଭିଡ ସଂକ୍ରମଣ ରୋକିବା ସହ ତୃତୀୟ ଲହରରୁ ପିଲାମାନଙ୍କୁ ସୁରକ୍ଷା ପାଇଁ ଆଜିଠାରୁ ପିଲାଙ୍କ ଟୀକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୫ ବର୍ଷରୁ ୧୮ ବର୍ଷ ପିଲାଙ୍କୁ ଏହି ଟୀକାକରଣ ଢେଙ୍କାନାଳ ଜିଲ୍ଲାରେ ଆଜିଠାରୁ ମଧ୍ୟ ଆରମ୍ଭ ହୋଇଛି । ଢେଙ୍କାନାଳ ଜିଲ୍ଲାରେ ଏହି ବର୍ଗର ମୋଟ ୬୭ ହଜାର ପିଲା ଟିକା ନେବା ପାଇଁ ରହିଥିବା ସୂଚନା ମିଳିଛି । ତେବେ ଜିଲ୍ଲାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ହିନ୍ଦୋଳ ଓ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନା ସମେତ ଜିଲ୍ଲାର ପ୍ରମୁଖ ୯ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ଟୀକାକରଣ ଆରମ୍ଭ ହୋଇଛି ।

ସକାଳ ୮ଟାରୁ ଦିନ ଗୋଟାଏ ସମୟ ପର୍ଯ୍ୟନ୍ତ ଏହି ଟୀକାକରଣ କରାଯାଉଛି । ଏଥିପାଇଁ ସ୍ବତନ୍ତ୍ର ଟୀକାକରଣ କେନ୍ଦ୍ରମାନଙ୍କରେ କୋଭିଡ କଟକଣା ମଧ୍ୟରେ ପିଲାମାନଙ୍କୁ କୋଭାକ୍ସିନ ଟିକା ଦିଆଯାଉଥିବା ପ୍ରକାଶ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ସେପଟେ ଏହି ଟିକା ନେଇ କୋଭିଡ ଭଳି ମହାମାରୀରୁ ନିଜକୁ ସୁରକ୍ଷିତ ରଖିବାର ସୁଯୋଗ ମିଳିଥିବାରୁ ପିଲାମାନେ ବେଶ ଉତ୍ସାହିତ ହୋଇପଡିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated :Jan 3, 2022, 9:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.