ETV Bharat / city

ରାଜ୍ୟର ସବୁ ଜଳଭଣ୍ଡାରର ସ୍ଥିତି ସଂଗୀନ: ଜଳସମ୍ପଦ ମନ୍ତ୍ରୀ

author img

By

Published : Jul 22, 2019, 10:02 PM IST

ରାଜ୍ୟରେ ଥିବା ସମସ୍ତ ଜଳଭଣ୍ଡାରରେ କମିଛି ପାଣି । ବିଦ୍ୟୁତ ଉତ୍ପାଦନ କମିଛି, ଚାଷ ଅଟକିଛି ଏପରି ପରିସ୍ଥିତି ପାଇଁ ବର୍ଷା ଦାୟୀ ବୋଲି କହିଛନ୍ତି ଜଳସମ୍ପଦ ମନ୍ତ୍ରୀ ।

ଫଟୋ ସୌଜନ୍ୟ: ଚିଫ୍ ବ୍ୟୁରୋ, ଭୁବନେଶ୍ବର

ଭୁବନେଶ୍ବର : ଚାଲିଛି ଶ୍ରାବଣ ହେଲେ ବର୍ଷା ନାହିଁ, ସେପଟେ ଛତିଶଗଡ ମଧ୍ୟ ମହାନଦୀ ଉପରମୁଣ୍ଡରେ ପାଣିକୁ ଅଟକାଉଛି । ଏହାଦ୍ବାରା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଯଥେଷ୍ଟ ପରିମାଣରେ କମିଛି । ଏପରିକି ଗତବର୍ଷ ତୁଳନାରେ କମ ରହିଥିବା ବେଳେ ଜଳଭଣ୍ଡାର ଭିତରକୁ ଜଳ ପ୍ରବେଶର ପରିମାଣ ବି ହ୍ରାସ ପାଇଛି । କେବଳ ହୀରାକୁଦ ନୁହେଁ ସବୁ ଜଳଭଣ୍ଡାରର ସ୍ଥିତି ଏମିତି ସଂଗୀନ ଅବସ୍ଥାରେ । ଏବେ କେବଳ ଜଳବିଦ୍ୟୁତ ଉତ୍ପାଦନ ପାଇଁ ଜଳଭଣ୍ଡାରର ପାଣିକୁ ବ୍ୟବହାର କରାଯାଉଛି । ଆଜି ବିଧାନସଭାରେ ଏମିତି ସାଂଘାତିକ ଚିନ୍ତାଜନକ ଉତ୍ତର ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ।

ଜୁଲାଇ 22 ତାରିଖ ସୁଦ୍ଧା ହୀରାକୁଦର ଜଳସ୍ତର 598.93 ଫୁଟ ରହିଛି । ଗତ ବର୍ଷ ଏହି ସମୟରେ ଜଳଭଣ୍ଡାରର ଜଳସ୍ତର 611.87 ଫୁଟ ରହିଥିଲା । ଏବେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 2965 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳସେଚନ ଏବଂ ଶିଳ୍ପାନୁଷ୍ଠାନର ବ୍ୟବହାର ପାଇଁ 13 ହଜାର 29 କ୍ୟୁସେକ ଜଳ ନିଷ୍କାସନ କରାଯାଉଛି ।

ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଉଥିବାରୁ ଆଗକୁ ଜଳବିଦ୍ୟୁତ ଉତ୍ପାଦନ ହ୍ରାସ ପାଇବାର ମଧ୍ୟ ଆଶଙ୍କା ରହିଛି । ଚଳିତ ବର୍ଷ ଜୁଲାଇ 21 ତାରିଖ ସୁଦ୍ଧା ମହାନଦୀର ଉପରମୁଣ୍ଡରେ ମାତ୍ର 150 ମିଲିମିଟର ବର୍ଷା ହୋଇଛି, ଯାହାକି ଗତବର୍ଷ ତୁଳନାରେ ପ୍ରାୟ 50 ପ୍ରତିଶତ କମ । ସାଧାରଣତଃ ଏହି ସମୟରେ ଉପରମୁଣ୍ଡରେ 350 ମିଲିମିଟର ବର୍ଷା ହୋଇଥାଏ ବୋଲି ଗୃହରେ ଜଳସମ୍ପଦ ମନ୍ତ୍ରୀ କହିଛନ୍ତି ।

ଭିଡିଓ ସୌଜନ୍ୟ: ଚିଫ୍ ବ୍ୟୁରୋ, ଭୁବନେଶ୍ବର

ସେହିଭଳି ବାଲିମେଳା ଜଳ ଭଣ୍ଡାରରେ ବର୍ତ୍ତମାନ 1451.30 ଫୁଟ ଜଳ ରହିଛି । ଗତବର୍ଷ ଏହିସମୟରେ ବାଲିମେଳାର ଜଳସ୍ତର ଥିଲା 1471.30 ଫୁଟ । ରେଙ୍ଗାଲିରେ ଜଳ ଭଣ୍ଡାରରେ ଜଳସ୍ତର 110.62 ଫୁଟ ଥିବା ବେଳେ ଗତବର୍ଷ ଏହି ସମୟରେ ଜଳସ୍ତର 113.01 ଫୁଟ ରହିଥିଲା । ମୁଖିଗୁଡାରେ ଜଳସ୍ତର ଆଜି 630 ଫୁଟ ରହିଛି । ଗତବର୍ଷ ଏହି ସମୟରେ ଜଳସ୍ତର ଥିଲା 633.04 ଫୁଟ । ମାଛକୁଣ୍ଡରେ ସେହିଭଳି ଜଳସ୍ତର 2711.70 ଫୁଟ ରହିଛି । ଗତବର୍ଷ ଏହି ସମୟରେ ଜଲସ୍ତର 2721. 10 ଥିଲା । ହୀରାକୁଦ ସମେତ ସବୁ ଜଳଭଣ୍ଡାରରେ ଜଳସ୍ତର ଉଦବେଗଜନକ ଭାବେ କମ ରହିଥିବାରୁ ଆଗାମୀ ଦିନରେ ଜଳବିଦ୍ୟୁତ ଉତ୍ପାଦନ ହ୍ରାସ ପାଇବା ସହ ବିଦ୍ୟୁତ ସଂକଟ ମଧ୍ୟ ଗୁରୁତର ହେବ ଓ ଏହା ସିଧା ସଳଖ କୃଷି ଉପରେ ପଡିବ ବୋଲି ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.